ବିଶ୍ୱ ସ୍ୱାସ୍ଥ ପ୍ରତିଷ୍ଠାନ (ଡବ୍ଲ୍ୟୁଏଚ୍ଓ) ୪୮ ଘଂଟା ପୂର୍ବରୁ ଏକ ବିବୃତିରେ ସୂଚାଇଦେଇଛନ୍ତି ଯେ କରୋନା ଲାଗି ଯେଉଁ ସବୁ ଟିକା କେତେଗୁଡିଏ କମ୍ପାନି ପକ୍ଷରୁ ପ୍ରସ୍ତୁତ କରାଯାଉଛି, ସେଗୁଡ଼ିକ ଚଳିତ ବର୍ଷ ସରିବାକୁ ଆଉ ମାତ୍ର ୩ ମାସ ବାକିଥିଲା ବେଳେ ଶତପ୍ରତିଶତ ସଫଳତା ଲାଭ କରିବା ତ’ ଦୁରର କଥା, ୫୦ ପ୍ରତିଶତ ସଫଳତା ମଧ୍ୟ ପାଇନାହାନ୍ତି । ଏପରି ଏକ ବିବୃତି ଯଦି ଉପରୋକ୍ତ ସ୍ୱାସ୍ଥ୍ୟ ପ୍ରତିଷ୍ଠାନର ଅନ୍ୟତମ ପ୍ରବକ୍ତା ଏମ ହାରିସ୍ଙ୍କ ଠାରୁ ଶୁଣିବାକୁ ମିଳେ, ତେବେ ଏହା ସାରା ଦୁନିଆ ପାଇଁ ଏକ ଦୁର୍ଭାଗ୍ୟଜନକ ଘଟଣା ବୋଲି କୁହାଯାଇପାରେ । ହାରିସ୍ଙ୍କ ବିବୃତିର ବିଲ୍କୁଲ୍ ବିପରିତ ବିବୃତି ଆମେରିକାର ହେଲଥ ସେଂଟର ଫର ଡିଜିଜ କଂଟ୍ରୋଲ ଆଣ୍ଡ ପ୍ରୋବେସନ ଜନସ୍ୱାସ୍ଥ୍ୟ ଏଜେନ୍ସି ପକ୍ଷରୁ ପ୍ରକାଶ କରାଯାଇଛି । ଚଳିତ ବର୍ଷ ଅକ୍ଟୋବର ବା ନଭେମ୍ବର ସୁଦ୍ଧା କରୋନା ଟିକା ପ୍ରସ୍ତୁତ ହୋଇଯିବ ବୋଲି ଆମେରିକା ଆଶା ରଖିଥିବା ସହ ଏଷ୍ଟ୍ରାଜେନେକା ଦ୍ୱାରା ପ୍ରସ୍ତୁତ କରୋନା ଟିକା ପରୀକ୍ଷଣ ଶେଷ ପ୍ରର୍ଯ୍ୟୟରେ ପହଂଚିଥିବା କୁହାଯାଉଛି । ତୃତୀୟ ସ୍ତରର ପରୀକ୍ଷଣ ବେଳେ ୮୦ଟି ସ୍ଥାନରେ ୩୦ ହଜାର ସ୍ୱସ୍ଥା ସେବିକୁ ଏହି ଟିକା ଦିଆଯାଇଥିବା ପ୍ରକାଶ । କିନ୍ତୁ ଜାତିସଂଘର ପକ୍ଷରୁ ‘ହୁ’ ପ୍ରକାଶ କରିଛି ଯେ କୌଣସି ଟିକା ସମ୍ପୁନ୍ନ ସଫଳତା ହାସଳ କରିପାରି ନାହିଁ । ଏପରି ଏକ ଅବସ୍ଥାରେ ଚଳିତ ବର୍ଷ ନଭେମ୍ବର ଓ ଡିସେମ୍ବର ସୁଦ୍ଧା ଗଣ ଟିକା କରଣ ହେବା ଅସମ୍ଭବ ଏପରିକି ୨୦୨୧ ଅଗଷ୍ଟ ପୂର୍ବରୁ ସମସ୍ତଙ୍କ ପାଇଁ ଟିକା ପ୍ରସ୍ତୁତ ହେବା ଅସମ୍ଭବ ବୋଲି ଡବ୍ଲ୍ୟୁଏଚଓର ମାର୍ଗାରେଟ ହାରିସ୍ କହିଛନ୍ତି । ରୁଷିୟାରେ ପ୍ରସ୍ତୁତ ହୋଇଥିବା ଟିକା ଅଗଷ୍ଟ ୧୨ରେ ଲୋକାପିତ ହୋଇଥିଲା ବେଳେ ଦ୍ୱିତୀୟ ପର୍ଯ୍ୟୟ ପରୀକ୍ଷଣ ସରିନଥିଲା । ତେଣୁ ରୁଷ ଟିକା ବଜାରକୁ ଆସିବା ୨୦୨୧ ସୁଦ୍ଧା ଆସିବା ଅସମ୍ଭବ ବୋଲି ମନେକରାଯାଉଛି । ଟିକା ନଆସିବାର ପର୍ଯ୍ୟନ୍ତ କୋଭିଡ-୧୯ ମହାମାରୀ ସାରା ବିଶ୍ୱ ପାଇଁ ଘାତକ ତୁଲ୍ୟ କାର୍ଯ୍ୟକରିବା ସ୍ୱାଭାବିକ । ତେବେ ଆଗାମୀ ସମୟ ହିଁ କହିବ, କୋଭିଡ ଟିକା କେବେ ସଫଳ ହେବା ସହିତ ବିଶ୍ୱକୁ ମହାମାରୀରୁ ମୁକ୍ତ କରାଯାଇପାରିବ ।