ଅସରାଏ ବର୍ଷା ହେଲେ ମୁଖ୍ୟ ରାସ୍ତା ଉପରେ ନର୍ଦ୍ଦମା ପାଣି

ଡ୍ରେନ୍‌ଜ ବ୍ୟବସ୍ଥା ବିପର୍ଯ୍ୟସ୍ତ 

ରାଇଘର : ଅସରା ବର୍ଷା ହେଲେ ନାଳ ନର୍ଦ୍ଦମା ପାଣି ମୁଖ୍ୟ ରାସ୍ତା ଉପରେ ଭାସୁଥିବା ଦେଖିବାକୁ ମିଳୁଛି l ଡ୍ରେନେଜ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇଥିବା ଯୋଗୁଁ ଏଭଳି ପରିସ୍ଥିତି ସୃଷ୍ଟି ହେଉଥିବା ବେଳେ ଯାତାୟତରେ ଲୋକଙ୍କୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି | ଏଭଳି ପରିସ୍ଥିତି ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ରାଇଘର ମୁଖ୍ୟ ରାସ୍ତାରେ l   ସୂଚନା ଅନୁଯାୟୀ ରାଇଘର ମୁଖ୍ୟ ବଜାର ରାସ୍ତାର ଉଭୟ ପାର୍ଶ୍ୱରେ ଡ୍ରେନର ବ୍ୟବସ୍ଥା ରହିଥିବା ବେଳେ ସ୍ଥାନୀୟ ପଂଚାୟତ ଏହି ଡ୍ରେନର ସଫାଇ ଦାୟିତ୍ୱ ବହନ କରିଛି | ରାସ୍ତାର ଉଭୟ ପାର୍ଶ୍ୱରେ ଡ୍ରେନକୁ ଲାଗି ଦୋକାନ ଗୁଡିକ ରହିଥିବା ବେଳେ ପ୍ରତିଦିନ ଏହି ଡ୍ରେନରେ ଅଳିଆ ଆବର୍ଜନା ପଡ଼ୁଛି l ତେବେ ପ୍ରତି ମାସରେ ପଂଚାୟତ ଏହି ନାଳ ସଫା କରିବାକୁ ହଜାର ହଜାର ଟଙ୍କା ଖର୍ଚ୍ଚ ଦେଖାଉଥିବାବେଳେ, ନାଳରେ ଯେଉଁ ଆବର୍ଜନା କୁ ସେଇ ଆବର୍ଜନା ପଡ଼ି ରହିଥିବା ଦେଖିବାକୁ ମିଳୁଛି l ଫଳରେ ଦିନ ଦିନ ଧରି ଆବର୍ଜନା ସଫା ନହୋଇ ଏହି ନାଳରେ ପୋତି ହୋଇ ରହୁଛି l ଅପରପକ୍ଷରେ ଅଳ୍ପ କିଛି ସମୟ ବର୍ଷା ହେଲେ ନାଳରେ ପାଣି ନିଷ୍କାସନ ହୋଇ ନପାରି ଅଳିଆ ଆବର୍ଜନା ସହ ପାଣି ରାସ୍ତା ଉପରେ ଜମି ହୋଇ ରହୁଥିବା ସହ ଦୁର୍ଗନ୍ଧରେ ପରିବେଶ ଫାଟି ପଡ଼ୁଥିବା ଦେଖିବାକୁ ମିଳୁଛି l ଏହିି ସମୟରେ ଉଭୟ ପାର୍ଶ୍ୱରେ ଥିବା ଦୋକାନୀମାନେ ଦୁର୍ଗନ୍ଧରେ ଅସହ୍ୟ ହେଉଥିବା ସହିତ ସେହି ରାସ୍ତା ଦେଇ ଯାତାୟତ କରୁଥିବା ଲୋକଙ୍କୁ ମଧ୍ୟ ଦୁର୍ଗନ୍ଧମୟ ପରିବେଶର ସମ୍ମୁଖୀନ ହେବାକୁ ପଡ଼ୁଛି l ବ୍ଲକ ପ୍ରଶାସନ ତଥା ପଂଚାୟତ କର୍ତୃପକ୍ଷ ଏହାକୁ ଗୁରୁତ୍ୱ ଦେଇ ତୁରନ୍ତ ଡ୍ରେନର ପୁନଃଉଦ୍ଧାର ନିମନ୍ତେ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବୀ ହେଉଛି | 

Comments (0)
Add Comment