କଟକ: ମାତ୍ର ୧୦ ହଜାର ଟଙ୍କା ଋଣ ନେଇଥିବା ଚାଷୀଙ୍କ ମୁଣ୍ଡରେ ଏବେ ୩ ଲକ୍ଷ ଟଙ୍କାର ବୋଝ । ଆଦୌ ଋଣ ନେଇଥିବା ବ୍ୟକ୍ତିଙ୍କ ଖାତାରେ ବି ବଢ଼ି ଚାଲିଛି ଋଣ ବୋଝା ଏକଥା ଜାଣିଲା ବେଳକୁ ଚାଷୀ ମୁଣ୍ଡରେ ଚଡକ ପଡିଛି । ଅନେକ ଚାଷୀଙ୍କ ଅବସ୍ଥା ଏମିତି ଯେ, ସେମାନେ ଘର, ଜମିବାଡ଼ି ସବୁ ବିକି ଦେଲେ ବି ମୁଣ୍ଡ ଉପରେ ଗଡ଼ୁଥିବା ଋଣ ଶୁଝିବା କଷ୍ଟ । ଏ ସଂପର୍କରେ ଚାଷୀ ୬ ମାସ ହେଲା ବାରମ୍ବାର ଅଭିଯୋଗ କରିଆସୁଥିଲେ । ବି ଶୁଣିବାକୁ କେହି ନାହାନ୍ତି । ପୁଣି ଏଭଳି କେଳେଙ୍କାରୀ ହୋଇଛି ଖୋଦ୍ ସମବାୟ ମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ଆଠଗଡ଼ ବ୍ଲକର ଗୁରୁଡୁଝାଟିଆ ସମବାୟ ସମିତିରେ । ଏଭଳି ବଡ଼ ଧରଣର ଋଣ ଜାଲିଆତି ସମ୍ପର୍କରେ ଜଣାପଡ଼ିବା ପରେ ସ୍ୱତନ୍ତ୍ର ଅଡିଟ କରାଯାଇଥିଲା । ସେହି ଅଡିଟରୁ ମିଳିଥିବା ତଥ୍ୟ ଅନୁଯାୟୀ ଗୁରୁଡ଼ୁଝାଟିଆ ସେବା ସମବାୟ ସମିତିରେ ୧ କୋଟି ୫୦ ଲକ୍ଷ ଟଙ୍କାର ଦୁର୍ନୀତି ହୋଇଛି । ଅଡିଟ ରିପୋର୍ଟ ପରେ ପିଅନ, ସମ୍ପାଦକଙ୍କ ସମେତ ୬ ଜଣ ତଳିଆ କର୍ମଚାରୀଙ୍କୁ ନିଲମ୍ବିତ କରିଦେଇ ଚୁପ ବସିଛି ବିଭାଗ । ଅଧିକ ଖୋଳତାଡ ହେଉନି କି ଚାଷୀଙ୍କ ନାମରେ ଗଡୁଥିବା ଋଣ ଟଙ୍କା ବି କଟୁନି । ଅନ୍ୟପଟେ ଚାଷୀମାନଙ୍କ ଦସ୍ତଖତକୁ ଜାଲିଆତି କରି ବ୍ଲାଙ୍କ ଚେକ, ଜରିଆରେ ଟଙ୍କା ହଡପ ହୋଇଥିବା ପ୍ରାଥମିକ ତଦନ୍ତ ଓ ଅଡିଟ ରିପୋର୍ଟରୁ ସ୍ପଷ୍ଟ ହୋଇଛି । ସୂଚନା ଅନୁଯାୟୀ କୁଳଥପଙ୍ଗି ଗ୍ରାମର ଚାଷୀ ଭଗବାନ ସାମଲ ୨୦୧୮ ମସିହାରୋ ଗୁରୁଡୁଝାଟିଆ ସେବା ସମବାୟ ସମିତିରୁ ୧୦ ହଜାର ଋଣ ନେଇଥିଲେ । କିନ୍ତୁ ଏବେ ତାଙ୍କ ଉପରେ ୩ଲକ୍ଷ ଟଙ୍କାର ଋଣ ଥିବା ଦର୍ଶାଯାଇଛି । ଯାହାକୁ ନେଇ ଭଗବାନ ଏବେ ଗୁରୁତର ମାନସିକ ଦୁଶ୍ଚିନ୍ତାରେ ପଡିଛନ୍ତି । ଖମାରନୂଆଗାଁର ଚାଷୀ ପ୍ରତିମା ରାଉତ ୧୦ ହଜାର ଟଙ୍କା ଋଣ ନେଇଥିବା ବେଳେ ଏବେ ତାଙ୍କ ଉପରେ ୧ ଲକ୍ଷ ୧୯ ହଜାର ୩୯୨ ଟଙ୍କାର ଋଣ ବୋଝା ଚିନ୍ତାମଣି ପ୍ରଧାନ, ପ୍ରଦୀପ ନାୟକଙ୍କ ଅବସ୍ଥା ବି ସମାନ । ହେଲେ ସବୁଠୁ ଚଳିତ କଲା ଭଳି ଘଟଣା ହେଲା ଯେ ରଜନୀ ନାଏକ ଆଦୌ ଋଣ ନେଇ ନଥିଲେ କି ବି ତାଙ୍କ ଜମା ଖାତାରେ ୨ ଲକ୍ଷ ୫୫ ହଜାର ୫୪୦ ଟଙ୍କାର ଋଣ ଥିବା ଦର୍ଶାଯାଇଛି ।