ଗୋଷାଣି : ଗଜପତି ଜିଲ୍ଲାରେ ଚଳିତ ବର୍ଷ ବର୍ଷା ଅଭାବ ଯୋଗୁଁ ମରୁଡି ପରିସ୍ଥିତି ଉପୁଜିଛି । ଚାଷି ମାନେ ସମ୍ପୂର୍ଣ୍ଣମାତ୍ରାରେ ହତାସ ହୋଇପଡିଛନ୍ତି । ଧାନ ଗଛ ଗର୍ଭ ଧାରଣ ତଥା ଧାନ ମଞ୍ଜି ଉଠିବା ସମୟରେ ଜମିରେ ପାଣି ବୁନ୍ଦାଏ ନାହିଁ । ଚାଳିଶି ଦିନ ହେଲା ଜିଲ୍ଲାରେ ବର୍ଷା ନାହିଁ । ତିନି ଦିନ ହେଲା ଜିଲ୍ଲାର ସ୍ଥାନେ ସ୍ଥାନେ ଆକାଶ ମେଘାଚ୍ଛନ୍ନ ରହୁଛି । ସ୍ଥାନେ ସ୍ଥାନେ ସ୍ବଳ୍ପ ବୃଷ୍ଟିପାତ ମଧ୍ୟ ହେଉଛି । ଯାହାକୁ ନେଇ ଚାଷିମାନେ ବର୍ଷା ହେବା ସମ୍ଭାବନା ସୃଷ୍ଟି ହେଉଥିବାରୁ ମେଘାଚ୍ଛନ୍ନ ଆକାଶକୁ ଚାତକ ପରି ଅନାଉଛନ୍ତି । ହେଲେ ବର୍ଷା ଚକ୍ମମ୍ମା ଦେଖାଉଛି । ଜିଲ୍ଲାର ସମସ୍ତ ଚାଷିକୂଳ ଚିନ୍ତିତ ଥିବା ବେଳେ ପ୍ରଶାସନ ମଧ୍ୟ ଯଥା ସମ୍ଭବ ଜମିକୁ ଜଳସେଚନ ପାଇଁ ଚେଷ୍ଟା ଜାରି ରଖିଛନ୍ତି । ଜଳାଶୟ ଗୁଡିକ ସୁସ୍କ ହୋଇପଡିଲାଣି । ଏନେଇ ସଭିଏଁ ଚିନ୍ତିତ । ଜିଲ୍ଲାର ସାତ ଗୋଟି ବ୍ଲକ ମଧ୍ୟରୁ ଦୁଇ ଗୋଟି ବ୍ଲକ ଯଥା ଗୋଷାଣି ଓ କାଶୀନଗର ଧାନ ଚାଷର ଗନ୍ତାଘର ଅଟେ । ଏହି ଦୁଇ ଗୋଟି ବ୍ଲକରେ ଧାନଚାଷ ପାଇଁ ସମତଳ ଭୂମୀ ସହ ଜଳସେଚନ ପାଇଁ ବହୁ ସୁବିଧା ରହିଛି । ହେଲେ ଅଭାବି ବର୍ଷା ଯୋଗୁଁ ଏହି ଦୁଇ ଗୋଟି ବ୍ଲକରେ ମରୁଡି ପରିସ୍ଥିତି ସୃଷ୍ଟି ହୋଇଛି । ଯାହାକୁ ନେଇ ସଭିଏଁ ଚିନ୍ତିତ । ଏହି ପରିପ୍ରେକ୍ଷୀରେ ଆଜି ଗୋଷାଣି ବ୍ଲକ ଅଫିସ କାର୍ଯ୍ୟାଳୟ ପରିସରରେ ଗଜପତି ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜି.ତିରୁପତି ରାଓଙ୍କ ଅଧ୍ୟକ୍ଷତାରେ ଜମିକୁ ଜଳ ସେଚନ ଓ ଅଭାବି ବର୍ଷା ସମ୍ପର୍କରେ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ବ୍ଲକ ଅଧ୍ୟକ୍ଷ ଏନ୍.ବୀରରାଜୁ, ପାରଳାଖେମୁଣ୍ଡି ତହସିଲଦାର ନାରାୟଣ ବେହେରା, ଗୋଷାଣି ବିଡିଓ ଅଜୟ କୁମାର ପ୍ରଧାନ, ଗୁରାଣ୍ଡି ଥାନା ଅଧିକାରୀ ରବୀନ୍ଦ୍ର ପାତ୍ର ପ୍ରମୁଖ ମଞ୍ଚାସୀନ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ସହକାରୀ ଯନ୍ତ୍ରୀ ନିହାର ନାୟକ, ଜିପିଇଓ ବିନୋଦ ଗୌଡ, ଗୋଷାଣି ବ୍ଲକ ଉପାଧ୍ୟକ୍ଷ, ସମସ୍ତ ସରପଞ୍ଚ, ସମିତି ସଭ୍ୟ, କୃଷକ ନେତାଗଣ, ସମସ୍ତ ବିଭାଗୀୟ ଅଧିକାରୀ, ରାଜସ୍ବ ନିରୀକ୍ଷକ ଉପସ୍ଥିତଥିଲେ । ଅଭାବି ବର୍ଷା ଯୋଗୁଁ ସୃଷ୍ଟି ହୋଇଥିବା ମରୁଡି ସଙ୍କଟ ବିଷୟରେ ଆଲୋଚନା ହେବା ସହ ବର୍ତ୍ତମାନ ରହିଥିବା ସଂରକ୍ଷିତ ଜଳକୁ କିପରି ବିନିଯୋଗ କରିବା ସହ କୃଷି କାର୍ଯ୍ୟ ଲାଗି ଆବଶ୍ୟକୀୟ ଉପକରଣ ଗୁଡିକୁ ଶତ ପ୍ରତିଶତ ମରାମତି କରି କୃଷକ ମାନଙ୍କୁ ମରୁଡି ଦାଉରୁ କିପରି ରକ୍ଷା କରିବା ଆଦି ସମ୍ପର୍କରେ ଆଲୋଚନା ହୋଇଥିଲା । ଏଥି ଲାଗି ଜଳ ସଂରକ୍ଷଣ କମିଟି ଗଠନ ହୋଇଥିଲା । ଏଥିରେ ପାରଳାଖେମୁଣ୍ଡି ତହସିଲଦାର ଅଧ୍ୟକ୍ଷ ରହିଥିବା ବେଳେ ଜଳ ଆବଣ୍ଟନ ବେଳେ ଯେପରି ବିଶୃଙ୍ଖଳା ସୃଷ୍ଟି ନହୁଏ ସେଥି ପାଇଁ ଏହି କମିଟି କାମ କରିବ । ଏହା ସହ ମାଛ ଚାଷ ପାଇଁ ବିଭିନ୍ନ ପୋଖରୀ ତଥା ଜଳାଶୟ ଗୁଡିକୁ ଏସ୍ଏଚଜିଙ୍କୁ ଠିକା ଦିଆଯାଇଛି । ମାଛ ଚାଷ ପାଇଁ ଯେତିକି ପାଣି ଆବଶ୍ୟକୀୟ ସେହି ପାଣିକୁ ସଂରକ୍ଷଣ ରଖି ଅବଶିଷ୍ଠ ଜଳକୁ ଚାଷିମାନଙ୍କ ଲାଗି ଛାଡିବା ପାଇଁ ଆଲୋଚନା ହୋଇଥିଲା ।