ଇଫକୋ ପାରାଦୀପ ଡିଏଭି ସ୍କୁଲରେ ସାହିତ୍ୟ ସମାବେଶ ଅନୁଷ୍ଠିତ

ପାରାଦୀପ : ପାରାଦୀପ ଉପକଣ୍ଠରେ ଥିବା ଇଫକୋ ପରିସର ସ୍ଥିତ ଡିଏଭି ପବ୍ଲିକ ସ୍କୁଲରେ ଏକ ବର୍ଣ୍ଣାଢ୍ୟ ପରିବେଶରେ ସାହିତ୍ୟ-ସମାବେଶ ଗୁରୁବାର ଦିନ ମହାସମାରୋହରେ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି  ଭାବରେ ପାରାଦୀପ ମହାବିଦ୍ୟାଳୟର  ଇଂରାଜୀ ବିଭାଗୀୟ ମୁଖ୍ୟ ଗଣେଶ୍ୱର ପାତ୍ର ଯୋଗଦାନ କରି ପ୍ରଦୀପ ପ୍ରଜ୍ଜ୍ଵଳନପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଏହି ଅବସରରେ ସମ୍ମାନନୀୟ ଅତିଥି ଭାବରେ ପିପିଏଲ ଡିଏଭି ପବ୍ଲିକ ସ୍କୁଲର ଅଧ୍ୟକ୍ଷ ସଞ୍ଜୀବ କୁମାର ସାହୁ ଉପସ୍ଥିତ ଥିଲେ । ଡିଏଭି ଇଫକୋର ଅଧକ୍ଷ ସମ୍ବିତ ସୁକୁମାର ଚିନାରା ସ୍ୱାଗତ ସମ୍ଭାଷଣ ପୂର୍ବକ ସମସ୍ତ ମାନ୍ୟଗଣ୍ୟ ଅତିଥିମାନଙ୍କୁ ସ୍ବାଗତ କରିଥିଲେ । ଡିଏଭି, ଇଫକୋର ଛାତ୍ରଛାତ୍ରୀମାନେ ଇଂରାଜୀ, ଓଡିଆ,ହିନ୍ଦୀ ତଥା ସଂସ୍କୃତ ଭାଷାରେ ଲିଖିତ  କବିତା ପାଠ, ନାଟକ ଅଭିନୟ, ସଂସ୍କୃତ ଶ୍ଳୋକ ଆବୃତି, ମହାନ କବି ଓ ଲେଖକ ମାନଙ୍କ ସହ ସାକ୍ଷାତକାର, ପ୍ରସିଦ୍ଧ ପୁସ୍ତକ ପାଠ ଏକ ବିହଙ୍ଗାବଲୋକନ ଇତ୍ୟାଦି ଉପସ୍ଥାପନ କରିଥିଲେ । ଏଥିରେ ବିଦ୍ୟାଳୟର ପ୍ରାୟ ୫୧ ଜଣ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ । ମୁଖ୍ୟ ଅତିଥି ଗଣେଶ୍ବର ପାତ୍ର ଛାତ୍ରଛାତ୍ରୀଙ୍କ ପ୍ରତିଭାର ଅନେକ ପ୍ରଶଂସା କରିବା ସହ ସାହିତ୍ୟ ସାଧନା ମଣିଷର କର୍ମକ୍ଳାନ୍ତ ଜୀବନରେ ବଞ୍ଚିବାର ଖୋରାକ ଯୋଗାଏ ଓ ଏହା ନିଜକୁ ବ୍ୟକ୍ତ କରିବାର ଶ୍ରେଷ୍ଠ ମାଧ୍ୟମ ତଥା ସାହିତ୍ୟ ସାଧନା ମାଧ୍ୟମରେ ଦେଶ ମାତୃକାର ସେବା ମଧ୍ୟ ଆମେ କରିପାରିବା କହି ସମସ୍ତଙ୍କୁ ସାହିତ୍ୟ ସାଧନା ପାଇଁ ପ୍ରେରିତ କରିଥିଲେ । ଡିଏଭି ପବ୍ଲିକ ସ୍କୁଲ, ପିପିଏଲର ଅଧ୍ୟକ୍ଷ ସଞ୍ଜୀବ କୁମାର ସାହୁ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ତାଙ୍କର ବହୁମୂଲ୍ୟ ଆଶୀର୍ବଚନ ପ୍ରଦାନ କରିବା ସହ ଦେଶ ଗଠନରେ ଛାତ୍ରଛାତ୍ରୀଙ୍କ ଗୁରୁତ୍ବପୂର୍ଣ ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ । ଦିବସର ସମସ୍ତ କାର୍ଯ୍ୟକ୍ରମ ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ସମ୍ବିତ ସୁକୁମାର ଚିନାରାଙ୍କ ପ୍ରତ୍ୟକ୍ଷ ତ‌ତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ, ଅଣଶୈକ୍ଷିକ କର୍ମଚାରୀ ଉପସ୍ଥିତ ରହିଥିଲେ । କାର୍ଯ୍ୟକ୍ରମର ଏହି ସଫଳତା ପାଇଁ ଇଫକୋ ମୁଖ୍ୟ କେ.ଜେ. ପଟେଲ ଓ ଓଡିଶା ଜୋନ୍ ଡି.ଏ.ଭି ସମୂହର ନିର୍ଦ୍ଦେଶକ ଡକ୍ଟର କେଶବ ଚନ୍ଦ୍ର ଶତପଥୀ ଏବଂ ଉପନିର୍ଦେଶିକା ଡକ୍ଟର ସୁଜାତା ସାହୁ ସାମଗ୍ରୀକ ଭାବରେ ଡି.ଏ.ଭି ଇଫକୋ ବିଦ୍ୟାଳୟର ଅଧ୍ୟକ୍ଷ ସମ୍ବିତ ସୁକୁମାର ଚିନାରା ତଥା ଶିକ୍ଷକ, ଶିକ୍ଷୟିତ୍ରୀ, ଅଭିଭାବକ ଓ ଛାତ୍ରଛାତ୍ରୀମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ ।

Comments (0)
Add Comment