ୱାସିଂଟନ: ଆମେରିକାର ଅଗ୍ରଣୀ ଭେଷଜ କମ୍ପାନି ମଡର୍ଣ୍ଣା ଦ୍ୱାରା ବିକଶିତ କୋଭିଡ୍ ଟିକାର ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହଡ଼ପ କରିନେବା ପାଇଁ ଚୀନ୍ ସରକାରଙ୍କ ସହ ସଂପୃକ୍ତ ସାଇବର ହଡ଼ପକାରୀମାନେ ଉଦ୍ୟମ କରିଥିଲେ ବୋଲି ଆମେରିକୀୟ ସୁରକ୍ଷା ସଂସ୍ଥା ପକ୍ଷରୁ ଜଣାଯାଇଛି । ଆମେରିକାରେ ଦୁଇ ଜଣ ଚୀନ୍ ନାଗରିକ ଗୁପ୍ତଚରି କରୁଥିବା ସମ୍ପର୍କରେ ଗତ ସପ୍ତାହରେ ଆମେରିକାର ନ୍ୟାୟିକ ବିଭାଗ ପ୍ରକାଶ କରିଥିଲା । ଏପରିକି ଏହି ଚୀନ୍ ଗୁପ୍ତଚରମାନେ ଆମେରିକାରେ ଭେଷଜ ଗବେଷଣା ଚଳାଇଥିବା ତିନିଟି ସଂସ୍ଥାକୁ ନିଶାଣ କରିଥିଲେ ବୋଲି ଆରୋପ କରାଯାଇଥିଲା । ବିଶେଷ କରି ଗତ ଜାନୁଆରି ମାସରେ ସେମାନେ କୋଭିଡ ଟିକା ଉପରେ ଗବେଷଣା ଚଳାଉଥିବା ମାସାଚୁ୍ୟଟ୍ସ ସ୍ଥିତ ଏକ ଜୈବିକ ଫାର୍ମର କମ୍ପ୍ୟୁଟର ନେଟ୍ବର୍କରେ ଅନୁପ୍ରବେଶ ଉଦ୍ୟମ କରିଥିଲେ । ଅପରପକ୍ଷେ, ମାସାଚୁ୍ୟଟ୍ସରେ ସ୍ଥାପିତ ମଡର୍ଣ୍ଣା କମ୍ପାନି ଗତ ଜାନୁଆରିରେ ହିଁ ଏକ ଟିକା ବିକାଶ କରୁଛି ବୋଲି ଘୋଷଣା କରିଥିଲା । ମହାମାରୀ କୋଭିଡ୍ର ମୁକାବିଲା ପାଇଁ ମଡର୍ଣ୍ଣା ଦ୍ୱାରା ବିକାଶିତ ଟିକା ହିଁ ଟ୍ରମ୍ପ୍ ପ୍ରଶାସନର ଅମୋଘ ଅସ୍ତ୍ର ଭାବେ ବିବେଚିତ ହେଉଥିବା ବେଳେ କମ୍ପାନି ନିଜର ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବା ସହ କୌଣସି ପ୍ରକାର ତଥ୍ୟଚୋରି ପ୍ରତି ପ୍ରଥମରୁ ସତର୍କ ରହିଥିଲା ।