ଭୁବନେଶ୍ୱର: ରାଜ୍ୟରେ କରୋନା ଭୂତାଣୁ ସଂକ୍ରମଣ ଦୃଷ୍ଟିରୁ ସ୍କୁଲ , କଲେଜ ଖୋଲିବା ନେଇ କୌଣସି ନିଷ୍ପତି ନିଆଯାଇ ନାହିଁ ବୋଲି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି । ତେବେ କେବେ ସ୍କୁଲ ଖୋଲିବ ସେ ନେଇ ନିର୍ଦ୍ଧିଷ୍ଟ ଭାବେ କୌଣସି ସୂଚନା ଦେଇନାହାଁନ୍ତି । ଆଜି ଗଣମାଧ୍ୟମକୁ ସେ କହିଛନ୍ତି ଯେ, ସ୍କୁଲ, କଲେଜ ଆଦି ଶିକ୍ଷାନୁଷ୍ଠାନ ଖୋଲିବା ନେଇ ମୁଖ୍ୟମନ୍ତ୍ରୀ ହିଁ ନିଷ୍ପତି ନେବେ । ତେବେ ରାଜ୍ୟରେ ସ୍କୁଲ, କଲେଜ ଗୁଡିକୁ ଚଳାଇବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି । ସ୍କୁଲ , କଲେଜ ଖୋଲିବା ନେଇ ଏବେ କେବଳ ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତିକୁ ଅପେକ୍ଷା କରାଯାଇଛି । ଚଳିତ ମାସ କୋଭିଡ୍ ଗାଇଡଲାଇନ୍ ଆସିଲେ ସେ ନେଇ ସ୍ପଷ୍ଟ ହେବ । ଶ୍ରୀ ଦାସ କହିଛନ୍ତି, ସ୍କୁଲ ଖୋଲିବା ନେଇ, ସିଏମଓ ଠିକ୍ ସମୟରେ ଠିକ୍ ସୂଚନା ଦେବେ । ବିଭାଗ ପ୍ରସ୍ତୁତ ଅଛି । ମୁଖ୍ୟମନ୍ତ୍ରୀ ଯାହା ନିଷ୍ପତି ନେବେ ତାହା କାର୍ଯ୍ୟକାରୀ ହେବ । ସୂଚନା ଯୋଗ୍ୟଯେ, କରୋନା ସଂକ୍ରମଣ ଦୃଷ୍ଟିରୁ ଗତ ମାର୍ଚ୍ଚ ମାସରୁ ପ୍ରାଥମିକ ବିଦ୍ୟାଳୟ ଠାରୁ ଆରମ୍ଭ କରି ବିଶ୍ୱବିଦ୍ୟାଳୟ ପର୍ଯ୍ୟନ୍ତ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି । ପୂର୍ବରୁ ସ୍କୁଲ ଖୋଲିବା ନେଇ ରାଜ୍ୟ ସରକାର ବିଭିନ୍ନ ଘୋଷଣା କରିଥିଲେ ମଧ୍ୟ ସଂକ୍ରମଣ ଦୃଷ୍ଟିରୁ ସମ୍ବବପର ହୋଇନାହିଁ । ପ୍ରକାଶ ଥାଉକି ପୂଜା ଛୁଟି ତଥା ଅକ୍ଟୋବର ଶେଷ ପର୍ଯ୍ୟନ୍ତ ସ୍କୁଲ, କଲେଜ ଗୁଡିକ ବନ୍ଦ ରହିବ ବୋଲି ପୂର୍ବରୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ । ଅକ୍ଟୋବର ମାସ ଶେଷ ହେବାକୁ ଆଉ ମାତ୍ର ଗୋଟିଏ ଦିନ ବାକି ଥିବା ବେଳେ ବର୍ତମାନ ସୁଦ୍ଧା ମୁଖ୍ୟମନ୍ତ୍ରୀ କୌଣସି ଘୋଷଣା କରି ନାହାଁନ୍ତି । ତେବେ ଏବେ ରାଜ୍ୟରେ ସ୍କୁଲ, କଲେଜ ଖୋଲିବାର ସମ୍ବାବନା ନଥିବା ଆଶଙ୍କା ପ୍ରକାଶ ପାଇଛି ।