ସ୍ଲେଟ ଓ ଖଡି ଧରି ପାଠ ପଢିଲା ବେଳୁ ଶିକ୍ଷକମାନେ ଶିକ୍ଷା ଦାନ ବେଳେ କହି ଆସିଛନ୍ତି, ମିଥ୍ୟା କହିବା ମହାପାପ ଓ ସତ୍ୟର ବିକଳ୍ପ ନାହିଁ । ଉଦାହରଣ ସ୍ୱରୁପ କୁହାଯାଇପାରେ, ସୁର୍ଯ୍ୟ ପୁର୍ବ ଦିଗରୁ ଉଇଁବା ଓ ପଶ୍ଚିମ ଦିଗରେ ଅସ୍ତ ହେବା, ମଣିଷ ଜନ୍ମ ହେବା ପରେ ଦିନେ ନା ଦନେ ତା’ର ମୃତ୍ୟୁ ଘଟିବା, ମଣିଷ ବଞ୍ଚିବା ଓ ବଢିବା ଲାଗି ପୁଷ୍ଟିକର ଖାଦ୍ୟ ଏବଂ ନିୟମିତ ବ୍ୟାୟାମ, ଯୋଗ ଓ ପ୍ରାଣାୟାମ ଆଦି କରିବା ଯେପରି ଅଲିଖିତ ସତ୍ୟ ରୁପେ ଯୁଗ ପରେ ଯୁଗ, ପିଢି ପରେ ପିଢି ପ୍ରମାଣିତ ହୋଇଆସିଛି ସେଥିରୁ ସ୍ପଷ୍ଟ ପ୍ରତୀୟମାନ ହୁଏ ଯେ, ସତ୍ୟର ସ୍ଥାନ ସଦାସର୍ବଦା ଅପରିବର୍ତିତ । କିନ୍ତୁ ଏକବିଂଶ ଶତାବ୍ଦିରେ ବିଜ୍ଞାନ ଓ ସାମାଜିକ ବିଜ୍ଞାନରେ ପାରଙ୍ଗମ ମଣିଷ ଯେପରି ଜୀବନ ଧାରାକୁ ନିୟନ୍ତ୍ରଣ କରୁଛି, ତାହା ଦେଖିଲେ ମନେହୁଏ, ସତ୍ୟର ଅନ୍ୟ ନାମ କ’ଣ ମିଥ୍ୟା? ଆମେ ଯାହାକୁ ଆଜିର ଦିନରେ ଦୃଢ କଣ୍ଠରେ ଗଳାଫଟାଇ ସତ୍ୟ ବୋଲି କହୁଛେ, ତାକୁ ଆଉ କେତେକ ବ୍ୟକ୍ତି ମିଥ୍ୟାର ଆଖ୍ୟା ପ୍ରଦାନ କରୁଛନ୍ତି । ତେବେ ପ୍ରକୃତରେ ସତ କିଏ କହୁଛି ଓ ବାସ୍ତବ ସତ୍ୟ କେଉଁଟା ତାହା ପ୍ରଚଳିତ ଜୀବନ ଧାରାରେ ବୁଝିବା କ୍ରମଶଃ କଷ୍ଟକର ହୋଇପଡୁଛି ବୋଲି କୁହାଯାଇପାରେ । ଉଦାହରଣ ସ୍ୱରୁପ ଆମେ ଏଠାରେ ଏକ ଛୋଟ ଘଟଣାକୁ ଉଲ୍ଲେଖ କରୁଛୁ, ଯାହା ସର୍ବଜନବିଦିତ କହିଲେ ଭୁଲ ହେବନାହିଁ । ସାରା ଭାରତ ବର୍ଷରେ ସମସ୍ତେ ଜାଣନ୍ତି, ଏବେ କରୋନାର ଦ୍ୱିତୀୟ ଲହର ଯୋଗୁଁ ଦେଶରେ ତଥା ଓଡିଶାରେ ପଜିଟିଭ ସଂଖ୍ୟା ବଢି ବଢି ଚାଲିଛି । ଏହାକୁ ରୋକିବା ଲାଗି ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସର୍ବପ୍ରଥମେ ଟିକାକରଣ ଉପରେ ସର୍ବାଧିକ ଗୁରୁତ୍ୱାରୋପ କରିଛନ୍ତି । ସେଥିଯୋଗୁଁ ରାଜ୍ୟରେ ଏପ୍ରିଲ ଆରମ୍ଭରୁ ରାଜଧାନୀ ଭୁବନେଶ୍ୱରକୁ ବାଦ ଦେଇ ଅନ୍ୟସବୁ ଜିଲ୍ଲା ଓ ସହରରେ କୋଭିସିଲ୍ଡ ଟିକାର ପ୍ରଥମ ଡୋଜ୍ ଦିଆଯାଇଥିବା ବେଳେ ସେଥିରେ ବରିଷ୍ଠ ନାଗରିକମାନଙ୍କୁ ପ୍ରାଥମିକତା ଦିଆଯିବା ସହିତ ଟିକା କରଣ କରାଯାଇଥିଲା ଏବଂ ଦ୍ୱିତୀୟ ଡୋଜ୍ କେବେ ଦିଆଯିବ, ସେ ସମ୍ପର୍କରେ ଟେଲିଫୋନ ମେସେଜ ଜରିଆରେ ଅବଗତ କରାଯିବ ବୋଲି ମେଡିକାଲ ଗୁଡିକ ପକ୍ଷରୁ ଟିକା ଦେଉଥିବା ସ୍ୱାସ୍ଥ୍ୟକମୀ, ନର୍ସ ଓ ଡାକ୍ତରମାନେ ସୁଚନା ଦେଇଥିଲେ । ଏଠାରେ ପାଠକମାନଙ୍କୁ କୁହାଯାଇପାରେ, କୋଭିସିଲ୍ଡ ପ୍ରଥମ ଡୋଜ୍ ନେବାର ସର୍ବାଧିକ ଆଠ ସପ୍ତାହ ପରେ ଦ୍ୱିତୀୟ ଡୋଜ୍ ନେବା ଜରୁରୀ ଓ ତା ନହେଲେ ପ୍ରଥମ ଡୋଜ୍ ମୁଲ୍ୟହୀନ ହେବ ବୋଲି ଡାକ୍ତରମାନେ ବିଭିନ୍ନ ସମୟରେ କହୁଥିବା ନେଇ ଅନେକ ଗଣମାଧ୍ୟମରେ ଅତିତରେ ବହୁ ଖବର ପ୍ରକାଶ ପାଇଛି । ଏପରିକି ଏ ରାଜ୍ୟର ବରିଷ୍ଠ ନାଗରିକମାନଙ୍କୁ ପ୍ରଥମ ଡୋ୍ଜ ନେଇସାରିଥିଲେ ଦ୍ୱିତୀୟ ଡୋଜ୍ ଦେବା କ୍ଷେତ୍ରରେ ଗୁରୁତ୍ୱାରୋପ କରିବାକୁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଦାୟିତ୍ୱରେ ଥିବା ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦିପ୍ତ କୁମାର ମହାପାତ୍ର ବାରମ୍ବାର କହିବା ସହ ସବୁ ମେଡିକାଲ ଅଫିସରମାନଙ୍କୁ ଏ ସମ୍ପର୍କରେ ସଚେତନ କରାଇଛନ୍ତି । ତା ସତ୍ୱେ ପ୍ରଥମ ଡୋଜ୍୍ ନେଇଥିବା ଅନେକ ବରିଷ୍ଠ ନାଗରିକଙ୍କୁ ୫୬ଦିନ ପରେ ମଧ୍ୟ ଦ୍ୱିତୀୟ ଡୋଜ୍ ମିଳୁନାହିଁ କାହିଁକି? ସୁଣାଯାଉଛି ଟିକାକରଣରେ ବ୍ୟାପକ ଅନିୟମିତତା ଏଥିଲାଗି ଦାୟୀ । ଏହା କ’ଣ ସତ୍ୟ କି? ଏହା ସତ୍ୟ ହୋଇଥିଲେ ସାଙ୍ଘାତିକ । ମଙ୍ଗଳବାର ଓ ବୁଧବାର କେତେକ ସମ୍ବାଦପତ୍ରରେ ପ୍ରକାଶ ପାଇଛି ଯେ, ଟିକା କେନ୍ଦ୍ରରେ ପ୍ରବଳ ଭିଡ ହେଉଥିବା ବେଳେ ବରିଷ୍ଠ ନାଗରିକ ଟିକା ନପାଇ ନିରାଶ ହୋଇ ଘରକୁ ଫେରୁଛନ୍ତି । ଅନେକ ଡାକ୍ତରଖାନାରେ ଟିକାକରଣ ବେଳେ ଡାକ୍ତରଙ୍କ ଦେଖା ମଧ୍ୟ ମିଳୁନାହିଁ । ପଚାରିଲେ ଉପସ୍ଥିତ କର୍ମଚାରୀମାନେ ଏଥିନେଇ ନିଜର ଅଜ୍ଞତା ପ୍ରକାଶ କରୁଛନ୍ତି । କେତେକ ସ୍ଥାନରେ ରାତି ୩ଟା ପୁର୍ବରୁ ବରିଷ୍ଠ ନାଗରିକମାନେ କଷ୍ଟେମଷ୍ଟେ ସଟଡାଉନ ଭିତରେ ଘରୁ ଚାଲି ଚାଲି ମେଡିକାଲ ଯାଇ ଲାଇନରେ ଛିଡା ହେଲେ ମଧ୍ୟ ପରିଶେଷରେ “ଟିକାକରଣ ସରିଗଲାଣି ଓ ତୁମେ ଡେିରିରେ ଆସିଛ” ବୋଲି ଶୁଣିବାକୁ ମିଳୁଛି । କଟକ ଜିଲ୍ଲାରେ ଏକାଧିକ ମେଡିକାଲ କ୍ଷେତ୍ରରେ ବରିଷ୍ଠ ନାଗରିକମାନଙ୍କୁ ଏପରି ଦଶା ଭୋଗିବାକୁ ପଡୁଛି । କେବଳ କଟକ ନୁହେଁ, ଖୋର୍ଦ୍ଧା ସମେତ ବାଲେଶ୍ୱର ଆଦି ଜିଲ୍ଲାରେ ବରିଷ୍ଠ ନାଗରିକମାନେ ଦ୍ୱିତୀୟ ଡୋଜ୍ ନେବା କ୍ଷେତ୍ରରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଆଉ ମେଡିକାଲ ଅଫିସରମାନେ ଏଥିନେଇ ଆଦୌ ଚିନ୍ତିତ ନଥିଲା ଭଳି ଜଣାପଡେ । ସେମାନଙ୍କୁ ଦ୍ୱିତୀୟ ଡୋଜ ସମୟ ସରିଯିବାକୁ ୨୪ ଘଂଟା ବାକି ଅଛି ଓ ଆସିଥିବା ୫୦ଟି ଡୋଜ୍ରୁ ଗୋଟିଏ ଦୟାକରି ଦିଅନ୍ତୁ ବୋଲି କଟକର ଗ୍ରାମଞ୍ଚଳରେ ଗୋଟିଏ ମେଡିକାଲ ଓ ଆଉ ଗୋଟିଏ ପିଏଚସି ଦାୟୀତ୍ୱରେ ଥିବା ମେଡିକାଲ ଅଫିସରଙ୍କୁ ଜଣେ ଆଗ ଧାଡିର କରୋନା ଯୋଦ୍ଧା ତାଙ୍କ ପତ୍ନିଙ୍କ ପାଇଁ କହିଥିଲେ ହେଁ ନିର୍ଦ୍ଧାରିତ ସମୟ ଅତିକ୍ରାନ୍ତ ହେଲା ପଛେ, ବାବୁ କିଛି ଶୁଣିଲେ ନାହିଁ । ଏଥିରେ କରୋନାର ତୃତୀୟ ଲହର ଯଦି ଆସେ, ତେବେ ଆମେ କହିବା କାହାକୁ?