ଏ’ କଥା ଆମେ କହୁନାହୁଁ । ଏହା ହେଉଛି ଶ୍ରୀମଦ୍ ଭଗବତ୍ ଗୀତାର ପବିତ୍ର ବାଣି । ଗୀତାରେ ଉଲ୍ଲେଖ ଅଛି, ଯାହା ହୋଉଛି, ଭଲ ହୋଇଛି । ଯାହା ହେଲା, ଭଲ ହେଲା । ଯାହା ହେବ, ଭଲ ହେବ । ଏହା ହେଉଛି ପବିତ୍ର ନୀତିବାଣୀ । ଏହାର ମର୍ମାର୍ଥ ହେଉଛି, ସୃଷ୍ଟିରେ ଏଭଳି କୌଣସି କାର୍ଯ୍ୟ ନାହିଁ, ଯାହା ଭଗବତ ସତା ବା ଐଶ୍ୱରିକ ଶକ୍ତିର ନିୟନ୍ତ୍ରଣ ବାହାରେ । ସମସ୍ତ ପ୍ରକାର କାର୍ଯ୍ୟରେ କିଛିନା କିଛି ମହତ୍ ଲକ୍ଷ୍ୟ ଲୁଚିରହିଥାଏ । ଅନୁକୂଳ ପରିବେଶ ମଧ୍ୟରେ ଏହାର ପରିପ୍ରକାଶ ଘଟିଥାଏ । ତେଣୁ ସ୍ଥାନ କାଳ ପାତ୍ର ଯାହାଥାଉ ପଛେ ଏବଂ ଯେପରି ହେଉପଛେ, ମହତ୍ ଉଦେଶ୍ୟ ସଦାସବଦା ମିଠାଫଳ ପ୍ରଦାନ କରିଥାଏ । ତେବେ ଏଠାରେ ଆମେ ଏହା କହିବାର ଅର୍ଥହେଲା ଯେ, ୧୯୬୦ରେ ଭାରତ-ଚୀନ୍ ଯୁଦ୍ଧପରେ ଶାନ୍ତିରକ୍ଷା ଓ ଅନୁପ୍ରବେଶ ରୋକିବା ଲାଗି ଯେଉଁ ବ୍ୟବସ୍ଥା ସୀମାନ୍ତରେ ଗ୍ରହଣ କରାଯାଇଥିଲା, ସେଥରୁ ଚାଇନା ଓହରି ନାହିଁ ବୋଲି ଗୋଟିଏ ପଟେ ବାରମ୍ବାର କହିଆସୁଥିଲେ ହେଁ ବାସ୍ତବରେ ଏହାର ଲକ୍ଷ୍ୟ ନିଜସ୍ୱ ସ୍ୱାର୍ଥ ବିଜଡିତ । ସେଥିଯୋଗୁ ଭାରତର ସମଗ୍ର ଅକ୍ସାଇ ଚୀନ୍ ଅଂଚଳକୁ ଦୀର୍ଘ ୬୦ ବର୍ଷଧରି ମାଡିବସିଥିବା ଚୀନ୍ ପ୍ରାୟ ପ୍ରତି ଦିନ ଭାରତର କିଛିନା କିଛି ଜାଗା ମାଡିବସିବାରେ ବ୍ୟସ୍ତ । ତା’ ସତ୍ୱେ ଭାରତୀୟ ସୈନ୍ୟମାନେ ସମସ୍ତ ପ୍ରକାର ସଂଜମତା ରକ୍ଷା କରିଆସୁଥିଲା ବେଳେ ଚୀନ୍ ପକ୍ଷରୁ ବେଳେବେଳେ ସୈନ୍ୟମାନେ ଅଧିକ ହିଂସାର ସାହାଯ୍ୟ ନେଇ ଭାରତର ଆଉ କେତେକ ଅଂଚଳ ଦଖଲ ଲକ୍ଷ୍ୟରେ ରହିଛନ୍ତି । ସେପରି ସ୍ଥଳେ ପୂଣି ଥରେ ପ୍ୟାନଗଙ୍ଗ ହ୍ରଦନିକଟରେ ବ୍ଲାକ୍ଟପ୍କୁ ଭାରତୀୟ ସୈନା ନିଜ କବଜାକୁ ନେଇଥିବାରୁ ଚୀନ୍ ସେଠାରେ ଏବେ ଯୁଦ୍ଧାସ୍ତ୍ର ଓ ସୈନ୍ୟ ଠୁଳ କରିଛି । ତତ୍ ସହିତ ଭାରତୀୟ ସୈନ୍ୟ ଚୀନ୍ ଜାଗାକୁ ମାଡିଆସୁଥିବାର ମିଥ୍ୟା ଅଭିଯୋଗ ବେଜିଂ ସ୍ଥିତ ସରକାରୀ ଖବର କାଗଜ ଗ୍ଲୋବାଲ ଟାଇମ୍ସରେ ପ୍ରକାଶ ପାଇଛି । ଏପରିକି ଅଧିକ ଉତେଜନା ଭାରତ ସୃଷ୍ଟି କରୁଥିବା ଅଭିଯୋଗ କରାଯାଉଛି । ତେବେ ଯାହା ୧୯୬୦ ପରଠାରୁ କେବେ ହେଲେ ଥରଟେ ପାଇଁ ଭାରତୀୟ ସେନା କରିନଥିଲେ, ତାହା ଯଦି ଘଟିଥାଏ ତେବେ କହିବାକୁ ପଡିବ ଯେ ‘ଯାହା ହେଲା ଭଲ ହେଲା’ ।