ରାଜ୍ୟପାଳଙ୍କୁ ନେଇ ବିବାଦ

ଆମ ଦେଶରେ ରାଜ୍ୟପାଳଙ୍କୁ ନେଇ ବିବାଦ କିଛି ନୂଆ ନୁହେଁ । ରାଜ୍ୟପାଳଙ୍କ ଭୂମିକା ଓ ଆଚରଣ ବିଭିନ୍ନ ସମୟରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏବେ ମହାରାଷ୍ଟ୍ରର ରାଜ୍ୟପାଳ ଭଗତ ସିଂହ କୋଶିୟାରୀଙ୍କ ଆଚରଣ ଓ ଉଚ୍ଚାରଣ କେବଳ ବିବାଦ ସୃଷ୍ଟି କରି ନାହିଁ । ରାଜ୍ୟପାଳ ମର୍ଯ୍ୟାଦାକୁ ନ୍ୟୁନ କରିଦେଇଛି ବୋଲି ନିସନ୍ଦେହରେ କୁହାଯାଇପାରିବ ମହାରାଷ୍ଟ୍ରରେ ଧର୍ମାନୁଷ୍ଠାନ ଖୋଲିବା ନେଇ ରାଜ୍ୟପାଳ କୋଶିୟାରୀ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ନିକଟକୁ ଯେଉଁ ପତ୍ର ଲେଖିଛନ୍ତି , ଚିଠିର ଭାଷା କେବଳ ଅଶାଳୀନ ନୁହେଁ , ଜଣେ ସରକାରୀ ମୁଖ୍ୟଙ୍କ ପ୍ରତି ବିଦ୍ରୁପକାରୀ ମଧ୍ୟ । ମୁଖ୍ୟମନ୍ତ୍ରୀଙ୍କ ଆଚରଣ ଓ ଧର୍ମନିରପେକ୍ଷତାକୁ ରାଜ୍ୟପାଳ ତାଙ୍କ ଚିଠିରେ ଉପହାସ କରି ପ୍ରଶ୍ନ ଉଠାଇଛନ୍ତି । ଉଲ୍ଲେଖଯୋଗ୍ୟ ଯେ , କରୋନା ଭୂତାଣୁ ସଂକ୍ରମଣ ମୁକାବିଲା ପାଇଁ ଲକଡାଉନ ସମୟରୁ ଦେଶରେ ବନ୍ଦ ଥିବା ଧର୍ମାନୁଷ୍ଠାନଗୁଡିକୁ ଖୋଲିବା ପାଇଁ କେନ୍ଦ୍ର ସରକାର ଅନଲକ ୩ରେ ଅନୁମତି ଦେଇଥିବା ବେଳେ ଖୋଲିବା ନିଷ୍ପତି ରାଜ୍ୟ ସରକାରଙ୍କ ଉପରେ ଛାଡିଦେଇଛନ୍ତି । ଅର୍ଥାତ ଧର୍ମାନୁଷ୍ଠାନ ଖୋଲିବା ନେଇ ରାଜ୍ୟ ସରକାର ଚୂଡାନ୍ତ ନିଷ୍ପତି ନେବେ । ଏହା ସତ୍ୟ ଯେ, ଦେଶରେ ମହାରାଷ୍ଟ୍ର ହେଉଛି ସର୍ବାଧିକ କରୋନା ପ୍ରଭାବିତ ରାଜ୍ୟ । ଯେଉଁଠି ଦେଶର ଅନ୍ୟ ରାଜ୍ୟ ତୁଳନାରେ ସର୍ବାଧିକ ଲୋକ ଅକ୍ରାନ୍ତ ହେଉଥିବା ବେଳେ ମୃତକ ସଂଖ୍ୟା ମଧ୍ୟ ସର୍ବାଧିକ । ଏଥିପାଇଁ ଧର୍ମାନୁଷ୍ଠାନ ଖୋଲିବାକୁ ରାଜ୍ୟ ସରକାର ଅନୁମତି ଦେଇ ନଥିବା ବେଳେ ରାଜ୍ୟପାଳ ଧର୍ମାନୁଷ୍ଠାନ ନ ଖୋଲିବା ନେଇ ପ୍ରଶ୍ନ ଉଠାଇଥିବା ବେଳେ ଆପଣ କେବେ ଧର୍ମନିରପେକ୍ଷ ହୋଇଗଲେ ବୋଲି ପଚାରିଛନ୍ତି । ଏଭଳି ପତ୍ର କେବଳ ଜଣେ ମୁଖ୍ୟମନ୍ତ୍ରୀଙ୍କ ପ୍ରତି ବିଦ୍ରୁପ ନୁହେଁ । ରାଜ୍ୟର ସର୍ବାଧିକ ମୁଖ୍ୟମନ୍ତ୍ରୀଙ୍କ ସମ୍ବିଧାନ ପ୍ରତି ହେଜ୍ଞାନ, ଅସମ୍ମାନ ବୋଲି କହିଲେ ହୁଏତ ଅତୁ୍ୟକ୍ତି ହେବନି । ରାଜ୍ୟପାଳ ଶପଥ ଗ୍ରହଣ କରିବା ବେଳେ । ସମ୍ବିଧାନର ମର୍ଯ୍ୟାଦାକୁ ଅକ୍ଷୁର୍ଣ୍ଣ ରଖିବା ସହ କୌଣସି ଗୋଷ୍ଠୀ , ଧର୍ମ, ସଂପ୍ରଦାୟ ପ୍ରତି ଅନୁଙ୍କପା ପ୍ରଦର୍ଶନ କରିବେ ବୋଲି ଭଗବାନଙ୍କ ନାମରେ ଶପଥ ନେଇଥାନ୍ତି । କୋଶିୟାରୀଙ୍କୁ ତାଙ୍କୁ ଶପଥ ପାଠ ମନେ ରଖିବାକୁ ହେବ । ଏହା ସତ୍ୟ ଯେ, କୋଶିୟାରୀ ରାଜ୍ୟପାଳ ଭାବେ ନିଯୁକ୍ତି ପାଇବା ପୂର୍ବରୁ ବିଜେପିର ଜଣେ ନେତା ଥିଲେ । ଯେକି ରାଷ୍ଟ୍ରିୟ ସ୍ୱୟଂ ସେବନ ସଂଘ ଓ ବିଦେଶି ଆଦର୍ଶରେ ଅନୁପ୍ରାଣିତ । ଏବେ ଚିଠିରେ ସେ ଯେଉଁ ଉଚ୍ଚାରଣ ଓ ଆଚରଣ ପ୍ରଦର୍ଶନ କରିଛନ୍ତି । ତାହା ତାଙ୍କର ପୂର୍ବ ଅବତାରକୁ ମନେପକାଇ ଦେଇଛି ବୋଲି କୁହାଯାଇପାରେ ।କେବଳ ଏତିକି ନୁହେଁ , ଗତ ୨୦୧୯ ମସିହାଳ ସେପ୍ଟେମ୍ବର ୫ତାରିଖରେ ମହାରାଷ୍ଟ୍ରରେ ରାଜ୍ୟପାଳ ଭାବେ ନିଯୁକ୍ତି ହେବା ପରଠାରୁ ବିବାଦ ତାଙ୍କ ପିଛା ଛାଡି ନାହିଁ । ଗତ ନଭେମ୍ବରରେ ସରକାର ଗଠନକୁ ନେଇ ରାଜଭବନ ବିବାଦୀୟ ହୋଇଥିଲା ।ରାଜ୍ୟପାଳଙ୍କ କର୍ତବ୍ୟ , ଦାୟିତ୍ୱ ବିବାଦୀୟ ହୋଇପଡିଥିଲା । ଏବେ ମୁଖ୍ୟମନ୍ତ୍ରୀଙ୍କୁ ବ୍ୟଙ୍ଗ ବିଦ୍ରୁପ କରି ପୁଣି ବିବାଦୀୟ ହୋଇପଡିଛନ୍ତି ।ରାଜ୍ୟପାଳଙ୍କୁ ମୁଖ୍ୟମନ୍ତ୍ରୀ ଠାକରେ ମଧ୍ୟ ଚିଠିର ଉତରରେ କଡା ଯବାବ ଦେଇଛନ୍ତି । ଫଳସ୍ୱରୁପ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ସମ୍ପର୍କ ଏବେ ନିମ୍ନସ୍ତରରେ ପହଂଚିଛି । ରାଜ୍ୟର ବିକାଶ ତଥା ସୁଶାସନ ପାଇଁ ରାଜ୍ୟର ସମ୍ବିଧାନିକ ମୁଖ୍ୟ ଏବଂ ସରକାରୀ ମୁଖ୍ୟ ମୁଖ୍ୟଙ୍କ ମଧ୍ୟରେ ସୁସଂପର୍କ ବାଂଛନୀୟ । କହିବା ବାହୁଲ୍ୟ ଯେ , ରାଜ୍ୟପାଳ ଏକ ସମ୍ବିଧାନିକ ପଦବୀ , ରାଜ୍ୟ ପ୍ରଶାସନରେ ତାଙ୍କର ହସ୍ତକ୍ଷେପ କରିବାର ଅଧିକାର ନାହିଁ ।ଯାହାକି ସମ୍ବିଧାନରେ ସ୍ପଷ୍ଟ ନିର୍ଦେଶ ରହିଛି । ଏବେ ରାଜ୍ୟପାଳଙ୍କୁ ହଟାଇବା ଲାଗି ଦାବି ଯୋର ଧରିଲାଣି । ଏଭଳି ଏକ ପରିସ୍ଥିତିରେ କେନ୍ଦ୍ର ସରକାର ରାଜ୍ୟପାଳ ପଦବୀର ପରିମାଣକୁ ବଜାୟ ରଖିବାକୁ କେନ୍ଦ୍ର ସରକାର କି ପଦକ୍ଷେପ ନେବେ , ଦେଶବାସୀ ଅପେକ୍ଷା କରିବା ସ୍ୱଭାବିକ । ଉଲ୍ଲେଖଯୋଗ୍ୟ ଯେ, ମହାରାଷ୍ଟ୍ରର ରାଜ୍ୟପାଳ କୋଶିୟାରୀ ଏବଂ ପଶ୍ଚିମବଙ୍ଗର ରାଜ୍ୟପାଳ ଜଗଦୀପ ଧନକର ମୁଖ୍ୟମନ୍ତ୍ରୀ ଙ୍କ ସହ ମୁହାଁମୁହିଁ ହେବା ଏକ ନିତି ଦିନିଆ ଘଟଣାରେ ପରିଣତ ହୋଇଛି , ପଶ୍ଚିମବଙ୍ଗରେ ରାଜ୍ୟପାଳ-ମୁଖ୍ୟମନ୍ତ୍ରୀ ଙ୍କ ମଧ୍ୟରେ ଅପେକ୍ଷା ପ୍ରତି ଅପେକ୍ଷା , ଅଭିଯୋଗ ପ୍ରତି ଅଭିଯୋଗ ପ୍ରତିଦିନ ଗଣମାଧ୍ୟମରେ ମୁଖ୍ୟ ରୋଚକ ହେବାରେ ଲାଗିଛି । ଏହା କେବଳ ରାଜ୍ୟସାଶନରେ ପ୍ରତିବନ୍ଧକ ସୃଷ୍ଟି କରିନାହିଁ ରାଜ୍ୟପାଳ ପଦବିକୁ ହାସ୍ୟାସ୍ପଦ କରିବା ସହ ବିଶୃଙ୍ଖଳା ସୃଷ୍ଟିର କାରଣ ହୋଇଛି ବୋଲି କୁହାଯାଇପାରେ । ଏପରି କ୍ଷେତ୍ରରେ କେନ୍ଦ୍ର ସରକାର ନିରବ ରହିବା ଉଚିତ ନୁହେଁ ।

Comments (0)
Add Comment