ୱାଶିଂଟନ: ସମଗ୍ର ବିଶ୍ୱର ଆର୍ଥିକ ପରିସ୍ଥିତିରେ ସୁଧାର ପରିଲକ୍ଷିତ ହେଉଛି । ଦ୍ୱିତୀୟ ବିଶ୍ୱଯୁଦ୍ଧ ପରବର୍ତୀ ସମୟରେ ବିଶ୍ୱ ଯେଉଁଭଳି ସାଂଘାତିକ ମାନ୍ଦା ଅବସ୍ଥାର ସମ୍ମୁଖୀନ ହେଉଥିଲା, ସେଥିରେ ଉନ୍ନତି ପରିଲକ୍ଷିତ ହେଉଛି । ଏକଥା କହିଛନ୍ତି ଆନ୍ତର୍ଜାତିକ ମୁଦ୍ରାପାଣ୍ଠି (ଆଇଏମଏଫ) ପରିଚାଳନା ନିର୍ଦେଶିକା କ୍ରିଷ୍ଟାଲିନା ଜର୍ଜିଏଭା । ଚଳିତ ବର୍ଷ ବିଶ୍ୱର ଅର୍ଥନୈତିକ ଅଭିବୃଦ୍ଧି ହାର ୬% ହେବାନେଇ ଆକଳନ କରିବାର ଦିନକ ପରେ କ୍ରିଷ୍ଟାଲିନା କହିଛନ୍ତି, ଏବେ ସ୍ଥିତିରେ ସୁଧାର ଘଟୁଛି । ସ୍ଥିତିରେ ଅଧିକ ଉନ୍ନତି ଘଟିବା ସମ୍ଭାବନା ଉଜ୍ଜ୍ୱଳ ମନେହେଉଛି । କାରଣ କୋଟି କୋଟି ସଂଖ୍ୟାରେ ଲୋକ କୋଭିଡ ଟିକାକରଣ ଦ୍ୱାରା ଉପକୃତ ହେଉଛନ୍ତି ଏବଂ ତାହାସହିତ ବିଭିନ୍ନ ରାଷ୍ଟ୍ରର ସରକାରଙ୍କ ପକ୍ଷରୁ ନୀତିଗତ ସମର୍ଥନ ଯୋଗାଇ ଦିଆଯାଇଉଛି । ସେ କହିଛନ୍ତି, ଗତବର୍ଷକ ମଧ୍ୟରେ ବିଶ୍ୱସ୍ତରରେ ଯେଉଁଭଳି ଅନନ୍ୟ ଏବଂ ସମ୍ମିଳିତ ପ୍ରୟାସ କରାଯାଇଛି, ତାହାର ସୁଫଳ ପରିଲକ୍ଷତ ହେଉଛି । ସରକାରଙ୍କର ବିନା ନୀତିଗତ ସମର୍ଥନ, ଆର୍ଥିକ ପଦକ୍ଷେପ ଏବଂ କୋଭିଡ ନିୟନ୍ତ୍ରଣ ପ୍ରୟାସ ବ୍ୟତୀତ ଏହା ସମ୍ଭବ ହୋଇପାରିନଥାନ୍ତା ଏବଂ ପରିସ୍ଥିତି ପୂର୍ବାପେକ୍ଷା ତିନିଗୁଣ ଅଧିକ ଖରାପ ଆଡକୁ ଗତିକରୁଥାନ୍ତ । କହିବାକୁ ଗଲେ ବିଶ୍ୱ ଏକ ଭୟଙ୍କର ମାନ୍ଦା ଅବସ୍ଥାକୁ ଚାଲିଯାଇଥାନ୍ତ । ଆଇଏମଏଫର ପରିଚାଳନା ନିର୍ଦେଶିକା କହିଛନ୍ତି, ସବୁ ସମସ୍ୟା ଓ ପ୍ରତିବନ୍ଧକ ମଧ୍ୟରେ ଏକ ଆଲୋକ ରଶ୍ମି ପ୍ରତୀୟମାନ ହେଉଛି । ଏହା ଦ୍ୱିତୀୟ ବିଶ୍ୱଯୁଦ୍ଧ ପରବର୍ତୀ ସମୟରେ ସବୁଠାରୁ ଗୁରୁତର ମାନ୍ଦା ଅବସ୍ଥା ହୋଇଥିଲା । ତେବେ ପୁନରୁଦ୍ଧାର ଆଗେଇ ଚାଲିଛି । ସେଥିପାଇଁ ଚଳିତ ବର୍ଷ ବିଶ୍ୱର ଆର୍ଥିକ ଅଭିବୃଦ୍ଧି ୬% ଏବଂ ୨୦୨୨ରେ ୪.୪% ହେବାନେଇ ଆକଳନ କରାଯାଇଛି । ସେ କହିଛନ୍ତି, ଆମେରିକା ଏବଂ ଚୀନ ଭଳି କେତେକ ବିଶକିତ ଏବଂ ଦ୍ରୁତ ଅଭିବୃଦ୍ଧିଶୀଳ ରାଷ୍ଟ୍ର ଏ କ୍ଷେତ୍ରରେ ନେତୃତ୍ୱ ନେଉଛନ୍ତି । ଏହି ଦ୍ରୁତ ଅଭିବୃଦ୍ଧି ଧାରାରେ ଦରିଦ୍ର ଓ ଦୁର୍ବଳ ରାଷ୍ଟ୍ରଗୁଡ଼ିକ ପଛରେ ପଡିଯାଇଛନ୍ତି । ସେ ଏକଥା ମଧ୍ୟ କହିଥିଲେ ଯେ କୋଭିଡର ନୂଆ ସଂକ୍ରମଣ ପର୍ଯ୍ୟାୟ ଏବଂ ନୂଆ ଷ୍ଟେ୍ରନକୁ ନେଇ ଏବେ ବି ଅନିଶ୍ଚିତ ଅବସ୍ଥା ଲାଗିରହିଛି । ସେଥିପାଇଁ ଅର୍ଥନୀତି ପୁନଃ କ୍ଷତି ସହିବା, ଅନେକ ଚାକିରୀ ହରାଇବା, ଦେବାଳିଆ ହେବା, କେତେକ ଅଂଚଳରେ କ୍ଷୁଧା ଓ ଉତ୍କଟ ଦାରିଦ୍ର୍ୟ ପରିଲକ୍ଷିତ ହେବା ଆଶଙ୍କା ରହିଛି । ସେଥିପାଇଁ ନୀତି ନିର୍ଦ୍ଧାରଣକାରୀମାନେ ଏବେଠାରୁ ସଠିକ ପଦକ୍ଷେପ ନେଇ ପ୍ରତ୍ୟେକ ନାଗରିକ ଯେଭଳି କୋଭିଡ ଟିକାକରଣର ସୁବିଧା ସହିତ ଜୀବିକା ଉପାର୍ଜନର ସୁଯୋଗ ପାଇପାରିବେ, ସେ ଦିଗରେ ପ୍ରୟାସ କରିବା ଆବଶ୍ୟକ ।