ଶ୍ରୀଶାନ୍ତଙ୍କ ବାସନ୍ଦ ଅବଧି ସରିଲା : ଖେଳିବାକୁ ପ୍ରସ୍ତୁତି

କୋଚି: ଗତ କିଛି ମାସ ହେଲା ଭାରତୀୟ କ୍ରିକେଟ ଦଳର ପୂର୍ବତନ ପେସ୍ ବୋଲର ଶାନ୍ତାକୁମାରନ ଶ୍ରୀଶାନ୍ତ ଏହି ଦିନକୁ ଅପେକ୍ଷା କରିଥିଲେ -୨୦୨୦ ସେପ୍ଟେମ୍ବର ୧୩ । ଏହିଦିନ ବିସିସିଆଇ ଶ୍ରୀଶାନ୍ତଙ୍କ କ୍ରିକେଟ୍ ଖେଳିବା ଉପରେ ଲଗାଯାଇଥିବା ୭ବର୍ଷର ବାସନ୍ଦ ଅବଧି ସମାପ୍ତ ହୋଇଯାଇଛି । ତେବେ ସୋମବାର ଠାରୁ ଶ୍ରୀଶାନ୍ତ ସମସ୍ତ ପ୍ରକାରର କ୍ରିକେଟ ଖେଳିପାରିବେ । ଆଇପିଏଲ ର ସ୍ପଟ୍ ଫିକ୍ସିଂ କରିବା କାରଣରୁ ଅନ୍ୟ ୨ଜଣ କ୍ରିକେଟରଙ୍କ ସହ ଶ୍ରୀଶାନ୍ତ କ୍ରିକେଟ୍ ଖେଳିବାରୁ ବାସନ୍ଦ ହୋଇଥିଲେ । ରବିବାର ବାସନ୍ଦର ଅବଧି ଶେଷହେବା ପରେ ଆଶ୍ୱସ୍ତ ଶ୍ରୀଶାନ୍ତ ତାଙ୍କ ପ୍ରଥମ ପ୍ରତିକ୍ରିୟାରେ କହିଛନ୍ତି – ମୋତେ ସ୍ୱାଧିନତା ମିଳିଯାଇଛି ; କ୍ରିକେଟ ଖେଳିବାର ସ୍ୱାଧିନତା । ଶ୍ରୀଶାନ୍ତଙ୍କୁ ସମସ୍ତ ପ୍ରକାର କ୍ରିକେଟ ଖେଳିବାର ଅନୁମତି ମିଳିଥିଲେ ହେଁ ଚଳିତବର୍ଷ ଏହା ତାଙ୍କ ପାଇଁ ସମ୍ଭବ ହୋଇନପାରେ । ଦେଶରେ ମହାମାରୀ କରୋନାର ସଂକ୍ରମଣ ବଢ଼ି ଚାଲିଥିବା ବେଳେ ୨୦୨୦-୨୧ ସିଜିନ୍ର ଘରୋଇ କ୍ରିକେଟ୍ ଖେଳାଯିବାର ସମ୍ଭାବନା କମ୍ । ଘରୋଇ କ୍ରିକେଟ୍ ଖେଳିବା ଛଡ଼ା ଶ୍ରୀଶାନ୍ତଙ୍କ ପାଖରେ ବିକଳ୍ପ ନାହିଁ । କାରଣ ସମସ୍ତ ପ୍ରକାର କ୍ରିକେଟରୁ ଅବସର ଘୋଷଣା ନ କଲେ ଆଇପିଏଲ ଢାଂଚାରେ ବିଦେଶରେ ଆୟୋଜନ ହେଉଥିବା ଲିଗରେ ମଧ୍ୟ ଶ୍ରୀଶାନ୍ତ ଖେଳିାରିବେ ନାହିଁ । ତଥାପି ଆଶା ହରାଇ ନାହାନ୍ତି ୩୭ ବର୍ଷିୟ ଶ୍ରୀଶାନ୍ତ । ତାଙ୍କ କହିବା ଅନୁସାରେ ତାଙ୍କ ପାଖରେ ଆହୁରି ୫-୬ ବର୍ଷର କ୍ରିକେଟ ବାକିଅଛି । ଗଣମାଧ୍ୟମକୁ ଶ୍ରୀଶାନ୍ତ କହିଛନ୍ତି – ଦିର୍ଘଦିନ ଅପେକ୍ଷା କରିବା ପରେ ମୋତେ ପୁଣି ଖେଳିବାର ସୁଯୋଗ ମିଳିଛି । ହେଲେ ବର୍ତମାନ ଦେଶର କୌଣସି ସ୍ଥାନରେ କ୍ରିକେଟ ମ୍ୟାଚ୍ ହେବା ଭଳି ପରିସ୍ଥିତି ନାହିଁ । ଏହାକୁ ଦେଖି ଚଳିତ ସପ୍ତାହରେ କୋଚିରେ ଏକ ଆଂଚଳିକ ଟୁର୍ଣ୍ଣାମେଂଟ ଆୟୋଜନ କରିବାର ଯୋଜନା କରିଥିଲେ । ତେବେ ଖେଳାଳିଙ୍କ ସ୍ୱାସ୍ଥ୍ୟ ପ୍ରତି ବିପଦ ଥିବାରୁ ଏହାକୁ ବାତିଲ କରିଦେଇଛୁ ।

Comments (0)
Add Comment