ସାରା ବିଶ୍ୱ ଏବେ ମହାମାରୀ କରୋନା କବଳରେ । ଏଥିରୁ ଏଯାବଦ କୌଣସି ଦେଶ ବାଦ ପଡିନାହାନ୍ତି । ତାହା ଗଣତାନ୍ତ୍ରିକ ରାଷ୍ଟ୍ରହେଉ ଅଥବା ସାମ୍ୟବାଦୀ ରାଷ୍ଟ୍ର ହେଉ । ଗଣତାନ୍ତ୍ରିକ ବ୍ୟବସ୍ଥା ଯେଉଁ କେତୋଟି ପ୍ରମୁଖ ରାଷ୍ଟ୍ରରେ ଉତମ ରୂପେ ପରିଚାଳିତ, ତନ୍ନଧ୍ୟରେ ମୁଖ୍ୟତଃ ଆମେରିକା, ଭାରତ, ବ୍ରିଟେନ୍ ଓ ଫ୍ରାନ୍ସ ଆଦି ଅଗ୍ରଗଣ୍ୟ । ଆମ ଦେଶ ଭାରତରେ କରୋନା ମୃତ୍ୟୁ ସଂଖ୍ୟା ମୋଟ ୯୨ ଲକ୍ଷ ଟପିସାରିଲାଣି । ଏହି ପରିପ୍ରେକ୍ଷୀରୁ ବିଚାର କଲେ ସମ୍ପ୍ରତି ଜଣାପଡିଚି ଯେ, କରୋନା ସତ୍ୱେ ଦେଶର ଗଣତାନ୍ତ୍ରିକ ବିଧିବ୍ୟବସ୍ଥା ଠିକ୍ ଭାବେ କାର୍ଯ୍ୟକାରି ହୋଉଛି । ଏହାର ଜ୍ୱଳନ୍ତ ପ୍ରମାଣ ହେଉଛି, ୨୫ ସେପ୍ଟେମ୍ବର ଶୁକ୍ରବାର ଏକ ସାମ୍ବାଦିକ ସମ୍ମିଳନୀରେ ଦେଶର ମୁଖ୍ୟ ନିର୍ବାଚନ କମିଶନର ସୁନିଲ ଆରୋରା ଘୋଷଣା କରିଛନ୍ତି ଯେ, ନଭେମ୍ବରରେ ବିହାର ବିଧାନସଭା କାର୍ଯ୍ୟକାଳ ସରୁଥିବାରୁ ଏହାର ନିର୍ବାଚନ ୩ ପର୍ଯ୍ୟୟରେ କରାଯିବ । ପ୍ରଥମ ପର୍ଯ୍ୟାୟ ଅକ୍ଟୋବର ୨୮, ଦ୍ୱିତୀୟ ପର୍ଯ୍ୟାୟ ନଭେମ୍ବର ୩ ଓ ତୃତୀୟ ତଥା ଅନ୍ତିମ ପର୍ଯ୍ୟାୟ ନଭେମ୍ବର ୭ରେ ଅନୁଷ୍ଠିତ ହେବ । ଏହାର ଫଳାଫଳ ନଭେମ୍ବର ୧୦ ସୁଦ୍ଧା ପ୍ରକାଶ ପାଇବ ।
ତେବେ ଏଠାରେ ଆମର କହିବାର କଥା ହେଲା ଯେ, ପ୍ରଥମ ଥର ଲାଗି ଏହି ନିର୍ବାଚନ ନିମିତ ପ୍ରାର୍ଥିପତ୍ର ଦାଖଲ ଓ ନିର୍ବାଚନ ପ୍ରଚାର ଭର୍ଚୁଆଲ ପ୍ଲାଟଫର୍ମରେ କରାଯିବ, ଯାହା ବିଶ୍ୱ ନିର୍ବାଚନ କ୍ଷେତ୍ରରେ ପ୍ରଥମ ଥର ଲାଗି ରେକର୍ଡ ସୃଷ୍ଟି କରିବ । ମୁଖ୍ୟ ନିର୍ବାଚନ କମିଶନର କହିବା ଅନୁଯାୟୀ, ଏଥିରେ କରୋନା ଆକ୍ରାନ୍ତମାନେ ମଧ୍ୟ ଭୋଟ ଦେଇ ପାରିବେ । ତାଙ୍କ ହରିବା ଅନୁଯାୟୀ ୪୬ ଲକ୍ଷ ମାସ୍କ, ୭ ଲକ୍ଷ ସାନିଟାଇଜର, ୬ ଲକ୍ଷ ପିପିକିଟ୍ ଏବଂ ୨୩ ଲକ୍ଷ ଯୋଡା ଗ୍ଲୋବ୍ସ ମହଯୁଦ ରଖାଯିବ ଓ ଆବଶ୍ୟକ ମୁତାବକ କାର୍ଯ୍ୟରେ ଲଗାଯିବା ସହିତ ପ୍ରଚାରକୁ ସୀମିତ କରାଯିବ । ୨ଟି ଗାଡି ପ୍ରଚାର ପାଇଁ ସର୍ବାଧିକ ବ୍ୟବହାର କରାଯାଇପାରିବ ଏବଂ ଘରକୁ ଘର ବୁଲି ପ୍ରର୍ଥିଙ୍କ ସମେତ ମୋଟ ୫ ଜଣ ପ୍ରଚାର କରିପାରିବେ । ସାମାଜିକ ଦୁରତ୍ୱ ରକ୍ଷା କରି ନିର୍ବାଚନ ପ୍ରଚାର କରିବାକୁ କୁହାଯାଇଛି । ଏହା ଠିକ୍ ଭାବେ ସମ୍ପାଦନ କରାଯାଇପାରିଲେ, ଭାରତୀୟ ଗଣତନ୍ତ୍ର ପାଇଁ ନୂତନ ରେକର୍ଡ ସୃଷ୍ଟି ହେବା ସହିତ କରୋନା ମହାମାରି ମଧ୍ୟ ଗଣତନ୍ତ୍ର ତଳେ ବୋଲି ପ୍ରମାଣିତ ହୋଇପାରିବ । ତେବେ ସମୟ ହିଁ କହିବ, ବାସ୍ତବରେ କରୋନାକୁ ଗଣତନ୍ତ୍ର କିପରି ପରାସ୍ତ କରୁଛି?