କରୋନା ସଂକ୍ରମିତ ବାପାଙ୍କ ମୃତଦେହକୁ ରାତିଶାରା ଧରି ଶୋଇଥିଲା ୬ ବର୍ଷର କୁନି ଝିଅ

ନୂଆଦିଲ୍ଲୀ: ମହାମାରୀ କରୋନା କାଳରେ ମଣିଷ ଜୀବନ ପୋକମାଛି ଭଳି ଟଳିପଡ଼ୁଥିବା ବେଳେ, ଏକ ୬ ବର୍ଷ କୁନି ଝିଅର କରୁଣ କହଣୀ ଏବେ ଶୋସାଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି । କରୋନାରେ ଆକ୍ରାନ୍ତଥିବା ବାପାଙ୍କ ମର ଶରୀରକୁ ରାତିଶାରା ଅବୋଧ କୁନି ଝିଅଟି କୁଣ୍ଢାଇ ଶୋଇଥିଲା । କଥାରେ ଅଛି ବାପାଙ୍କ କାନ୍ଧରେ ବସିଥିଲା ବେଳେ ବାଘ ଆସିଲେ ବି ଡର ଲାଗେନାହିଁ । ତେବେ କୁନି ଝିଅଟି କରୋନା ଭାଇରସ୍‌ କ‘ଣ ବୋଲି ଜାଣିବା ପୂର୍ବରୁ ତା’ଠାରୁ ବାପାଙ୍କୁ ଛଡାଇ ନେଲା ସେହି ମହାମାରୀ କରୋନା। ଏହି ଘଟଣାଟି ବିହର ପାଟଣାସ୍ଥ ରାମକୃଷ୍ଣ ନଗର ଥାନା ଅଧିନରେ ଥିବା ବଧୁବନ କଲୋନିରେ ଘଟିଛି । ପ୍ରଭାତ ଓ ତାଙ୍କ ସ୍ତ୍ରୀ କୁନି ଝିଅକୁ ଧରି ସେହି କଲୋନୀରେ ରହନ୍ତି । କିଛିଦିନ ତଳେ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହେବାରୁ ପ୍ରଭାତଙ୍କ ସ୍ତ୍ରୀ କୁନି ଝିଅକୁ ସ୍ବାମୀଙ୍କ ପାଖରେ ଛାଡ଼ି ବାପା ଘରକୁ ଚାଲିଯାଇଥିଲେ । ଏହା ପରେ ବାପା ଓ ଝିଅ ଦୁହେଁ ରହୁ୍ଥିଲେ । ନିକଟରେ ପ୍ରଭାତ କରୋନା ସଂକ୍ରମିତ ହୋଇ ଘରେ ଚିକିତ୍ସିତ ହେଉଥିଲେ । ତେବେ ପ୍ରଭାତ ଓ ତାଙ୍କ କୁନିଝିଅ ଦୁହେଁ ଶୋଇଥିବା ଅବସ୍ଥାରେ ପ୍ରଭାତଙ୍କର ମୃତ୍ୟୁ ହୋଇଯାଇଥିଲା । ତେବେ କୁନି ଝିଅଟି ଏକଥା ଜାଣି ନପାରି ବାପାଙ୍କ ମୃତଦେହକୁ କୁଣ୍ଢାଇ ଶୋଇଥିଲା । ସକାଳ ହେବା ପରେ କୁନିଝିଅଟି ସବୁଦିନ ପରି ବସ୍କୁଟକୁ ପାଣିରେ ଭିଜାଇ ଖାଇବା ପରେ ବାପାଙ୍କ ଫୋନ୍‌ ଧରି ଗେମ୍‌ ଖେଳାିବାରେ ଲାଗିପଡ଼ିଥିଲା । ଠିକ୍‌ ସେତିକି ବେଳେ ପ୍ରଭାତଙ୍କ ସାଙ୍ଗ ସେହି ଫୋନ୍‌କୁ ଭିଡିଓ କଲ୍‌ କରିବାରୁ ଝିଅଟି ଫୋନ୍‌ ଉଠାଇଥିଲା । ବାପା କାହାନ୍ତି ବୋଲି ପଚାରିବାରୁ ଝିଅଟି କହିଲା ବାପା ଶୋଇଛନ୍ତି । ଏକଥା ଶୁଣି ବାପାଙ୍କ ଆଡ଼କୁ ଫୋନ୍‌ ବୁଲାଇବାକୁ କହିଥିଲେ ପ୍ରଭାତଙ୍କ ସାଙ୍ଗ । ସେ ପ୍ରଭାତଙ୍କ ସ୍ଥିର ଶରୀର ଦେଖି ସଙ୍ଗେ ସଙ୍ଗେ କୋଭିଡ୍‌ ହେଲ୍‌ପ ଲାଇନ୍‌କୁ ଫୋନ୍‌ କରିଥିଲେ । ଏହାପରେ କବାଟ ଭାଙ୍ଗି ପ୍ରଭାତଙ୍କ ମୃତଦେହକୁ ଉଦ୍ଧାର କରାଯିବା ପରେ ତାଙ୍କ ସ୍ତ୍ରୀଙ୍କୁ ଖବର ଦିଆଯାଇଥିଲା ।

Comments (0)
Add Comment