ସାର୍ବଜନୀନ ବ୍ୟବହାର ପାଇଁ ଆସିଲା ‘ସ୍ପୁଟନିକ୍ ଭି’

ମସ୍କୋ: ନାନା ବାଦବିବାଦ ମଧ୍ୟରେ ଗତ ମାସ ୧୨ ତାରିଖରେ ଲୋକାର୍ପଣ ହୋଇଥିବା ରୁଷ ଦ୍ୱାରା ପ୍ରସ୍ତୁତ ବିଶ୍ୱର ପ୍ରଥମ କୋଭିଡ-୧୯ ଟିକା ‘ସ୍ପୁଟନିକ୍-ଭି’ର ସାର୍ବଜନୀନ ବ୍ୟବହାର ପାଇଁ ପ୍ରଥମ ଦଫା ଟିକାର ମାତ୍ରା ସମୂହକୁ ସର୍ବସାଧାରଣ ଯୋଗାଣ ବ୍ୟବସ୍ଥାରେ ଉପଲବ୍ଧ କରାଯାଇଛି । ସରକାରୀ ପ୍ରତିଷ୍ଠାନ ଗମାଲେଇ ଜାତୀୟ ଗବେଷଣା କେନ୍ଦ୍ର ବିକଶତ ଏହି ଟିକା ସମ୍ପ୍ରତି ମସ୍କୋ ସହର ପାଇଁ ଉଦ୍ଧିଷ୍ଟ ଥିବା ବେଳେ ନିକଟ ଭବିଷ୍ୟତରେ ଆଂଚଳିକ ଯୋଗାଣ କରାଯିବାକୁ ବ୍ୟବସ୍ଥା ହୋଇଥିବା ରୁଷିଆ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି । ସୂଚନା ଥାଉ କି, କୌଣସି ଟିକାର ସାର୍ବଜନୀନ ବ୍ୟବହାର ପାଇଁ ତିନି ପର୍ଯ୍ୟାୟ ନୈଦାନିକ ପରୀକ୍ଷଣ ଅପରିହାର୍ଯ୍ୟ ହୋଇଥିବା ବେଳେ ମାତ୍ର ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷାଣ ପରେ ‘ସ୍ପୁଟନିକ୍-ଭି’ କୁ ଲୋକାର୍ପିତ କରାଯାଇଥିଲା । ଫଳରେ ଏହାର ଫଳପ୍ରଦତା ଉପରେ ଅନେକ ପାଶ୍ଚାତ୍ୟ ରାଷ୍ଟ୍ର ଏବଂ ବିଶେଷଜ୍ଞ ଆପତି ଉଠାଇଥିଲେ । ତେବେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ବିଧି ବ୍ୟବସ୍ଥା ଅନୁସାରେ ଏହି ଟିକାର ସମ୍ପ୍ରତି ଚୂଡ଼ାନ୍ତ ପର୍ଯ୍ୟାୟ ନୈଦାନିକ ପରୀକ୍ଷଣ ବିକ୍ଷିପ୍ତ ଭାବରେ ଜାରି ରହିଛି । ଅପରପକ୍ଷେ, ବର୍ତମାନ ସୁଦ୍ଧା ଉପଲବ୍ଧ ହୋଇଥିବା ଫଳାଫଳରୁ ଏହା ଫଳପ୍ରଦ ଓ ଆଶାନୁରୂପ କାର୍ଯ୍ୟଦକ୍ଷ ବୋଲି ଗମାଲେଇ ପ୍ରତିଷ୍ଠାନ ପକ୍ଷରୁ କୁହାଯାଇଛି । ବେଜିଂ ଚୀନ୍ କମ୍ପାନି ସିନୋଭାକ ଦ୍ୱାରା ବିକଶିତ ‘କରୋନାଭାକ୍’ ନାମକ ଟିକାର ନୈଦାନିକ ପରୀକ୍ଷାଣରୁ ଏହା ନିରାପଦ ସାବ୍ୟସ୍ତ ହୋଇଛି । ତେବେ ବୟସ୍କଙ୍କ ଠାରେ ଏହାର ଫଳପ୍ରଦତା ଅପେକ୍ଷାକୃତ ଦୁର୍ବଳ ରହିଛି ବୋଲି କମ୍ପାନି କହିଛି । ଗତ ମେ’ ମାସରେ ୬୦ ବର୍ଷରୁ ଅଧିକ ସ୍ୱେଚ୍ଛାସେବୀଙ୍କୁ ସାମିଲ କରି କରାଯାଇଥିବା ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ନୈଦାନିକ ପରୀକ୍ଷାଣରୁ ଏଭଳି ନିଷ୍କର୍ଷ ମିଳିଛି ବୋଲି କମ୍ପାନିର ଗଣମାଧ୍ୟମ ପ୍ରତିନିଧି ଲିଉ ପେଇଚେଙ୍ଗ କହିଛନ୍ତି । ସମ୍ପ୍ରତି ଉକ୍ତ ଟିକାର ଚୂଡ଼ାନ୍ତ ପରୀକ୍ଷାଣ ବ୍ରାଜିଲ୍ ଓ ଇଣ୍ଡୋନେସିଆରେ ଜାରି ରହିଥିବା ବେଳେ କମ୍ପାନିର କର୍ମଚାରୀ ଏବଂ ସେମାନଙ୍କ ପରିବାରବର୍ଗଙ୍କୁ ଏହି ଟିକା ଦିଆଚାଲିଛି । ଉକ୍ତ ଟିକା ଦୀର୍ଘ ତିନି ବର୍ଷ ଯାଏ ସଂରକ୍ଷିତ ହୋଇ ରହି ପାରୁଥିବାରୁ ଶୀତଳୀକରଣ ସୁରକ୍ଷା ବ୍ୟବସ୍ଥା ନଥିବା ଗ୍ରାମାଂଚଳରେ ଏହାର ଯୋଗାଣ ସୁଗମ ହୋଇପାରିବ ବୋଲି ସେ କହିଛନ୍ତି । ବିଶ୍ୱରେ ସାମ୍ପ୍ରତି ଚୂଡ଼ାନ୍ତ ପର୍ଯ୍ୟାୟ ନୈଦାନିକ ପରୀକ୍ଷଣ ଚାଲିଥିବା ୩୪ଟି ଟକା ମଧ୍ୟରୁ ୮ଟି ହିଁଚୀନୀ କମ୍ପାନିଙ୍କ ଦ୍ୱାରା ବିକଲିତ ହୋଇଛି । ‘କରୋନାଭାକ୍’ ଚଳିତ ବର୍ଷ ଶେଷ ସୁଦ୍ଧା ସାର୍ବଜନୀନ ବ୍ୟବହାର ପାଇଁ ଉପଲବ୍ଧ ହୋଇପାରିବ ବୋଲି ଆଶା କରାଯାଉଛି ।

Comments (0)
Add Comment