ଧାମରା : ଭଦ୍ରକ ଜିଲା ଆଦାନି ଧାମରା ପୋର୍ଟ ପରିସରରେ ଗତ ୧୯ ଓ ୨୦ ତାରିଖରେ‘ଧାମରା.କନେକ୍ଟ ୨୦୨୪’ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ରାଜ୍ୟ ତଥା ଦେଶର ବିଭିନ୍ନ ସ୍ଥାନରୁ ଭିନ୍ନ ଭିନ୍ନ ଶିଳ୍ପସଂସ୍ଥା, ସରକାରୀ ଓ ବେସରକାରୀ ସଂସ୍ଥାରୁ ଉଚ୍ଚ ପଦାଧିକାରୀମାନେ ଯୋଗ ଦେଇଥିଲେ । ଏହି ଶିଳ୍ପସଂସ୍ଥାଗୁଡ଼ିକ ଧାମରା ପୋର୍ଟ ମାଧ୍ୟମରେ ପଣ୍ୟଦ୍ରବ୍ୟ କାରବାର, ଆମଦାନୀ ଓ ରପ୍ତାନୀରେ ସାହାଯ୍ୟ କରିଥାନ୍ତି । ବିଭିନ୍ନ ଶିଳ୍ପସଂସ୍ଥାଗୁଡ଼ିକୁ ନିର୍ଦ୍ଧାରିତ ସମୟ ଓ ପରିଚାଳନାଗତ ମୂଲ୍ୟରେ କଞ୍ଚାମାଲ ଯୋଗାଇ ଦେଇଥିବାରୁ ଉପସ୍ଥିତ ଅଧିକାରୀମାନେ ପୋର୍ଟର ଏହି ସହଯୋଗକୁ ପ୍ରଂଶସା କରିଥିଲେ ।୨ ଦିନ ବ୍ୟାପୀ ଏହି କାର୍ଯ୍ୟକ୍ରମରେ ଧାମରା ପୋର୍ଟର ବର୍ତ୍ତମାନର କାର୍ଯ୍ୟଶୈଳୀ, ସୁବିଧା ସୁଯୋଗ,ପୋର୍ଟରେ ବ୍ୟବହୃତ ଅତ୍ୟାଧୁନିକ ଯନ୍ତ୍ରାଂଶ ଓ କିପରି ଭାବରେ ପୋର୍ଟ ସହ ଜଡ଼ିତ ଥିବା ଶିଳ୍ପସଂସ୍ଥାଗୁଡ଼ିକୁ ଉତ୍ତମ ସେବା ଯୋଗାଇବାରେ ଶୀର୍ଷ ଭୂମିକା ନେଇ ପାରିବା ଭଳି ଯୋଜନା ଓ ଆଗାମୀ ଭବିଷ୍ୟତରେ ପୋର୍ଟ ସମ୍ପ୍ରସାରଣ ଦିଗରେ ଆଦାନି ଧାମରା ପୋର୍ଟ ସିଇଓ ଦେବେନ୍ଦ୍ର ଠକ୍କର ପ୍ରମୁଖ ବିବରଣୀ ଉପସ୍ଥାପନା କରିଥିଲେ । ଉପସ୍ଥିତ ଅଧିକାରୀମାନଙ୍କୁ ପୋର୍ଟ ପରିଚାଳନା ବିଷୟରେ ପୋର୍ଟର ମୁଖ୍ୟ ପରିଚାଳନା ଅଧିକାରୀ ସଞ୍ଜୀବ ଗୁପ୍ତା ତଥ୍ୟ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ସମସ୍ତ ଅଧିକାରୀମାନେ ଟକ୍-ବୋଟ୍ ମାଧ୍ୟମରେ ସମୁଦ୍ର ଭିତରକୁ ଯାଇ ପୋର୍ଟର ବିଭିନ୍ନ କାର୍ଯ୍ୟାବଳୀ ଅନୁଧ୍ୟାନ କରିଥିଲେ । ଉପସ୍ଥିତ କ୍ୟାପଟେନ୍ ସମସ୍ତ ଅଧିକାରୀମାନଙ୍କୁ ମାନଚ୍ଚିତ୍ର ମାଧ୍ୟମରେ ପୋର୍ଟ ସମ୍ପ୍ରସାରଣ ବିଷୟରେ ବୁଝାଇଥିଲେ । ଏହି କ୍ରମରେ ଆଦାନି ପୋର୍ଟ ଏବଂ ‘ସ୍ପେଶାଲ ଇକୋନୋମିକ୍ ଜୋନ୍ (ଏପିଏସ୍ଇଜେଡ୍)’ର ସିଇଓ ସୁବ୍ରତ ତ୍ରିପାଠୀ ପୋର୍ଟର ସମସ୍ତ ଗ୍ରାହକଙ୍କୁ ଧନ୍ୟବାଦ ଜଣାଇବା ସହିତ ଧାମରା ପୋର୍ଟର କାର୍ଯ୍ୟଶୈଳୀକୁ ମଧ୍ୟ ଭୂୟସୀ ପ୍ରଂଶସା କରିଛନ୍ତି । ପୋର୍ଟର ପ୍ରତ୍ୟେକ ଗ୍ରାହକଙ୍କ ସହ ପ୍ରତ୍ୟେକ୍ଷ ସଂଯୋଗ ଅତ୍ୟନ୍ତ ଆନନ୍ଦ ଦାୟକ ହୋଇଥିବା ବେଳେ ଏହି କାର୍ଯ୍ୟକ୍ରମକୁ ସଫଳ କରାଇଥିଲା ବୋଲି ଶ୍ରୀ ତ୍ରିପାଠୀ କହିଛନ୍ତି । ଭବିଷ୍ୟତରେ ପରସ୍ପରର ଦୃଢ ସହଭାଗିତା ଉପରେ ଶିଳ୍ପସଂସ୍ଥାଗୁଡ଼ିକର ଉପଯୁକ୍ତ ପରାମର୍ଶର କାର୍ଯ୍ୟକାରିତା ନେଇ ପୋର୍ଟ ଅଧିକାରୀମାନେ ଆଶାବାଦୀ ବୋଲି ସେ କହିଥିଲେ । କାର୍ଯ୍ୟକ୍ରମରେ ଧାମରା ପୋର୍ଟର ବିଭିନ୍ନ ବିଭାଗୀୟ ମୁଖ୍ୟ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସୁଚାରୂରୁପେ ପରିଚାଳନା କରିଥିଲେ ।