ବଢ଼ିଲା ମହାମାରୀ

ମହାମାରୀ ଏବେ ଆମ ରାଜ୍ୟ ତଥା ଦେଶରେ ଏହାର କାୟା ବିସ୍ତାର କରିଚାଲିଛି । କେଉଁଠି ବଢ଼ୁ ନାହିଁ, ତାହାର ଗ୍ୟାରେଂଟି କେହି ଦେଇପାରିବେ ନାହିଁ । ଆମ ରାଜ୍ୟରେ ଯେପରି ଭାବେ ରାଜ୍ୟ ସରକାର କରୋନା ବିରୋଧରେ ଯୁଦ୍ଧ ଘୋଷଣା କଲେ ତାହା ଦେଖି ମନେ ହେଉଥିଲା, ଓଡ଼ିଶାରେ କରୋନା ଦ୍ୱାରା କେହି ଆକ୍ରାନ୍ତ ହେବା ସମ୍ଭାବନା କ୍ଷୀଣ । କିନ୍ତୁ ଜୁଲାଇ ମାସରେ କରୋନା ପଜେଟିଭ ସଂଖ୍ୟା ରାଜ୍ୟରେ ଦୈନିକ ବଢ଼ି ବଢ଼ି ଚାଲିଥିଲା ବେଳେ ମୃତୁ୍ୟସଂଖ୍ୟା ମଧ୍ୟ ବଢ଼ିଛି । ଜୁଲାଇ ୨୪ ସୁଦ୍ଧା ଏହା ୧୨୦ରେ ପହଂଚିଥିଲା ବେଳେ କେବଳ ଗଞ୍ଜାମରୁ ଏପର୍ଯ୍ୟନ୍ତ ୭୦ ଜଣ ପ୍ରାଣ ହରାଇ ଲେଣି । ଗତ ୨ ଦିନ ଧରି କ୍ରମାଗତ ଭାବେ ପଜେଟିଭ ସଂଖ୍ୟା ମଧ୍ୟ ହଜାରେ ଟପୁଛି । ଗୁରୁବାର ଏହି ସଂଖ୍ୟା ୧୦୭୯ ଥିଲା ବେଳେ ଆଜି ଏହା ବଢ଼ି ଦେଢ଼ ହଜାର ଟପିଛି । ସେହିପରି ମୃତ୍ୟୁସଂଖ୍ୟା ୬ ଥିବାରୁ ମହାମାରୀର ଭୟାବହତା ଦିନକୁ ଦିନ ବଢ଼ୁଛି ବୋଲି କୁହାଯାଇପାରେ । ଗଞ୍ଜାମରେ ଆଜି ସର୍ବାଧିକ ପଜେଟିଭ ଚିହ୍ନଟ ହୋଇଥିଲା ବେଳେ ଖୋର୍ଦ୍ଧାରେ ପ୍ରାୟ ୩୦୦ ଏବଂ କଟକରେ ୧୦୦ରୁ ଅଧିକ ପଜେଟିଭ ଥିବା ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଦତ ସୂଚନାରେ କୁହାଯାଇଛି । ମୃତ୍ୟୁସଂଖ୍ୟା ବଢ଼ି ୨୦ରେ ପହଂଚିଥିଲା ବେଳେ ଦିନକୁ ଦିନ ଏହା ଲୋକଙ୍କ ମନରେ କୋକୁଆ ଭୟ ସୃଷ୍ଟି କରୁଛି । ଏଠାରେ ଆମେ ପାଠକଙ୍କୁ ମନେ ପକାଇ ଦେଇପାରୁ ଯେ, ଏହି କୋକୁଆ ଭୟ କଥା ଆମେ ସର୍ବପ୍ରଥମେ କରୋନା ସମ୍ପର୍କରେ ଏହି ସ୍ତମ୍ଭରେ ଉଲ୍ଲେଖ କରିଥିଲୁ । ସେଥିରେ ଆମେ ଦର୍ଶାଇଥିଲୁ ଯେ, କରୋନା ମହାମାରୀ ଲୋକଙ୍କ ମନରେ ପରସ୍ପର ପ୍ରତି ଏକ ଅନାସ୍ଥା ମନୋଭାବ ସୃଷ୍ଟି କରିବା ସହ ସମସ୍ତେ ଯଦୁବଂଶର ଯାଦବମାନେ କୋକୁଆକୁ ଭୟ କଲାଭଳି ପରିସ୍ଥିତି କରୋନା ମହାମାରୀ ଯୋଗୁ ସୃଷ୍ଟି ହେବା ନିଶ୍ଚିତ । ଏବେ ଦେଖାଯାଉଛି, କେବଳ ଓଡ଼ିଶାର ବା ଭାରତରେ ନୁହେଁ, ସମଗ୍ର ବିଶ୍ୱରେ ମାନବ ସମାଜ କରୋନା ପ୍ରତି ଏତେ ଆତଙ୍କିତ ହୋଇପଡିଛି ଯେ, ତା’ ମନରେ କୋକୁଆ ଭୟ ସୃଷ୍ଟି ହେବାରେ ଲାଗିଛି । ଏକାନ୍ତ ବାସ ଓ ସଂଗରୋଧକୁ ଏବେ ଶତପ୍ରତିଶତ ନହେଲେ ମଧ୍ୟ ୭୫ ପ୍ରତିଶତ ଗୁରୁତ୍ୱ ଦେଉଥିଲା ବେଳେ ସେମାନଙ୍କ ଲାଗି କରୋନା ଏବେ ନଦେଖିଥିବା ଓ ନଜାଣିଥିବା କୋକୁଆ ଆତଙ୍କ ସୃଷ୍ଟି କରୁଥିବାରୁ ସମ୍ପ୍ରତି ପଡୋଶୀକୁ ମଧ୍ୟ ନିଜ ଘରକୁ ଆସିବାକୁ ଘରମାଲିକ ନାରାଜ । ଆଗକୁ କ’ଣ ହେଉଛି ଓ କ’ଣ ହେବ, ତାହା ସମୟ ହିଁ କହିବ ।

Comments (0)
Add Comment