ଯାହା ହେଉଛି ଭଲ ହେଉଛି

ମାସ ମାସ ଧରି କରୋନା ମହାମାରୀ ସାରା ବିଶ୍ୱକୁ ଅସ୍ତବ୍ୟସ୍ତ କରି ସାରିଲାଣି । ଚାଇନାରୁ ସୃଷ୍ଟ ଏହି ଭାଇରସ୍ କେଉଁଠୁ ଆସିଲା, ତାହା କେବଳ ସେହି ଦେଶକୁ ମାଲୁମ୍ ବୋଲି କୁହାଯାଇପାରେ । କିନ୍ତୁ ଯେପରି ତୀବ୍ର ଗତିରେ ଏହା ୨ଶହରୁ ଉଦ୍ଧ୍ୱର୍ ଦେଶକୁ ବ୍ୟାପିବା ସହିତ ଲକ୍ଷ ଲକ୍ଷ ଲୋକ ମୃତ୍ୟୁବରଣ କଲେ, ତାହା ଅତ୍ୟନ୍ତ ଦୁଃଖଦାୟକ ଓ ମର୍ମସ୍ପର୍ଶୀ ମଧ୍ୟ । ଏଥିରୁ ଆମ ଦେଶ ମଧ୍ୟ ବାଦ ପଡିନାହିଁ । ପ୍ରଥମେ କେରଳକୁ ଜଣେ ପ୍ରବାସୀ ଭାରତୀୟ ସାଥିରେ କୋଭିଡ-୧୯ ଭୂତାଣୁକୁ ଧରିଆସିବା ପରେ ଏହା ସମଗ୍ର ଭାରତ ବର୍ଷକୁ ବ୍ୟାପିଯାଇଥିଲା । ମାର୍ଚ୍ଚ ମାସରେ ଏହା ଓଡ଼ିଶାରେ ପ୍ରବେଶ କରିଥିଲା ଓ ଖୋଦ ରାଜଧାନୀ ଭୁବନେଶ୍ୱରରେ ପ୍ରଥମେ ଏହି ଭାଇରସ ଆକ୍ରାନ୍ତ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଥିଲା । ପରେ ପରେ ଓଡ଼ିଶାରେ ମଧ୍ୟ ଏହା ବ୍ୟାପିବାରେ ଲାଗିଲା ଏବଂ ଆଜିର ଦିନରେ ଆକ୍ରାନ୍ତଙ୍କ ସଂଖ୍ୟା ୨ଲକ୍ଷ ୮୮ ହଜାରକୁ ଟପିସାରିଲାଣି । ଦୀର୍ଘ ୮ମାସ ମଧ୍ୟରେ ଏହି ଭୁତାଣୁର ମୁକାବିଲା ଲାଗି ୫ଟି ପର୍ଯ୍ୟାୟରେ ଲକ୍ଡାଉନ୍ ଓ ବିଭିନ୍ନ ସ୍ଥାନରେ ସଟ୍ଡାଉନ୍ କରାଯିବା ସହିତ ଅନେକ ଅର୍ଥନୈତିକ ଉତ୍ସବରୂପେ ସ୍ୱୀକୃତ ଅନୁଷ୍ଠାନ ଏବଂ ଶିଳ୍ପାନୁଷ୍ଠାନ ,ଶିକ୍ଷାନୁଷ୍ଠାନ ଆଦି ବନ୍ଦ ରହିବା ସହିତ ଅର୍ଥନୀତି ଅସଜଡା ହେବାକୁ ଲାଗିଲା । ବେକାରି ସଂଖ୍ୟା ବୃଦ୍ଧି ପାଇଲା ଓ ଅନ୍ୟ ଦିଗରେ ସଂକ୍ରମଣ ବଢ଼ିବା ସହିତ ମୃତ୍ୟୁ ସଂଖ୍ୟା ବଢିଲା । ତେବେ ମାସ ମାସ ଧରି ଅର୍ଥନୈତିକ କାର୍ଯ୍ୟକଳାପ ଠପ୍ ହୋଇଯିବା ପରେ ପୁନର୍ବାର ଅନ୍ଲକ୍ ପ୍ରକ୍ରିୟା ଦେଇ ଏଗୁଡ଼ିକୁ କାର୍ଯ୍ୟକ୍ଷମ କରାଗଲା । କିନ୍ତୁ ସଂକ୍ରମଣ କମିଲା ନାହିଁ । ଏହାର ମୂଳ କାରଣ ହେଲା ଯେ, ଏଯାବତ୍ କୋଭିଡ ଭାଇରସ ସଂକ୍ରମିତ ରୋଗୀ ଭଳହେବା ଲାଗି କୌଣସି ନିର୍ଦ୍ଧିଷ୍ଟ ଔଷଧ ବାହାରି ପାରିନାହିଁ । ତା’ଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ବିଷୟଟି ହେଲା, ସାରା ପୃଥିବୀରେ ଅଦ୍ୟାବଧି କୌଣସି ଦେଶ ଏହି ମହାମାରୀ ପାଇଁ ଟିକା ବାହାର କରିପାରି ନାହାନ୍ତି । କେବଳ ଅନୁମାନରେ ଓ ଅନୁଭୁତିକୁ ନେଇ ବିଭିନ୍ନ ଦେଶରେ କରୋନାର ଚିକିତ୍ସା ସମ୍ପର୍କିତ ଅଭିଜ୍ଞତାର ସାହାଯ୍ୟକୁ ପାଥେୟକରି ଟିକା ପାଇଁ ଗବେଷଣା ଜାରି ରହିଥିଲେ ହେଁ ବାସ୍ତବରେ ନିରାପଦ ଟିକା ଏଯାବତ ବାହାରି ପାରିନାହିଁ । ଯଦିଓ ‘ଅକ୍ସଫୋର୍ଡ’ଟିକା ୯୫ ପ୍ରତିଶତ ସଫଳ ହୋଇଥିବା ଦାବି କରାଯାଉଛି, ତାହା ସତ୍ୱେ ଏହା ବଜାରକୁ ବା କୌଣସି ଦେଶକୁ ଦିଆନଯିବା ସ୍ପଷ୍ଟଭାବେ ସୂଚାଇ ଦେଉଛି ଯେ, ଏହି ଟିକାର ଚୁଡାନ୍ତ ପର୍ଯ୍ୟୟ ପରୀକ୍ଷା ସରିନାହିଁ । ତେବେ ଆମର ଏଠାରେ କହିବାର କଥା ହେଲା ଯେ, ଟିକା ଏବଂ ଔଷଧ ପ୍ରାୟତଃ ଡେରିରେ ବାହାରିବା ସୁନିଶ୍ଚିତ ବୋଲି ସମସ୍ତେ ଆସାକରିବା ଉଚିତ । କିନ୍ତୁ ଆଶା ଉପରେ ଆସ୍ଥା ରଖି କୌଣସି ନିଷ୍ପତିମୂଳକ ନିର୍ଦେଶ ଦିଆଯାଇନପାରେ । ସେଥିଯୋଗୁ ସାମାଜିକ ଦୁରତ୍ୱ ରକ୍ଷାକରି ସଂକ୍ରମଣ କମାଇବାକୁ ରାଜ୍ୟ ସରକାର ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେଉଁ ସବୁ ନିଷ୍ପତି ନେଉଛନ୍ତି, ସେଗୁଡିକ ଅନେକ ଦୃଷ୍ଟିକୋଣରୁ ସ୍ୱାଗତଯୋଗ୍ୟ । ଯେପରି ପୁରୀ ଶ୍ରୀମନ୍ଦିରରେ ଏଥର ଭକ୍ତମାନେ ନାଗାର୍ଜୁନ ବେଶ ଦେଖିପାରିବେ ନାହିଁ ଏବଂ କଟକ ଜିଲ୍ଲାର ଧବଳେଶ୍ୱରଙ୍କ ପିଠରେ ବଡ଼ଓଷା ହେବ ନାହିଁ ବୋଲି ପ୍ରଶାସନ ପକ୍ଷରୁ ସୂଚନା ମିଳିସାରିଲାଣି, ସେଥିରୁ ବେଶ ଅନୁମାନ କରିହୁଏ ଯେ ଜନଗହଳି ସ୍ଥାନ ସଂକ୍ରମଣକୁ ଦ୍ୱିଗୁଣିତ କରିଥାଏ । ତେଣୁ ଟିକା ନଆସିବା ପର୍ଯ୍ୟନ୍ତ ଯଦି ମନ୍ଦିର ଖୋଲାଯାଏ ଏବଂ ଜାନିଯାତ୍ରା କରାଯାଏ, ତେବେ ମହାମାରୀ ଅହୁରି ଭୟଙ୍କର ରୂପ ନେବା ବିଚିତ୍ର ନୁହେଁ । ବୋଧହୁଏ ସେଥିଯୋଗୁ ଏହା ପୂର୍ବରୁ ଦଶହରା ଏବଂ ଅନେକ ପର୍ବପର୍ବାଣିକୁ ବନ୍ଦ କରାଯାଇଛି, ଯାହା ନିଶ୍ଚିତ ଭାବେ ସ୍ୱାଗତ ଯୋଗ୍ୟ । ଏହି ପରିପ୍ଳେକ୍ଷୀରୁ ବିଚାର କଲେ ଆମେ ସେହି ବାଣିକୁ ପୁଣିଥରେ ଦୋହରାଇବା, ‘ଯାହା ହେଉଛି ଭଲ ହେଉଛି, ଯାହା ହୋଇଥିଲା ଭଲ ହୋଇଥିଲା’ ଏବଂ ଯାହା ହେବ ଭଲ ହେବ । ଏ ପ୍ରକାର ସକରାତ୍ମକ ଚିନ୍ତାଧାରା ସହିତ ଯଦି ଆମ ଦେଶ ଓ ରାଜ୍ୟ ଆଗକୁ ନବଢ଼ନ୍ତି, ତେବେ ପରସ୍ଥିତି ଆହୁରି ଭୟଙ୍କର ହେବାସହିତ ସଂକ୍ରମଣର ଲହର ଦ୍ୱିତୀୟ ବାର ଆସିବା ମଧ୍ୟ ଆଦୌ ଅସ୍ୱାଭାବିକ ନୁହେଁ ।

Comments (0)
Add Comment