ବାଲିକୁଦା: ଏକ ଅଜଣା ଗାଡି ଧକ୍କାରେ ଜଣେ ଯୁବକଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଥିବା ଜଣା ପଡିଛି । ମୃତକ ଜଣକ ହେଉଛନ୍ତି ବାଲିକୁଦା ଥାନା, ଅନନ୍ତପୁର ଫାଣ୍ଡି ଅଧୀନ କୁଷୁପୁର ପଂଚାୟତ ତେନ୍ତୁଲିବେଲାରୀ ଗାଁର ତରଣି ଖୁଣ୍ଟିଆଙ୍କ ସାନ ପୁଅ ବଳିଆ ଓରଫ୍ ବଳରାମ(୨୨) ବୋଲି ଜଣା ପଡିଛି । ବଳିଆ ଓ ତାଙ୍କର ଜଣେ ସାଙ୍ଗ ମିଶି ସେମାନେ କୌଣସି ଏକ କାମରେ ଓଡି ୨୧ ଏଚ୍ ୪୯୯୫ ନମ୍ବର ବିଶିଷ୍ଟ ଏକ ପଲସର ବାଇକ ଯୋଗେ ଜଗତସିଂହପୁର ଯାଇ ମଧ୍ୟାହ୍ଣରେ ଘରକୁ ଫେରୁଥିବା ସମୟରେ କଟକ-ନୂଆଗାଁ ୫୫ ନମ୍ବର ଜାତୀୟ ରାଜପଥର ଜଗତସିଂହପୁର ସ୍ଥିତ ଜୋକଦାରୀ ଠାରେ ତାଙ୍କ ପଛ ପଟୁ କୌଣସି ଏକ ଅଜଣା ଗାଡି ଧକ୍କା ଦେଇ ଫେରାର ହୋଇ ଯାଇଥିଲା । ଧକ୍କା ହେବା ପରେ ବାଇକର ପଛରେ ବସିଥିବା ବଳିଆ ଗାଡିରୁ ଖୁବ ଜୋରରେ ରାସ୍ତା କଡକୁ ଛିଟିକ ପଡିଥିଲେ । ରାସ୍ତା କଡରେ ଥିବା ଇଲେକ୍ଟ୍ରିକ ପୋଲରେ ତାଙ୍କର ମୁଣ୍ଡ ପିଟି ହୋଇଯାଇଥିଲା ଓ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା । ପରେ ଉଭୟଙ୍କୁ ଜଗତସିଂହପୁର ମୁଖ୍ୟ ଚିକିତ୍ସାଳୟକୁ ନିଆ ଯାଇଥିଲା । ମାତ୍ର ଡାକ୍ତର ସେଠାରେ ବଳିଆକୁ ମୃତ ଘୋଷଣା କରିଥିବା ବେଳେ ଅନ୍ୟ ଆହତ ଜଣଙ୍କୁ ପ୍ରାଥମିକ ଚିକିତ୍ସା କରାଇ ଅଧିକ ଚିକିତ୍ସା ପାଇଁ କଟକ ପଠାଇଥିଲେ । ଖବର ପାଇ ଜଗତସିଂହପୁର ପୁଲିସ ଡାକ୍ତରଖାନାରେ ପହଂଚି ଶବକୁ ଜବତ କରିବା ସହିତ ବ୍ୟବଚ୍ଛେଦ ପାଇଁ ପଠାଇଥିଲେ । ପରେ ପରିବାର ଲୋକେ ଖବର ପାଇ ଜଗତିସଂହପୁର ମେଡିକାଲରେ ପହଞ୍ଚିି ଘଟଣା ସମ୍ପର୍କରେ ଜାଣିଥିଲେ । ଏ ବାବଦରେ ମୃତ ବଳିଆଙ୍କ ବାପା ତରଣି ଖୁଂଟିଆ ଜଗତସିଂହପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ।