ଅମାନିଆଙ୍କ ଠାରୁ ଆଦାୟ ହେଲାଣି ସାଢ଼େ ୧୪ କୋଟି

ଭୁବନେଶ୍ୱର: କରୋନା ଭାଇରସର ଦ୍ୱିତୀୟ ଲହର ଯୋଗୁ ରାଜ୍ୟରେ ଲକଡାଉନ୍ ଜାରି ରହିଛି । ତେବେ ଏହି ଲକଡାଉନକୁ କିଛି ଲୋକେ ମାନୁନଥିବା ଦେଖିବାକୁ ମିଳିଛି । ଯେଉଁ ଅମାନିଆ ନିୟମ ଭାଙ୍ଗୁଛନ୍ତି, ସେମାନଙ୍କଠାରୁ ଜୋରିମାନା ଆଦାୟ କରାଯାଉଛି । ଗତ ୨ ମାସ ମଧ୍ୟରେ ଅମାନିଆ ସାଢ଼େ ୧୪ କୋଟି ଜୋରିମାନା ଦେଇସାରିଛନ୍ତି । ଏହି କାର୍ଯ୍ୟାନୁଷ୍ଠାନ ନେଇ ଆଇନଶୃଙ୍ଖଳା ଏଡିଜି ଯଶୋବନ୍ତ ଜେଠୱା ସୂଚନା ଦେଇଛନ୍ତି । ସେ କହିଛନ୍ତି, ଗତ ଏପ୍ରିଲ ୧ ତାରିଖରୁ ଏଯାବତ ୪ ଲକ୍ଷ ୭୬ ହଜାର ଅମାନିଆଙ୍କୁ ଧରାଯାଇଛି । ସେମାନଙ୍କ ଠାରୁ ୧୪ କୋଟି ୫୮ ଲକ୍ଷ ଟଙ୍କା ଜୋରିମାନା ଆଦାୟ ହୋଇଛି । ଏହାରି ଭିତରେ ୩୫ଶହ ଦୋକାନ ସିଲ୍ କରାଯାଇ ଥିବା ବେଳେ ୨୭୮ ମାମଲା ମଧ୍ୟ ରୁଜୁ କରାଯାଇଛି । ସେହିପରି ଏହି ଦୁଇ ମାସ ଭିତରେ ୧୩୩୨ ଜଣ ଗିରଫ ହୋଇଛନ୍ତି । ନିୟମ ଭାଙ୍ଗିଥିବା ୨୯ ହଜାର ଗାଡ଼ି ସିଜ୍ କରାଯାଇଛି । ଲକଡାଉନ୍ କଟକଣା ଭିତରେ ଅଧିକ ସାଇବର ଠକେଇ ଘଟୁଥିବା କହିଛନ୍ତି ଏଡିଜି । ସାଇବର ଠକେଇରେ ପଡ଼ିଲେ ତୁରନ୍ତ ୧୫୫୨୬୦କୁ ଜଣାନ୍ତୁ ବୋଲି ଏଡିଜି କହିଛନ୍ତି । ସୂଚନାଯୋଗ୍ୟ, ରାଜ୍ୟରେ ଗତ ୨୪ ଘଣ୍ଟାରେ ୬୦୯୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଆଉ ୪୪ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୩୪୪୬ ଜଣ କ୍ୱାରେଣ୍ଟାଇନ୍‌ରେ ଥିଲେ । ବାକି ୨୬୫୧ଟି ହେଉଛି ଲୋକାଲ୍ କେସ୍ । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୦୧୭ ଜଣ ଚିହ୍ନଟ ହୋଇଥିବା ବେଳେ କଟକରୁ ୬୪୭, ଯାଜପୁରରୁ ୪୩୪ ଓ ବାଲେଶ୍ୱରରୁ ୩୯୨ ଜଣ ଚିହ୍ନଟ ହୋଇଛନ୍ତି ।

Comments (0)
Add Comment