ଭୁବନେଶ୍ୱର: କରୋନା ମହାମାରୀ କାଳରେ ମଦ୍ୟପମାନେ ଘରେ ବସି ଯେଉଁ କମ୍ପାନୀର ମଦ ଚାହିଁବେ ତାହା ନିକଟସ୍ଥ ସରକାରୀ ଅନୁମତିପ୍ରାପ୍ତ ମଦ ଦୋକାନରୁ ପାଇପାରିବେ । ଦେକାନରେ କାମ କରୁଥିବା କର୍ମଚାରୀ (ଡେଲିଭରି ବୟ) ଘରେ ନେଇ ମଦ ପହଂଚାଇବେ । ବୁଧବାର ଏଭଳି ନିର୍ଦେଶନାମା ରାଜ୍ୟ ସରକାରଙ୍କ ଅବକାରୀ ବିଭାଗ ପକ୍ଷରୁ ଜାରି ହୋଇଛି । ଏନେଇ ବିଭାଗୀୟ ପ୍ରମୁଖ ସଚିବ ଏସ୍.କେ. ଲୋହାନୀ ରାଜ୍ୟ ଅବକାରୀ ଆଯୁକ୍ତଙ୍କୁ ଦେଇଥିବା ପତ୍ରରେ ଦର୍ଶାଇଛନ୍ତି ଯେ ରାଜ୍ୟ ସରକାରଙ୍କ ପକ୍ଷରୁ ଓଡ଼ିଶା ଅବକାରୀ ଆଇନ-୨୦୦୮ର ଅନୁଶୀଳନ ପରେ ରାଜ୍ୟ ସରକାର ଘରେ ମଦ ପହଂଚାଇବା ପାଇଁ ନିଷ୍ପତି ନେଇଛନ୍ତି । ତେବେ ଏଥିପାଇଁ ସମ୍ପୃକ୍ତ ଜିଲ୍ଲାପାଳଙ୍କୁ ଉପଯୁକ୍ତ ନିଷ୍ପତି ଓ କ୍ଷମତା ବ୍ୟବହାର କରିବାକୁ କୁହାଯାଇଛି । ଏହି ନିର୍ଦେଶନାମା କାର୍ଯ୍ୟକାରୀ ସମୟରେ ଗତବର୍ଷ ମେ’ ୨୩ ଓ ଜୁନ୍ ୨୯ରେ ଯେଉଁ ମାର୍ଗଦର୍ଶିକା ଜାରି କରାଯାଇଥିଲା ତାହା ଅନୁସରଣ କରିବାକୁ ଶ୍ରୀ ଲୋହାନୀ ପତ୍ରରେ ଦର୍ଶାଇଛନ୍ତି ।