ଅନ୍ଧାର ଭିତରକୁ ଠେଲି ହୋଇଯାଉଛି କୁନିନାଳ ଗାଁର ଛୋଟଛୋଟ ପିଲାଙ୍କ ଭବିଷ୍ୟତ

ଝରୀଗାଁ  : ନବରଙ୍ଗପୁର ଜିଲ୍ଲା ଝରୀଗାଁ ବ୍ଲକ ତେଲନଦୀଗାଁ ପଞ୍ଚାୟତ  ଅଧିନସ୍ଥ ଏକ ପୁରାତନ ଗାଁ କୁନିନାଳ | ଗାଁର ଜନସଂଖ୍ୟା 60ରୁ ଉର୍ଦ୍ଧ ହୋଇଥିବା ବେଳେ ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ଓ ବିଜୁଳି ଭଳି ମୌଳିକ ସୁବିଧାରୁ ଏବେଯାଏ ବଞ୍ଚିତ ରହିଛନ୍ତି ଏଠିକାର ବାସିନ୍ଦା |ସରକାର ଶିକ୍ଷାକୁ ଗୁରୁତ୍ୱ ଦେଇ ସର୍ବଶିକ୍ଷା ଅଭିଯାନ ସାଙ୍ଗକୁ ଗୁଣାତ୍ମକ ଶିକ୍ଷାର ବ୍ୟବସ୍ଥା କରିଥିଲେ ସୁଦ୍ଧା ଏହି ଗାଁର ଛୋଟ ଛୋଟ ଶିଶୁମାନେ ଶିକ୍ଷା ଭଳି ମୌଳିକ ଅଧିକାରରୁ ବଞ୍ଚିତ ରହୁଛନ୍ତି |ଦୁର୍ଗମ ଅଞ୍ଚଳରେ ଜନବସତି ଗଢି ଉଠିଥିବାରୁ ସବୁବେଳେ ସମସ୍ୟା ସହିତ ସଂଘର୍ଷ କରି ଜୀବନ ଜୀବିକା ନିର୍ବାହ କରୁଛନ୍ତି ଏଠିକାର ଜନସାଧାରଣ |ଗମନାଗମନର ସୁବିଧା ନଥିବାରୁ ସ୍ୱାସ୍ଥ୍ୟସେବାରେ ସବୁବେଳେ ସମସ୍ୟା ଲାଗିରହୁଛି |ଗର୍ଭବତୀ ହେଉ କିମ୍ବା ଗୁରୁତର ରୋଗୀ ଖଟିଆକୁ ଭାରକରି ଗାଁ ଠାରୁ 3କିଲୋମିଟର ଦୂରରେ ଥିବା ଖଦରାପାନୀ ଗାଁ ପର୍ଯ୍ୟନ୍ତ ନେଲେ ଯାଇକି ଯାନବାହାନର ବ୍ୟବସ୍ଥା ହୋଇଥାଏ |ଗତ କିଛିଦିନ ତଳେ ଏହି ଗାଁର ଦୁଇ ଗର୍ଭବତୀ ମା ମାନଙ୍କୁ ଖଟିଆରେ ବୋହି 3କିଲୋମିଟର ବାଟ ଚାଲିବାର ଖବର ଗଣମାଧ୍ୟମରେ ବେସ ଚର୍ଚ୍ଚାର ବିଷୟ ପାଲଟିଥିଲା |ଯଦି ଶିକ୍ଷା କଥା କହିବା ତେଵେ, ଗ୍ରାମ ଠାରୁ 3କିଲୋମିଟର ଦୂର ଖଦରାପାନୀ ଗ୍ରାମରେ ରହିଛି ଅଙ୍ଗନବାଡି କେନ୍ଦ୍ର ଏବଂ ଗ୍ରାମଠାରୁ 7କିଲୋମିଟର ଦୂର ତେଲନଦୀଗାଁରେ ରହିଛି ବିଦ୍ୟାଳୟ |ଉଭୟ ଗାଁକୁ ଦୂରତ୍ୱ ଅଧିକ ହେଉଥିବାରୁ ଉଭୟ ପ୍ରାକ ଶିକ୍ଷା ଓ ସ୍କୁଲ ଶିକ୍ଷାରୁ ବଞ୍ଚିତ ଏଠିକାର କୋମଳମତି ଶିଶୁମାନେ |ଅଙ୍ଗନବାଡି କର୍ମୀ ଓ ଆଶା କର୍ମୀ ମଧ୍ୟ ବର୍ଷରେ ଥରେ ଗାଁକୁ ଆସୁଥିବା ଗାଁର ମହିଳାମାନେ ଅଭିଯୋଗ ଆଣିଛନ୍ତି |ଅଙ୍ଗନବାଡି କେନ୍ଦ୍ରର ଗର୍ଭବତୀ, ପ୍ରସୂତି ଓ 0-6ବର୍ଷର ଶିଶୁମାନଙ୍କ ପାଇଁ ଉଦ୍ଧିଷ୍ଟ ରନ୍ଧାଖାଦ୍ୟ ଓ ଶୁଖିଲାଖାଦ୍ୟରୁ ମଧ୍ୟ ବଞ୍ଚିତ ରହୁଛନ୍ତି ଏଠିକାର ଗର୍ଭବତୀ, ପ୍ରସୂତି ଓ ଛୋଟଛୋଟ କୋମଳମତି ଶିଶୁମାନେ |ଛୋଟଛୁଆ ମାନେ ମଧ୍ୟ କୁପୋଷଣର ଶିକାର ହେଉଥିବା ଦେଖିବାକୁ ମିଳିଛି |6ମାସରେ ଗୋଟିଏ ଦିନ ହିଁ ଅଣ୍ଡା, ଛତୁଆ ପାଉଥିବା ଅଭିଯୋଗ ଆଣିଛନ୍ତି ହିତାଧିକାରୀ |ଛୋଟ ଛୋଟ ଛୁଆମାନଙ୍କୁ ପ୍ରତିମାସରେ ଓଜନ କରାଯାଉନି କି ସ୍ୱାସ୍ଥ୍ୟ ପରୀକ୍ଷା ମଧ୍ୟ କରାଯାଉନି |ଗାଁକୁ ବିଜୁଳି ସଂଯୋଗ ହୋଇନଥିବାରୁ ସନ୍ଧ୍ୟା ହେଲେ ତାଟି କବାଟ ବନ୍ଦ କରି ଘର ଭିତରେ ହିଁ ରହିବାକୁ ପଡୁଛି |ଦୁଆର ମୁହଁରେ ନିଆଁ ଜାଳି ହିଂସ୍ର ବନ୍ୟଜନ୍ତୁଙ୍କ ଠାରୁ ନିଜକୁ ରକ୍ଷା କରିଆସୁଛନ୍ତି ଏଠିକାର ବାସିନ୍ଦା |ଅଂଚଳଟି ମୋବାଇଲ ନେଟୱାର୍କ ବାହାରେ ରହିଥିବାରୁ ବାହ୍ୟ ଅଂଚଳ ସହିତ ଯୋଗାଯୋଗ କରିବାକୁ ହେଲେ ଅନେକ ସଂଘର୍ଷ କରିବାକୁ ପଡୁଛି |ଗାଁଠାରୁ ଅନେକ ଦୂର ଯାଇ ଏକ ସୁଉଚ୍ଚ ଜାଗାରେ ଠିଆହେଲେ ଯାଇକି ମୋବାଇଲରେ ନେଟୱାର୍କ ଆସେ |ପିଇବା ପାଣିର ସୁବିଧା ପାଇଁ ପ୍ରଶାସନ ପକ୍ଷରୁ ନଦୀକୁଳରେ ଏକ ନଳକୂପ ଖନନ କରାଯାଇଛି, ହେଲେ ନଳକୂପଟି ତଳିଆ ଅଞ୍ଚଳରେ ରହିଥିବାରୁ ମହିଳାମାନେ ମୁଣ୍ଡରେ କାଖରେ ପାଣି ବୋହି ଘରକୁ ଫେରିଲା ବେଳକୁ ଆଣ୍ଠୁ ବସି ଯାଉଥିବା କହିଛନ୍ତି |ପାଖାପାଖି 500ମିଟର ଓଜନ ବୋହି ଚଢିବା ସେମାନଙ୍କ ପାଇଁ କଷ୍ଟସାଧ୍ୟ ହୋଇପଡୁଛି |ଗାଁ ବସି 30ବର୍ଷରୁ ଉର୍ଦ୍ଧ ସମୟ ହୋଇଯାଇଛି ହେଲେ କେବଳ ଦୁଇଜଣ ବ୍ୟକ୍ତି ହିଁ ସରକାରଙ୍କ ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନାରେ ସାମିଲ ହୋଇଛନ୍ତି |ଗାଁ ବୃଦ୍ଧ/ବୃଦ୍ଧା ଅଛନ୍ତି ହେଲେ ବାର୍ଦ୍ଧକ୍ୟ ଭତ୍ତାରୁ ବଞ୍ଚିତ ଅଛନ୍ତି |ପଂଚାୟତରୁ ମିଳୁଥିବା ପିଡିଏସ ଚାଉଳ ମଧ୍ୟ ଦୀର୍ଘ 7କିଲୋମିଟର ମୁଣ୍ଡ ଓ କାନ୍ଧରେ ବୋହିବାକୁ ପଡୁଛି |ଗାଁ ପାଖକୁ ଅଟୋ ଟିଏ ପହଞ୍ଚିବା କାଠିକର ପାଠ |ଏ ବିଷୟରେ ଝରୀଗାଁ ବିଡ଼ିଓ ସତ୍ୟ ନାରାୟଣ ମେହେରଙ୍କୁ ପଚାରିବାରୁ ସେ କୁନିନାଳ ଗ୍ରାମକୁ ଯାଇ ପ୍ରତ୍ୟକ୍ଷ ଭାବେ ସବୁ ଦେଖିଲା ପରେ ଆବଶ୍ୟକୀୟ ପଦକ୍ଷେପ ନେବି ବୋଲି କହିଛନ୍ତି |ଏପରି ଅନେକ ସମସ୍ୟା ଭିତରେ ଛନ୍ଦି ହୋଇଥିବା ଗ୍ରାମବାସିଙ୍କ ଛୋଟ ଛୋଟ ଶିଶୁମାନଙ୍କ ଭବିଷ୍ୟତ କଥାକୁ ଚିନ୍ତାକରି ପ୍ରଶାସନ ଆବଶ୍ୟକ ପଦକ୍ଷେପ ନେଲେ ଗ୍ରାମବାସୀଙ୍କ ସମେତ ଛୋଟ ଛୋଟ ଶିଶୁମାନଙ୍କ ଭବିଷ୍ୟତ ଉଜ୍ଜଳ ହୋଇ ପାରିବ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି |

Comments (0)
Add Comment