ଇଫକୋ ପରିସରରେ ଆମୋନିଆ ଦୁର୍ଘଟଣା ଜନିତ ପୂର୍ଣ୍ଣାଙ୍ଗ ଅଭ୍ୟାସ କୌଶଳ ଅନୁଷ୍ଠିତ

ପାରାଦୀପ : ପାରାଦୀପ ଇଫକୋ ସାରକାରଖାନା ପରିସରରେ ଆମୋନିଆ ଗ୍ୟାସ ଲିକେଜ ଓ ଦୁର୍ଘଟଣା ଜନିତ ଏକ ପୂର୍ଣ୍ଣାଙ୍ଗ ଅଭ୍ୟାସ କୌଶଳ ବା ମକ ଡ୍ରିଲ ମଙ୍ଗଳବାର ଦିନ ଆୟୋଜିତ ହୋଇଯାଇଛି l ଜାହାଜରୁ ପାଇପ ଲାଇନ ଯୋଗେ ଆସୁଥିବା ତରଳ ଆମୋନିଆ ଏବଂ କାରଖାନାର ପାଇପ ଲାଇନରେ ଛିଦ୍ର ବା ଲିକେଜ ଜନିତ ଦୁର୍ଘଟଣାର ସମ୍ଭାବ୍ୟ ମୁକାବିଲା ନିମନ୍ତେ ନିୟମିତ ବ୍ୟବଧାନରେ ଅଭ୍ୟାସ କୌଶଳ ବା ମକ ଡ୍ରିଲ ଆୟୋଜିତ ହୋଇଥାଏ l ଏହି ପରିପ୍ରେକ୍ଷୀରେ ଇଫକୋ କାରଖାନା ପରିସରରେ ଆମୋନିଆ ଗଛିତ ଅଞ୍ଚଳରେ ଆୟୋଜିତ ପ୍ରତିଷେଧାତ୍ମକ ଅଭ୍ୟାସ କୌଶଳରେ ଦୁର୍ଘଟଣା ସମୟରେ ସତର୍କତା ପାଇଁ କିପରି ସାଇରନ ବାଜିଲେ ଇଫକୋର ଅଗ୍ନି ଓ ସୁରକ୍ଷା ବିଭାଗ କିପରି ଘଟଣା ସ୍ଥଳରେ ପହଞ୍ଚି କାର୍ଯ୍ୟ କରୁଛନ୍ତି ତାହା ପ୍ରଦର୍ଶିତ ହୋଇଥିଲା l ଆମୋନିଆ ନିର୍ଗତ ହେଉଥିବା ସମ୍ପର୍କରେ ସୂଚନା ପାଇବା ପରେ ମରାମତି ପାଇଁ କାରଖାନାର ମରାମତି ବିଭାଗର ମୁଖ୍ୟ ତଥା ବରିଷ୍ଠ ପ୍ରବନ୍ଧକ ଏସ. ମୁରଲୀକ୍ରୀଷ୍ଣା ଏବଂ ପିଏପି ର ଯୁଗ୍ମ ସାଧାରଣ ପ୍ରବନ୍ଧକ ଜି.କେ.ପାଲ ଘଟଣା ସ୍ଥଳରେ ସ୍ୱତନ୍ତ୍ର ଦଳ ସହ ପହଞ୍ଚି ତୁରନ୍ତ ମରାମତି କାର୍ଯ୍ୟ କରି ସ୍ଥିତିକୁ ନିୟନ୍ତ୍ରଣରେ ଆଣୁଛନ୍ତି ସେହି ଅଭ୍ୟାସ ପ୍ରଦର୍ଶିତ ହୋଇଥିଲା l ଏହି ପୂର୍ଣ୍ଣାଙ୍ଗ ଅଭ୍ୟାସ କୌଶଳ କାର୍ଯ୍ୟକ୍ରମରେ ଫ୍ୟାକ୍ଟ୍ରି ଆଣ୍ଡ ବଏଲର ସହକାରୀ ନିର୍ଦ୍ଦେଶକ ସି.କେ.ଦଳାଇ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ, ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଆଞ୍ଚଳିକ ଅଧିକାରୀ ପୁଷ୍କରଚନ୍ଦ୍ର ବେହେରା, ପାରାଦୀପ ଇଫକୋର ନିର୍ଦ୍ଦେଶକ ତଥା ମୁଖ୍ୟ କେ.ଜେ. ପଟେଲଙ୍କ ସମେତ ଇଫକୋର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ l ଏହି କାର୍ଯ୍ୟକ୍ରମ ଅବସରରେ ତରଳ ଆମୋନିଆ ଲିକେଜ ଜନିତ ଦୁର୍ଘଟଣା ଓ ଏହାର ପ୍ରତିକାର ଏବଂ ସତର୍କତା ସମ୍ପର୍କିତ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା l

Comments (0)
Add Comment