ଆଦିବାସୀ ନାବାଳିକାକୁ ଗଣଦୁଷ୍କର୍ମ ଅଭିଯୋଗ, ୬ ଅଟକ

ରାୟଗଡ଼ା: ଗୁଣପୁର ଥାନା ଅଂଚଳରେ ଜଣେ ଆଦିବାସୀ ନାବାଳିକା ଗଣଦୁଷ୍କର୍ମର ଶିକାର ହୋଇଛନ୍ତି । ଜଣେ କି ଦୁଇ ଜଣ ନୁହେଁ ଗଣଦୁଷ୍କର୍ମରେ ସଂପୃକ୍ତ ଅଛନ୍ତି ୬ ଯୁବକ । ୮ ମାସ ଧରି ଅଭିଯୁକ୍ତମାନେ ପୀଡ଼ିତାଙ୍କୁ ବିଭିନ୍ନ ସମୟରେ ଦୁଷ୍କର୍ମ କରି ଆସୁଥିବା ଅଭିଯୋଗ ହୋଇଛି । ପୀଡିତା ଏବେ ୬ ମାସର ଗର୍ଭବତୀ ଥିବା ଜଣା ପଡ଼ିବା ପରେ ପୋଲିସ ଗୁଣପୁର ମେଡିକାଲରେ ନାବାଳିକାର ଡାକ୍ତରୀ ମାଇନା କରିଛି । ଘଟଣାରେ ସଂପୃକ୍ତ ୬ ଅଭିଯୁକ୍ତଙ୍କୁ ପୋଲିସ ଉଠାଇ ଆଣି ଥାନାରେ ଅଟକ ରଖି ପଚାର ଉଚାରା କରୁଛି । ରାମନାଗୁଡ଼ା ବ୍ଲକ୍ ଗୁଲୁମୁଣ୍ଡା ପଂଚାୟତର ଆଦିବାସୀ ନାବାଳିକା ଗତ ୮ ମାସ ତଳେ ଗାଁ ନିକଟ ନାଲାକୁ ଗାଧୋଇବାକୁ ଯାଇଥିଲେ । ନାବାଳିକା ଜଣଙ୍କ ଏକାକି ଗାଧୋଉଥିବା ସମୟରେ ପଣସଗୁଡ଼ା ଗାଁର ୫ ଯୁବକ, ବନ୍ଧଗୁଡ଼ା ଗାଁର ଜଣେ ଯୁବକ ନାବାଳିକାକୁ ଜୋର ଜବରଦସ୍ତି ପାଖ ଜଙ୍ଗଲକୁ ଉଠାଇ ନେଇଥିଲେ । ଜଙ୍ଗଲରେ ଜଣେ ପରେ ଜଣେ ଗଣଦୁଷ୍କର୍ମ କରିବା ପରେ ପୀଡ଼ିତାଙ୍କୁ ଛାଡ଼ି ଦେଇଥିଲେ । ଘଟଣା ସଂପର୍କରେ କାହାକୁ କିଛି କହି ନଥିଲେ । ପରବର୍ତୀ ସମୟରେ ଅଭିଯୁକ୍ତମାନେ ନାବାଳିକାକୁ ଭୟଭୀତ କରି ପୃଥକ ପୃଥକ ଭାବେ ବିଭିନ୍ନ ସ୍ଥାନରେ ଗଣଦୁଷ୍କର୍ମ କରି ଆସୁଥିଲେ । ଗତ କିଛି ଦିନ ତଳେ ନାବାଳିକାଙ୍କ ସ୍ୱାସ୍ଥ୍ୟବସ୍ଥାକୁ ଦେଖି ପରିବାର ଲୋକ ସନେ୍ଦହ କରିଥିଲେ । ଗତ ଦୁଇ ଦିନ ତଳେ ନାବାଳିକାଙ୍କ ମାଆ ଆଶାକର୍ମୀଙ୍କ ସହାୟତାରେ ଗୁଣପୁର ମେଡିପାଲକୁ ଯାଇ ସ୍ୱାସ୍ଥ୍ୟ ପରୀକ୍ଷା କରିବା ପରେ ନାବାଳିକା ୬ ମାସର ଗର୍ଭବତୀ ଥିବା ଜଣା ପଡ଼ିଥିଲା । ପରିବାର ଲୋକ ନାବାଳିକାଙ୍କୁ ପଚାର ଉଚରା କରି ଘଟଣା ସଂପର୍କରେ ଜାଣିବା ପରେ ଅଙ୍ଗନବାଡ଼ିକର୍ମୀ ରାମନାଗୁଡ଼ା ସିଡ଼ିପିଓଙ୍କୁ ଘଟଣା ସଂପର୍କରେ ଅବଗତ କରିଥିଲେ । ଖବର ପାଇ ଜିଲ୍ଳା ଶିଶୁ ସୁରକ୍ଷା ଅଧିକାରୀ ରମେଶ ଚନ୍ଦ୍ର ନାୟକ, ସିଡ଼ିପିଓ, ଗୁଲୁମୁଣ୍ଡା ସରପଂଚ ଲଳିତା ଶବର ଗତକାଲି ପଣସଗୁଡାରେ ପହଂଚି ପୀଡ଼ିତାଙ୍କ ସହ ଆଲୋଚନା କରିଥିଲେ । ନାବାଳିକା ଗଣଦୁଷ୍କର୍ମର ଶିକାର ହୋଇଥିବା ଶିଶୁ ସୁରକ୍ଷା ଅଧିକାରୀ ସ୍ପଷ୍ଟ ହେବା ପରେ ଥାନାରେ ଅଭିଯୋଗେ କରିବାକୁ ପୀଡ଼ିତାଙ୍କ ବାପାଙ୍କୁ କହିଥିଲେ । ପୀଡ଼ିତାଙ୍କ ବାପା ଗତକାଲି ରାତି ସାଢେ଼ ୧୦ଟାରେ ଗୁଣପୁର ଥାନାରେ ପହଂଚି ଏତଲା ଦେଇଥିଲେ । ଏତାଲାକୁ ଭିତି କରି ପୋଲିସ ମାମଲା ରୁଜୁ କରିବା ସହ ଗତକାଲି ରାତିରେ ହିଁ ୬ ଅଭିଯୁକ୍ତଙ୍କୁ ପଣସଗୁଡା, ବନ୍ଧଗୁଡାରୁ ଉଠାଇ ନେଇଥିଲା । ସମସ୍ତ ଅଭିଯୁକ୍ତକୁ ଥାନାରେ ପଚାର ଉଚାର କରିବା ପାରେ ପୋଲିସ ପୀଡ଼ିତା ନାବାଳିକାର ଡକ୍ତରୀ ମାଇନା କରିଛି । ଆସନ୍ତାକାଲି ଅଭିଯୁକ୍ତମାନଙ୍କ ଡାକ୍ତରୀ ମାଇନା କରାଯିବ ବୋଲି ଗୁଣପୁର ଏସଡିପିଓ ରାଜ କିଶୋର ଦାଶ ସୂଚନା ଦେଇଛନ୍ତି । ଗୁଣପୁର ଥାନାରେ ଏ ନେଇ କେସ୍ ନଂ-୧୪୭/୨୦୨୦ରେ ମାମଲା ରୁଜୁ ହୋଇଛି । ପୋସ୍କୋ ଆଇନ ସହ ୩୭୬୨ ଏନ୍, ୩୭୬ (୩), ୩୭୬ (ବି) ଧାରା ଲଗାଇ ପୋଲିସ ତଦନ୍ତ ଆରମ୍ଭ କରିଛି । ଗୁଣପୁର ଥାନା ଏସଆଇ ରୁଦ୍ରମାଧବ ମୁଦୁଲୀ ଘଟଣାର ତଦନ୍ତ କରୁଛନ୍ତି । ଏହି ଘଟଣା ଲୋକ ଲୋଚନକୁ ଆସିବା ପରେ ପଣସଗୁଡାରେ ଚାଂଚଲ୍ୟ ଖେଳିଯାଇଛି ।

Comments (0)
Add Comment