ପୁରୀ: ଏଟିଏମ ଲୁଟ କରିବା ପାଇଁ ଯୋଜନା ପ୍ରସ୍ତୁତ କରୁଥିବା ଡକାୟତି ଗ୍ୟାଙ୍ଗର ୬ଜଣଙ୍କୁ କୁମ୍ଭାରପଡା ଥାନା ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ୩ଜଣ ଫେରାର ଅଛନ୍ତି । ଗିରଫ ଅଭିଯୁକ୍ତମାନେ ହେଲେ କୁମ୍ଭାରପଡା ଥାନା ଅନ୍ତର୍ଗତ ସୁଦର୍ଶନ ନଗରର ଶିବ ଦାସ (୨୮), ଟାଉନଥାନା ଅନ୍ତର୍ଗତ ଗଣାମଲ୍ଲସାହିର ରିତେଶ ମହାପାତ୍ର ଓରଫ ବିକି (୨୦), ବାଲିସାହିର ଆନନ୍ଦ ସ୍ୱାଇଁ (୨୦), ମଣିକର୍ଣ୍ଣିକା ସାହିର ଚିତ୍ତରଞ୍ଜନ ମହାନ୍ତି ଓରଫ ପପୁ (୩୧), ବଳିଆପଣ୍ଡା ଥାନା ଅନ୍ତର୍ଗତ ବିଜୟ ନଗରର ସୁଦର୍ଶନ ସାହୁ ଓରଫ ସୁଧା (୪୫) ଓ ବାସେଳୀସାହି ଥାନା ଅନ୍ତର୍ଗତ ମିଶ୍ରସାହି ଜଗନ୍ନାଥ ବସ୍ତିର ମନୋଜ ପଣ୍ଡା ଓରଫ ମୁନା (୨୦) । ଅଭିଯୁକ୍ତମାନଙ୍କ ଠାରୁ ପୁଲିସ ୨ଟି ଜୀବନ୍ତ ବୋମା, ୨ଟି ଖଣ୍ଡା, ୨ଟି ଲୁହାରଡ ଓ ଗୋଟିଏ ଟର୍ଚ୍ଚ ଲାଇଟ ଜବତ କରିଛି । ପୁଲିସ ସୂତ୍ରରୁ ପ୍ରକାଶ ଯେ କୁମ୍ଭାରପଡା ଥାନା ପକ୍ଷରୁ ଗତକାଲି ରାତ୍ରରେ ପାଟ୍ରୋଲିଂ କରାଯାଉଥିଲା । ଏହି ସମୟରେ ପୁଲିସ ଖବର ପାଇଥିଲା ଯେ ଦେବୀଘାଟ ନରେନ୍ଦ୍ରକୋଣ ଦଶତୁଠ ଠାରେ କେତେକ ଯୁବକ ଏକାଠି ହୋଇ ବଡଦାଣ୍ଡ ମେଡିକାଲ ଛକରେ ଥିବା ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଏଟିଏମ ଭାଙ୍ଗି ଲୁଟ କରିବା ପାଇଁ ଯୋଜନା କରୁଛନ୍ତି । ଏହାକୁ ଆଧାର କରି ପୁଲିସ ଘଟଣାସ୍ଥଳରେ ରାତ୍ର ୧୧ଟା୩୦ ସମୟରେ ଅତର୍କିତ ଚଢାଉ କରିଥିଲା । ସେଠାରେ ପୁଲିସ ୬ଜଣଙ୍କୁ ଗିରଫ କରିବା ସହ ୩ଜଣ ଫେରାର ହୋଇଯାଇଥିଲେ । ଏ ସଂପର୍କରେ କୁମ୍ଭାରପଡା ଥାନା ଏସଆଇ ବିଜୟ କୁମାର ପଣ୍ଡାଙ୍କ ଅଭିଯୋଗ କ୍ରମେ ଥାନାରେ ୩୫/୨୦୨୧ରେ ମାମଲା ରୁଜୁ ହୋଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଶିବ ଦାସଠାରୁ ଗୋଟିଏ ଖଣ୍ଡା, ବିକିଠାରୁ ୨ଟି ଜୀବନ୍ତ ବୋମା, ଆନନ୍ଦ ଠାରୁ ଗୋଟିଏ ଲୁହାରଡ, ପପୁଠାରୁ ଗୋଟିଏ ଟର୍ଚ୍ଚ ଲାଇଟ୍, ସୁଧାଠାରୁ ଗୋଟିଏ ଖଣ୍ଡା ଓ ମୁନାଠାରୁ ଗୋଟିଏ ଲୁହା ରଡ ରଡ ଜବତ କରାଯାଇଛି ।