ଗଣତନ୍ତ୍ରର ପବିତ୍ର ମନ୍ଦିର ପାର୍ଲିଆମେଂଟର ଅପର ହାଉସ ଭାବେ ପରିଚିତ ରାଜ୍ୟସଭାରେ କୃଷିବିଲକୁ ନେଇ ଯେଉଁ ଭଳି ହଙ୍ଗମା, ହଟ୍ଟଗୋଳ, ଅଭବନୀୟ ଘଟଣା ରବିବାର ଦିନ ଘଟିଲା, ତାହା ନିଶ୍ଚିତ ଭାବେ ଗୃହର ଗାରିମା ଏବଂ ମାନ୍ୟବର ସଦସ୍ୟମାନଙ୍କ କାର୍ଯ୍ୟ ହାନୀ କରିଛି । ସେହିପରି ରାଜ୍ୟସଭାର ଇତିହାସରେ ଏହା କଳଙ୍କିତ ଘଟଣା ବୋଲି କୁହାଯାଇପାରିବ । ଗୃହରେ ବିଶୃଙ୍ଖଳିତ ଆଚରଣ ପ୍ରଦର୍ଶନ ପାଇଁ ବିରୋଧି ସଦସ୍ୟମାନଙ୍କ ପ୍ରତିବାଦ ସତ୍ୱେ ଗୃହର ପ୍ରସ୍ତାବ କ୍ରମେ ଅଧ୍ୟକ୍ଷ ୮ ଜଣ ସଦସ୍ୟଙ୍କୁ ସପ୍ତାହକ ପାଇଁ ନିଲମ୍ବନ କରିଛନ୍ତି । ମାତ୍ର ଅଧ୍ୟକ୍ଷଙ୍କ ନିଷ୍ପତିକୁ ଅମାନ୍ୟ କରି ନିଲମ୍ବିତ ସଦସ୍ୟମାନେ ଗୃହରେ ଦିନତମାମ ବସି ରହିଥିବା କୁହାଯାଇଛି । ଗଣତନ୍ତ୍ର ପ୍ରତି ଏହା ଉପହାସ ବ୍ୟତୀତ ଅନ୍ୟକିଛି ନୁହେଁ କହିଲେ ଭୁଲ ହେବ ନାହିଁ ।
ଗତ ବରିବାର ଦିନ ରାଜ୍ୟସଭାରେ କୃଷି ଉତ୍ପାଦନ ବ୍ୟାପାର ଓ ବାଣିଜ୍ୟ ବିଲ-୨୦୨୦, କୃଷି (ସଶକ୍ତି କରଣ ଓ ସୁରକ୍ଷା) ମୂଲ୍ୟ ପ୍ରତିଶ୍ରୁତି ରାଜିନାମା ଏବଂ ଚାଷ ସେବା ବିଲ-୨୦୨୦ ଗୃହୀତ ହୋଇଛି । ପାର୍ଲିଆମେଂଟ ହେଉଛି ଆଇନ ପ୍ରଣୟନର କ୍ଷେତ୍ର, ଏଥିରେ ଦ୍ୱିମତ ହେବାର ନାହିଁ । ସେହି ପରି କୃଷି ଓ କୃଷକର ବିକାଶ ଲାଗି ନୂତନ ଆଇନ ପ୍ରଣୟନ ସର୍ବଦାା ସ୍ୱାଗତ ଯୋଗ୍ୟ । ନୂତନ ଆଇନ ପ୍ରଣୟନ କ୍ଷେତ୍ରରେ ସଂସଦୀୟ ଗଣତନ୍ତ୍ରରେ ସ୍ୱତନ୍ତ୍ର ପ୍ରକ୍ରୀୟା ବା ପଦ୍ଧତି ରହିଛି । ଗତ ରବିବାର ଦିନ ଦୁଇଟି କୃଷି ବିଲ୍ ଗୃହୀତ କରାଇବା ବେଳେ ସଂସଦୀୟ ଗଣତନ୍ତ୍ରୀକ ବ୍ୟବସ୍ଥାକୁ ଯଥାର୍ଥ ଭାବେ ଅନୁସରଣ କରିବା ନେଇ ସଂଶୟ ଜାତ ହୋଇଛି । ସଂସଦୀୟ ଗଣତନ୍ତ୍ରୀକ ବ୍ୟବସ୍ଥାକୁ ଅଣଦେଖା କରାଯାଇଥିବା କହିଲେ ହୁଏତ ଭୁଲ ହୋଇ ନ ପାରେ । କହିବା ବାହୁଲ୍ୟ ଯେ, ବିଲ୍ ଦୁଇଟି ଆଣିବା ପୂର୍ବରୁ ସରକାର ଜାରି କରିଥିବା ଅଧ୍ୟାଦେଶାକୁ ବିରୋଧ କରି ପଞ୍ଜାବ ଓ ହରିଆନାରେ ଚାଷୀ ଆନେ୍ଦାଳନ ମୁଣ୍ଡ ଟେକିଛି । କେବଳ ଏତିକି ନୁହେଁ, ଲୋକସଭାରେ ବିଲ୍ ଗୃହୀତ କରିବାକୁ ବିରୋଧ କରି ବିଜେପିର ସର୍ବ ପୁରତନ ବନ୍ଧୁ ତଥା ଏନଡିଏର ପ୍ରମୁଖ ଅଂଶୀଦାରି ଶିରୋମଣୀ ଅକାଳୀ ଦଳର ଜଣେ ମନ୍ତ୍ରୀ କେନ୍ଦ୍ର କ୍ୟାବିନେଟରୁ ଇସ୍ତଫା ଦେଇଛନ୍ତି । କୃଷି ବିଲ୍ ସଂପୂର୍ଣ୍ଣ କୃଷକ ବିରୋଧ ଏବଂ କୃଷକର ସ୍ୱାର୍ଥହାନୀକାରୀ ବୋଲି ଦର୍ଶାଇ ଶିରୋମଣି ଅକାଳୀ ଦଳ କେନ୍ଦ୍ର ମନ୍ତ୍ରିମଣ୍ଡଳରୁ ଇସ୍ତଫାଦେଇ ଥିବା ବେଳେ ଅନ୍ୟପଟେ ଦେଶର କୃଷି ପ୍ରାଧାନ୍ୟ ରାଜ୍ୟ ଭାବେ ପରିଚିତ ପଞ୍ଜାବ ଓ ହରିଆନାରେ ଚାଷୀମାନେ ରାଜରାସ୍ତାକୁ ଓଲାଇଛନ୍ତି । ତେଣୁ ବିଲ୍ ଦୁଇଟିରେ କେଉଁଠି ନାଁ କେଉଁଠି ତୃଟି ଅବା ସଂଦେହ ସୃଷ୍ଟି ହେବା ସ୍ୱାଭାବିକ । ଲୋକସଭାରେ ଶାସକ ଦଳ ପୂର୍ଣ୍ଣ ବହୁମତ ଅବାରୁ କୃଷି ବିଲ୍ ଦୁଇଟି ବିନା ବାଧାରେ ଅନୁମୋଦିତ ହୋଇଯାଇଥିଲା । ମାତ୍ର ରାଜ୍ୟସଭାରେ ଶାସନ ଦଳର ସେଭଳି ସ୍ଥିତି ନ ଥିଲା । ଗୋଟିଏ ପଟେ ଚାଷୀ ସଂଗଠନ ଓ ଅନ୍ୟ ପଟେ ସରକାରୀ ଦଳର ଏକ ଅଂଶୀଦାର ଦଳ ବିରୋଧ କରୁଥିବାରୁ ବିରୋଧ ଦଳ ବିରୋଧ କରିବା ସ୍ୱାଭାବିକ । ବିଲ୍କୁ ସିଲେକ୍ଟ କମିଟିକୁ ପଠାଇବା ପାଇଁ ବିରୋଧ ଦଳ ଆଗ୍ରହୀ ଥିବା ବେଳେ ସରକାର ଆଗ୍ରାହ୍ୟ କରିଥିଲେ । ଆହୁରି ମଧ୍ୟ ଅଧିବେଶନ କରୋନା କଟକଣା ଯୋଗୁଁ ସଂକ୍ଷିପ୍ତ ହବାରୁ ଗୃହୀତ କରାଇବା ପାଇଁ ସରକାର ତତ୍ପର ହୋଇପଡ଼ିଥିଲେ । ସିଲେକ୍ଟ କମିଟିରେ ବିଲ୍ ଉପରେ ଅଧିକ ତର୍ଜମା, ପରୀକ୍ଷା ନିରୀକ୍ଷା ସହ ସଂଶୋଧନ କରାଯାଇ ପାରିଥାନ୍ତା । ସେହିପରି ଗୃହରେ ଅଧିକ ଆଲୋଚନା ପାଇଁ ସରକାର ପଦକ୍ଷେପ ଗ୍ରହଣ କରିପାରିଥାନ୍ତେ । ଆହୁରି ମଧ୍ୟ ଆଲୋଚନା ଡିଭିଜନ ଭୋଟ ବ୍ୟବସ୍ଥା ମଧ୍ୟ ସଂସଦୀୟ ଗଣତନ୍ତ୍ରରେ ରହିଛି । ଏଥିରୁ ଗୋଟିଏ ହେଲେ ଅନୁସରଣ କରାଯାଇନାହିଁ । ଅଧିବେଶନ ଶେଷ ହେବାରୁ ଯାଉଥିବାରୁ ସରକାର ବିଲ୍କୁ ଗୃହୀତ କରାଇବା ପାଇଁ ଅତ୍ୟନ୍ତ ତରବରିଆ ଥିଲେ ବୋଲି କୁହାଯାଇପାରେ । ବିଲ୍ ଉପରେ ଡିଭିଜନ ଭୋଟପରେ ବାଚନିକ ଭୋଟ ନିଆଯାଇଥିଲା । ଗୋଟିଏ ପଟେ ସରକାରଙ୍କର ଘଂଟା ଓ ଅନ୍ୟ ପଟେ ସଂଖ୍ୟା ଉପରେ ଦୃଷ୍ଟିଥିଲା ବୋଲି କହିଲେ ଭୁଲ ହୋଇ ନ ପାରେ । ଗୃହରେ ଶାସନ ଦଳର ସଂଖ୍ୟାଗରିଷ୍ଠତା ନ ଥିବା ସତ୍ୱେ ବାଚନିକ ଭୋଟରେ ଗୃହୀତ ହେବା ଘୋଷଣା ବିରୋଧି ଦଳକୁ କ୍ଷୁବ୍ଧ କରିବା ସ୍ୱାଭାବିକ । ଉତ୍କ୍ଷିପ୍ତ ବିରୋଧ ଦଳର ସଦସ୍ୟମାନେ ମାଇକ ଭାଙ୍ଗିବା, ଅଧ୍ୟକ୍ଷଙ୍କ ପୋଡିୟମ ଉପରେ ଚଢ଼ିବା, ଆଇନ ପୁସ୍ତିକା ଚିରିବା ଆଦି ଘଟଣା ଘଟିଛି । ଯାହାକି ଆଦୌ ଶୋଭନୀୟ କିମ୍ବା ଗ୍ରହଣୀୟ ନୁହେଁ । ରାଜ୍ୟସଭାରେ ଏଭଳି ଘଟଣା ସଂସଦୀୟ ଗଣତନ୍ତ୍ର ପାଇଁ ଶୁଭଙ୍କର ନୁହେଁ । ରବିବାର ଦିନ ଏଭଳି ଘଟଣା ପାଇଁ କେବଳ ବିରୋଧଦଳକୁ ଏକାକୀ ଦାୟୀ କରାଯାଇ ପାରିବ ନାହିଁ । ସରକାର ଯେଉଁ ଭଳି ଭାବେ ବିଲ୍କୁ ଗୃହୀତ କରାଇଳେ, ତାହା ମଧ୍ୟ ସଂସଦୀୟ ଗଣତନ୍ତ୍ରରେର ଏକ କଳଙ୍କିତ ଅଧ୍ୟାୟ ବୋଲି କହିଲେ ଭୁଲ ହୋଇ ନ ପାରେ । ଭାରତୀୟ ସଂସଦୀୟ ଗଣତନ୍ତ୍ର ପ୍ରତି ଏହା ଉପହାସ ବ୍ୟତୀତ ଅନ୍ୟ କିଛି ନୁହେଁ । କେବଳ ସଦସ୍ୟମାନଙ୍କୁ ନିଲମ୍ବିତ କରିଦେଲେ, ସମସ୍ୟାର ସମାଧାନ ହୋଇଯିବ ନାହିଁ । ଗୃହରେ ତଥା ସଂସଦୀୟ ଗଣତନ୍ତ୍ରୀକ ମୂଲ୍ୟ ବୋଧକୁ ଅକ୍ଷୁର୍ଣ୍ଣ ରଖିବା ପାଇଁ ସଂକଳ୍ପ ନେବାର ସମୟ ଏବେ ଆସିଛି ।