ଅନ୍ୟ ରାଜ୍ୟକୁ ଓଡିଶାରୁ ୫୫୯୯ ଟନ୍ ଅକ୍ସିଜେନ୍ ଯୋଗାଣ

ଭବନେଶ୍ୱର: ରାଜ୍ୟରୁ ଅଦ୍ୟାବଧି ୩୦୬ଟି ଟ୍ୟାଙ୍କର୍ ଯୋଗେ ୫୫୯୮.୬୯୨ ଟନ୍‌ରୁ ଅଧିକ ଅକ୍ସିଜେନ୍ ବିଭିନ୍ନ ରାଜ୍ୟକୁ ପଠାଯାଇଛି । ଅନୁଗୁଳ, ରାଉରକେଲା, ଢେଙ୍କାନାଳ ଏବଂ ଯାଜପୁର ଜିଲ୍ଲାରୁ ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ମଧ୍ୟପ୍ରଦେଶ, ତାମିଲନାଡ଼ୁ, ମହାରାଷ୍ଟ୍ର, ଉତରପ୍ରଦେଶ, ହରିୟାଣାକୁ ଅକ୍ସିଜେନ୍ ପଠାଯାଇଛି । ଅକ୍ସିଜେନ୍ ନେଇ ଯାଉଥିବା ଟ୍ୟାଙ୍କର୍‌ଗୁଡ଼ିକର ସହଜ ଯାତାୟତ ନିମନ୍ତେ ଏକ ସ୍ୱତନ୍ତ୍ର ଗ୍ରୀନ୍ କରିଡ଼ର୍ ପ୍ରସ୍ତୁତ କରାଯାଇଛି । ରାଜ୍ୟ ତଥା ରାଜ୍ୟ ଦେଇ ବାହାରକୁ ଅକ୍ସିଜେନ୍ ନେଇ ଯାଉଥିବା ଟ୍ୟାଙ୍କର୍‌ଗୁଡ଼ିକର ଯାତାୟତରେ ଯେମିତି କିଛି ଅସୁବିଧା ନ ଉପୁଜିବ ସେ ନେଇ ରାଜ୍ୟ ପୋଲିସ୍ ତରଫରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି ।
ଅନୁଗୁଳ ଜିଲ୍ଲାରୁ ୩୨ଟି ଟ୍ୟାଙ୍କର୍ ଯୋଗେ ୫୩୩ ଟନ୍‌, ଢେଙ୍କାନାଳ ଜିଲ୍ଲାରୁ ୭୬ଟି ଟ୍ୟାଙ୍କର୍ ଯୋଗେ ୧୧୬୭.୭୪ଟନ୍ , ଯାଜପୁର ଜିଲ୍ଲାରୁ୭୯ଟି ଟ୍ୟାଙ୍କର୍ ଯୋଗେ ୧୬୩୦.୪୬ ଟନ୍ ଏବଂ ରାଉରକେଲାରୁ ୧୧୯ଟି ଟ୍ୟାଙ୍କର୍ ଯୋଗେ ୨୨୬୭.୪୯୨ ଟନ୍ ଅକ୍ସିଜେନ୍ ବିଭିନ୍ନ ରାଜ୍ୟକୁ ପଠାଯାଇଛି ।
୯୦ଟି ଟ୍ୟାଙ୍କର୍‌ରେ ଆନ୍ଧ୍ରପ୍ରଦେଶକୁ ୧୮୪୭.୬୬ ଟନ୍‌, ୮୭ଟି ଟ୍ୟାଙ୍କର୍ ଯୋଗେ ତେଲେଙ୍ଗାନାକୁ ୧୪୪୬.୫୧୯ ଟନ୍‌, ତାଲିମନାଡୁକୁ ୭ଟି ଟ୍ୟାଙ୍କର୍ ଯୋଗେ ୧୩୬.୪୨ ଟନ୍‌, ହରିୟାଣାକୁ ୩୭ଟି ଟ୍ୟାଙ୍କର୍‌ରେ ୭୦୨.୦୨୨ ଟନ୍‌, ମହାରାଷ୍ଟ୍ରକୁ ୧୪ଟି ଟ୍ୟାଙ୍କର୍‌ରେ ୨୩୪.୩୬ ଟନ୍‌, ଛତିଶଗଡ଼କୁ ୧୪ଟି ଟ୍ୟାଙ୍କର୍‌ରେ ୨୧୪.୩୯୧ ଟନ୍‌,ଉତରପ୍ରଦେଶକୁ ୨୫ଟି ଟ୍ୟାଙ୍କର୍ ଯୋଗେ ୪୫୪.୭୩ ଟନ, ୨୯ଟି ଟ୍ୟାଙ୍କର୍ ଯୋଗେ ୫୦୦.୧୭ ଟନ୍‌୍ ମଧ୍ୟପ୍ରଦେଶକୁ, ୦୨ଟି ଟ୍ୟାଙ୍କର୍ ଯୋଗେ ଦିଲ୍ଲୀକୁ ୩୩ ଟନ୍‌, ୦୧ଟି ଟ୍ୟାଙ୍କର୍ ଯୋଗେ ପାବକୁ ୨୯.୩୨ ଟନ୍ ଅକ୍ସିଜେନଯୋଗାଇ ଦିଆଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟ ପୋଲିସ୍ ପକ୍ଷରୁ ଏକ ସ୍ୱତନ୍ତ୍ର ସେଲ୍ ଗଠନ କରାଯାଇଛି । ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଆଇନ୍ ଓ ଶୃଙ୍ଖଳା) ଯଶୋୱନ୍ତ ଜେଠୱାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅକ୍ସିଜେନ୍ ଯୋଗାଣ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରାଯାଉଛି । ଜିଲ୍ଲାର ସମସ୍ତ ଏସ୍‌ପି/ଡିସିପି/ରେଂଜ ଡିଆଇଜି/ଆଇଜିଏବଂ ପୋଲିସ୍ କମିଶନର ନିଜ ନିଜ ଅଂଚଳରେ ଏହି କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଅକ୍ସିଜେନ୍ ଅଭାବର ସମ୍ମୁଖୀନ ହେଉଥିବା ରାଜ୍ୟଗୁଡ଼ିକରେ ଟ୍ୟାଙ୍କର୍‌କୁ ସୁରକ୍ଷିତ ଭାବେ ନିର୍ଦ୍ଧାରିତ ସ୍ଥାନରେ ପହଁଚାଇବାକୁ ରାଜ୍ୟ ପୋଲିସ୍ ସଦାସର୍ବଦା ପ୍ରତିଶ୍ରୁତିବଦ୍ଧ ରହିଛି ।

Comments (0)
Add Comment