ସମୟ ସଦାସର୍ବଦା ମୂଲ୍ୟବାନ ଓ ବଳବାନ । ଯେ ଯେତିକି ସମୟକୈନ୍ଦ୍ରିକ, ସେ ସେତିକି କର୍ମଠ, ବଳଶାଳି ଓ ଅଧିକ ଉତ୍ପାଦନକ୍ଷମ । ଏହି ଉତ୍ପାଦନ ବସ୍ତୁ ଜଗତର ଦ୍ରବ୍ୟଗୁଣ ଥିବା ଖାଦ୍ୟ, ପେୟ, ପୋଷାକ, ଗୃହ, ଅଳଙ୍କାର ଆଦି ଯାହା କିଛି ଦୈନନ୍ଦିନ ଆବଶ୍ୟକ, ତାହା ସଂଗ୍ରହ କରିବାରେ ସମର୍ଥ ହୋଇଥାଏ । ଏହା ପଛରେ ସମୟର ଭୁମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏତଦ୍ଭିନ୍ନ ବିଦ୍ୟାଗ୍ରହଣ ଓ ସାମାଜିକ ବ୍ୟବସ୍ଥାରେ ରୋଗୀ ଓ ଦୁର୍ବଳ ଶ୍ରେଣୀର ବ୍ୟକ୍ତିଙ୍କୁ ସାହାର୍ଯ୍ୟ କରିବା ଭଳି ମନୋବୃତି ମଧ୍ୟ ସେଇମାନଙ୍କ ପାଖରେ ଅଧିକ ଥାଏ, ଯେଉଁମାନେ ସମୟର ବିନିଯୋଗ ଠିକ୍ ଭାବେ କରିଥାନ୍ତି । ତେବେ ‘ନଈ କେ ବାଙ୍କ, ଦେଶକେ ଫାଙ୍କ’ ନୀତିରେ ପ୍ରତେକ ଦେଶର ସମୟ ବିନିଯୋଗ କ୍ଷେତ୍ରରେ ତରିକା ଅଲଗା ଅଲଗା । ଉଦାହରଣ ସ୍ୱରୁପ, ପାଶ୍ଚାତ୍ୟ ଦେଶ ଗୁଡ଼ିକରେ ଜଣେ ପୁରୁଷ ଯେତିକି କାମ କରିପାରେ, ଜଣେ ମହିଳା ମଧ୍ୟ ସେତିକି କାମ କରିପାରେ । ଏପରି ସ୍ଥଳ ବିଶେଷରେ ମହିଳାମାନେ ପୁରୁଷମାନଙ୍କ ଠାରୁ ଅଧିକ କାର୍ଯ୍ୟକ୍ଷମ ବୋଲି ବହୁ କ୍ଷେତ୍ରରେ ଅନୁଭବ କରାଯାଇଛି । ଅଥଚ, ପ୍ରାଚ୍ୟ ଜଗତରେ ପୁରୁଷମାନେ ସଦାସର୍ବଦା ମହିଲାମାନେ ପୁରୁଷମାନଙ୍କ ଠାରୁ ପାଦେ ପଛରେ ରହୁଥିବା କୁହାଯାଇଥାଏ । ଏପରିକି ଆମ ଦେଶ ଭାରତରେ ପ୍ରାୟ ଅନେକଙ୍କର ଏକ ବଦ୍ଧମୂଳ ଧାରଣା ରହିଛି ଯେ ପୁରୁଷମାନେ ସଦାବେଳେ ଆଗରେ ରହିବା ଓ ମହିଳାମାନେ ପଛରେ ରହିବା ସ୍ୱାଭାବିକ । କିନ୍ତୁ ନିକଟରେ ସୁପ୍ରିମକୋର୍ଟ ୬ ବର୍ଷର ତଳର ଏକ ଦୃର୍ଘଟଣା ଜନିତ ମାମଲା ବିଚାର କରିଥିଲା ବେଳେ ଗୃହିଣିମାନଙ୍କ ଉପରେ ଯେଉଁ ଟିପ୍ପଣୀ ଦେଇଛନ୍ତି ତାହା ଅତିବ ମୂଲ୍ୟବାନ । ଏକାଠି ଦୃର୍ଘଟଣା ବେଳେ ପତି ଓ ପତ୍ନୀ ପ୍ରାଣ ହରାଇଥିବାରୁ କ୍ଷତିପୁରଣ ବାବଦ ଯେଉଁ ନିଷ୍ପତି ବିମାକମ୍ପାନୀ ଦେବାକୁ କହିଥିଲେ, ତାହା ୧୧ଲକ୍ଷ ୨୦ ହଜାର ଟଙ୍କା ଥିବା ବେଳେ ସୁପ୍ରିମକୋର୍ଟ ଏହି ଅର୍ଥ ରାଶିକୁ ୩୩ ଲକ୍ଷ ୨୦ ହଜାର ଟଙ୍କାକୁ ବୃଦ୍ଧି କରାଇଛନ୍ତି । କେବଳ ସେତିକି ନୁହେଁ ବିଚାରପତି ରମନ୍ନା ଓ ବିଚାରପତି ସୂର୍ଯ୍ୟକାନ୍ତଙ୍କୁ ନେଇ ଗଠିତ ଖଣ୍ଡପୀଠ ଏସମ୍ପର୍କରେ ନିଜ ରାୟରେ ଉଲ୍ଲେଖ କରିଛନ୍ତି ଯେ, ସ୍ୱାମୀ ଚାକିରିଆ ବୋଲି ଅଧିକ ଓ ସ୍ତ୍ରୀ ବେରୋଜଗାରିଆ ବୋଲି କମ୍ କ୍ଷତିପୁରଣ ପାଇବା ଠିକ୍ ନୁହେଁ । ବର୍ଷେ ତଳେ ଏକ ସମ୍ବାଦପତ୍ରରେ ଦିଆଯାଇଥିବା ସୂଚନା ଅନୁଯାୟୀ ଜଣେ ପୁରୁଷ ଦୈନିକ ଘରର ଅନ୍ୟଲୋକଙ୍କ ପାଇଁ ମାଗଣାରେ ୯୭ ମିନିଟି ଦେଥିଲା ବେଳେ ଜଣେ ନାରୀ ନିଜ ଘରଲୋକଙ୍କ ପାଇଁ ବିନାମୂଲ୍ୟରେ ୨୯୯ ମିନିଟ୍ ଦେଇଥାଏ । ଜଣେ କର୍ମଜିବି ପୁରୁଷ ଘରେ ମାତ୍ର ୯୭ ମିନିଟ୍ ବିନିଯୋଗ କରିଥାଏ । ତେଣୁ ସ୍ତ୍ରୀଙ୍କ ସମୟ ଓ ଜୀବନ ସ୍ୱାମୀଙ୍କ ଠାରୁ କିଛି କମ୍ ନୁହେଁ । ଯଦି ଆମେ ଗ୍ରାମାଂଚଳକୁ ଦେଖୁ ତେବେ ସ୍ୱାମୀଙ୍କ ତୁଳନାରେ ସ୍ତ୍ରୀଙ୍କ ସମୟ ଓ ଜୀବନର ମୂଲ୍ୟ ଅତୁଳନୀୟ । ତେବେ ଆମର କହିବାର କଥା ହେଲା ଯେ, ଘରେ ଅହରହ ସମସ୍ତଙ୍କ ପାଇଁ ସେବା କରିବା ଓ ରୋଶେଇ, ଘର ପରିଷ୍କାର ଆଦି କାର୍ଯ୍ୟ ପ୍ରାୟତଃ ମହିଳାମାନେ କରିଥାନ୍ତି । ସେହି ଦୃଷ୍ଟି କୋଣରୁ ବିଚାର କଲେ, ମହିଳାମାନଙ୍କ କ୍ଷେତ୍ରରେ ଚାକିରି କରିବା ଏକ ଗୌଣ କାର୍ଯ୍ୟ । ବରଂ ଘର ଭିତରେ ବିନା ଅର୍ଥରେ ମାଗଣା ସେବା ପ୍ରଦାନ କରିବାରେ ମହିଳାମାନେ ମହିୟସୀ ହୋଇଥିବାରୁ ସେମାନେ ମଧ୍ୟ ଚାକିରିଆ ସ୍ୱାମୀଙ୍କ ଭଳି ମୃତ୍ୟୁ ପରେ କ୍ଷତିପୁରଣ ପାଇବା ଉଚିତ ।