ପୁରୀ: ଏମାର ମଠରୁ ମିଳିଥିବା ରୁପା ଇଟା ପ୍ରସଙ୍ଗ ପୁଣି ଥରେ ଚର୍ଚ୍ଚାକୁ ଆସିଛି । ଶହେ କୋଟିର ଏହି ଗୁପ୍ତ ଧନକୁ ନେଇ ଉସ୍ଚୁକତା ବି ବଢ଼ିଛି । ତେବେ ଦୀର୍ଘ ୯ ବର୍ଷ ପରେ ମାମଲା ଆଗକୁ ବଢ଼ିନଥିବା ଜଣାପଡ଼ିବା ପରେ ଏହାକୁ ନେଇ ଚାରିଆଡୁ ପ୍ରବଳ ପ୍ରତିକ୍ରିୟା ପ୍ରକାଶ ପାଇଛି । ଶ୍ରୀଜଗନ୍ନାଥ ଓ ମଠ ସହିତ ଜଡିତ ମାମଲାକୁ ଯଦି ଏମିତି ନ୍ୟାୟ ଦେଉଛି, ତେବେ ରାଜ୍ୟରେ ସାଧାରଣ ଜନତା ପୋଲିସ ଠାରୁ କି ନ୍ୟାୟ ଆଶା କରିବେ ବୋଲି ମତ ପ୍ରକାଶ ପାଇଛି । ତଦନ୍ତ ପ୍ରକ୍ରିୟାରେ ପୋଲିସ ନିରବତା ମାମଲାକୁ ନେଇ ରହସ୍ୟ ବଢ଼ାଇଛି । ପୋଲିସ ଏହି ସ୍କର୍ଶକାତର ଘଟଣାରେ ୯ ବର୍ଷ ପରେ କାହିଁକି ଚାର୍ଜସିଟି ଦେଇନାହିଁ ।, କାହା ଚାପରେ ପୋଲିସ ମାମଲାରୁ ଅହେତୁକ ବିଳମ୍ବ କରିବାକୁ ବାଧ୍ୟ ହୋଇଛି, ପୋଲିସ ରୂପା ଇଟା ଚୋରି ପ୍ରସଙ୍ଗରେ ଚେର ପର୍ଯ୍ୟନ୍ତ ନ ଯାଇ ଅଧାରେ ଛାଡ଼ିଦେଇ କାହିଁକି ପଳାୟନ କରିଛି ଆଦି ପ୍ରସଙ୍ଗ ଏବେ ବିତର୍କର ବିଷୟ ହୋଇଛି । ଗତ ୯ ବର୍ଷ ଭିତରେ ୧୦ ଜଣ ତଦନ୍ତକାରୀ ଅଧିକାରୀ ଓ ୬ ଜଣ ଏସପି ଏଠାରୁ ଅନ୍ୟତ୍ର ବଦଳି ହୋଇସାରିଛିନ୍ତି । ସେ ଦିନର ଏସପି ଏବେ ଡିଆଇଜି ହେଲେଣି । ମାତ୍ର କେଉଁ ଅଦୃଶ୍ୟ ବାଧ୍ୟବାଧକତାରେ ରୁପା ଇଟା ଫାଇଲ ଡୋରିକୁ ବାନ୍ଧି ଦିଆଯାଇଛି ତାହା ଏବେ ରହସ୍ୟମୟ ହୋଇପଡ଼ିଛି । ଏହି ଘଟଣାରେ ପୋଲିସ କେବଳ ଢେଙ୍କନାଲ ଦୁଇ ଶ୍ରମିକ, ମଠ ମହନ୍ତ, ଚେଲା, ଜୁଏଲାରି ମାଲିକ ଓ କିଛି ବ୍ୟବସାୟୀଙ୍କୁ ଗିରଫ କରିଥିବା ବେଳେ ଏମାର ମଠର ଗୁପ୍ତଧନ ପ୍ରସଙ୍ଗରେ ଆଗକୁ ବଢ଼ିନାହିଁ । ମାମଲାକୁ ବିଳମ୍ବିତ କରି ପ୍ରମାଣ ନଷ୍ଟ କରିବା ଓ ଜବତ ଅଳଙ୍କାରକୁ ବୈଧ କରିବାକୁ ପ୍ରୟାସ କରାଯାଉନାହିଁ ତ ବୋଲି ଏବେ ପ୍ରଶ୍ନ ଉଠିଛି । ଏହି ମାମଲାରେ କିଛି ପ୍ରଭାବଶାଳୀଙ୍କ ସଂପର୍କ କଥା ମଧ୍ୟ ଚର୍ଚ୍ଚାକୁ ଆସୁଛି । ଏହି ଘଟଣାକୁ ନେଇ ଶ୍ରୀଜଗନ୍ନାଥ ସେନା ପକ୍ଷରୁ ଏସପି ଅଖିଲେଶ୍ୱର ସିଂହଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ମାମଲାର ସିବିଆଇ ତଦନ୍ତ କରିବା ସହିତ ପୋଲିସ ଅସ୍ତ୍ରାଗାରରେ ରହିଥିବା ରୁପା ଇଟାର ସ୍ଥିତି ସଂପର୍କରେ ଜଣାଇବାକୁ ଦାବି ମଧ୍ୟ କରାଯାଇଛି । ଏ ସଂପର୍କରେ ଏଡିଜି କ୍ରାଇମବ୍ରାଂଚ ତଥା ପୂର୍ବତନ କେନ୍ଦ୍ରାଂଚଳ ଆଇଜି ଥିବା ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି, କାହାକୁ ନେଇ ପ୍ରାଥମିକ ଚାର୍ଜସିଟ୍ ହୋଇଛି, ଚୂଡାନ୍ତ ଚାର୍ଜସିଟ୍ କାହିଁକି ହୋଇନାହିଁ, ତାହା ଅନୁଧ୍ୟାନ କରିବା ପରେ କହିବେ । ମାମଲାଟି ଏବେ କେଉଁଠି ଅଟକିଛି ତା’ର ମଧ୍ୟ ଅନୁଧ୍ୟାନ କରିବେ ବୋଲି ସେ ସୂଚନା ଦେଇଛନ୍ତି । ଏପଟେ ମଠ ରୁପା ଇଟା ପ୍ରସଙ୍ଗରେ ପୋଲିସ ଓ ସରକାର ନିରବ ରହିଛନ୍ତି । ଏଭଳି ମାମଲାରେ କାହିଁକି ଚାର୍ଜସିଟ୍ କରାଯାଇ ନାହିଁ ତାକୁ ନେଇ ପୁରୀରେ ବିଭିନ୍ନ ମହଲରେ ପ୍ରଶ୍ନ ଉଠିଛି । ଦେବୋତର ବିଭାଗ ଅଧୀନରେ ଥିବା ମଠରୁ ବାହାରିଥିବା ସଂପତିର ଅଧିକାର ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର । ସେହି ଦୃଷ୍ଟିରୁ ଜବତ ଇଟା ମହାପ୍ରଭୁଙ୍କ ରତ୍ନଭଣ୍ଡାରକୁ ପଠାଇବାକୁ ଶ୍ରୀ ଜଗନ୍ନାଥ ସେନା ଦାବି କରିଛି । ଅନ୍ୟପଟେ ମହନ୍ତ ରାଜଗୋପାଳ ରାମାନୁଜଙ୍କ ଟ୍ରଷ୍ଟି ପଦ ରଦ୍ଧ ହେବା ପରେ ଏହାକୁ ନେଇ ମାମଲା ଏବେ ହାଇକୋର୍ଟରେ ବିଚାରାଧୀନ ରହିଛି । ତେବେ ପୋଲିସ ତଦନ୍ତ ପ୍ରକ୍ରିୟାରେ ନିରବତା ପୁଣିଥରେ ରୁପା ଇଟାକୁ ମଠ ମହନ୍ତଙ୍କୁ ଟେକି ଦେବାକୁ ଉଦ୍ୟମ କରାଯାଉଥିବା ସନ୍ଦେହ ପ୍ରକାଶପାଇଛି ।