ଆମ ସଂସ୍କୃତି ଆମ ଖେଳନା କର୍ମଶାଳା ଅନୁଷ୍ଠିତ

କଳିଙ୍ଗନଗର : ଯାଜପୁର ଜିଲ୍ଲା ଦାନଗଦୀ ବ୍ଲକ ପଙ୍କପାଳ ପଞ୍ଚାୟତ ଅନ୍ତର୍ଗତ ସରକାରୀ ପ୍ରାଥମିକ ବିଦ୍ୟାଳୟ,ପଙ୍କପାଳ ଠାରେ ତା-୨୮-୦୨-୨୦୨୫ ରିଖ ଦିନ ବିଦ୍ୟାଳୟ ସ୍ତରୀୟ ଆମ ସଂସ୍କୃତି ଓ ଆମ ଖେଳଣା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ମାଣତୀରା ଶ୍ରୀଯୁକ୍ତ ସୁରେନ୍ଦ୍ର କୁମାର ବାରିକ ଙ୍କ ସଭାପତିତ୍ବରେ ଆୟୋଜିତ ହୋଇଥିବା ସଭାରେ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ କିଶୋର କୁମାର ଶତପଥୀ ଅତିଥି ପରିଚୟ ପ୍ରଦାନ କରିବାସହ ସରକାରୀ ପ୍ରାଥମିକ ବିଦ୍ୟାଳୟ ପଙ୍କପାଳକୁ ସମସ୍ତ ଅତିଥିମାନଙ୍କୁ ସ୍ଵାଗତ ଜଣାଇଥିଲେ। ମୁଖ୍ୟ ଅତିଥି ଭାବରେ ମଣ୍ଡଳ ଶିକ୍ଷା ଅଧିକାରୀ, ଦାନଗଦୀ ଶ୍ରୀଯୁକ୍ତ ଶୁଭ୍ରାଂଶୁ ପୁହାଣ ଯୋଗଦାନ କରି ଆମ ସଂସ୍କୃତି ଓ ଆମ ଖେଳନା କର୍ମଶାଳାର ମୁଖ୍ୟ ଆଭିମୁଖ୍ୟ ସଂପର୍କରେ ଅଭିଭାଷଣ ପ୍ରଦାନ କରିଥିଲା ବେଳେ ସମ୍ମାନିତ ଅତିଥି ଭାବରେ ଯୋଗଦାନ କରିଥିଲେ ଜିଲ୍ଲା ଏକ୍ସକ୍ୟାଡର ସଂଘର ସଭାପତି ଶ୍ରୀଯୁକ୍ତ ବସନ୍ତ କୁମାର ବିଶ୍ଵାଳ,ଚଣ୍ଡିମାତା ସାଧନ କେନ୍ଦ୍ର ସଂଯୋଜକ ଶ୍ରୀଯୁକ୍ତ ଧର୍ମେଜୟ ରାଉତ,ଜଖପୁରା ସାଧନ କେନ୍ଦ୍ର ସଂଯୋଜକ ଶ୍ରୀଯୁକ୍ତ କୁଳମଣି ମୁଦୁଲି। ପ୍ରଧାନ ଶିକ୍ଷକ କିଶୋର କୁମାର ଶତପଥୀ ଆମ ସଂସ୍କୃତି ଓ ଆମ ଖେଳନା ସଂପର୍କରେ ବହୁମୂଲ୍ୟ ମତାମତ ପ୍ରଦାନ କରିବା ସହ ଆମ ସଂସ୍କୃତି ଓ ପରମ୍ପରାକୁ ସଦା ସର୍ବଦା ଉଜ୍ଜିବିତ ରଖିବାକୁ ଛାତ୍ରଛାତ୍ରୀ ମାନଙ୍କୁ ଆହ୍ୱାନ ଦେଇଥିଲେ। ବିଦ୍ୟାଳୟରେ ପଢୁଥିବା ଛାତ୍ରଛାତ୍ରୀ ମାନେ ନିଜର ସଂସ୍କୃତି ଉପରେ ବିଭିନ୍ନ ଖେଳଣାମାନ ତିଆରି କରି ପ୍ରଦର୍ଶନ କରିଥିଲେ। ମଣ୍ଡଳ ଶିକ୍ଷା ଅଧିକାରୀ ଓ ସମସ୍ତ ଅତିଥିମାନେ ପିଲାମାନଙ୍କ ଦ୍ଵାରା ପ୍ରସ୍ତୁତ ଖେଳଣା ଗୁଡ଼ିକର ଉଚ୍ଚ ପ୍ରଶଂସା କରିଥିଲେ। ପ୍ରଥମ ରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପିଲାମାନଙ୍କ ମଧ୍ୟରେ ବିଭିନ୍ନ ବିଭାଗରେ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥି ମାନଙ୍କ ଦ୍ବାରା ପ୍ରମାଣ ପତ୍ର ସହ ପୁରସ୍କାର ପ୍ରଦାନ କରାଯାଇ ଉତ୍ସାହିତ କରାଯାଇ ଥିଲା। ଶେଷରେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଶ୍ରୀମତୀ ଏଲୋରା ପ୍ରିୟଦର୍ଶିନୀ ରାଉତ ସମସ୍ତ ଅତିଥିମାନଙ୍କୁ ଧନ୍ୟବାଦ ଅର୍ପଣ କରିବା ସହ ସଭା ସାଙ୍ଗ କରିଥିଲେ।

Comments (0)
Add Comment