ଏସସିବିରେ ଆହୁରି ବଢିବ ୧୦୦ ବେଡ୍

ଭୁବନେଶ୍ୱର: କଟକ ସ୍ଥିତ ଶ୍ରୀରାମ ଚନ୍ଦ୍ର ଭଂଜ ମେଡିକାଲ କଲେଜରେ ଆଗାମୀ ଦିନରେ ଆହୁରି ୧୦୦ ବେଡ ବଢ଼ିବ । ଏଥିରେ ୪୧ଟି ଆଇସିୟୁ ବେଡ ଓ ୪୦ଟି ଏଚ୍‌ଡିୟୁ ରହିବ । ଏସ୍‌ସିବିକୁ ମିଶାଇ କଟକରେ ଏବେ ୧୨ ଶହ ବେଡ, ୩୦୦ ଆଇସିୟୁ ଅଛି । ଏହାସହ ହେଲପ ଲାଇନ୍ ନମ୍ବର ମଧ୍ୟ ଜାରି କରାଯାଇଛି । କୋଭିଡ ସଂପର୍କିତ ସୂଚନା ଦେବା ଅବସରରେ କଟକ ମହାନଗର ନିଗମ (ସିଏମ୍‌ସି) କମିଶନର ଅନନ୍ୟା ଦାସ ଏହା କହିଛନ୍ତି । ଶ୍ରୀମତୀ ଦାସ କହିଛନ୍ତି ଯେ, ସଂକ୍ରମିତ ମାନେ ଘରେ ରହି ଚିକିତ୍ସିତ ହୁଅନ୍ତୁ । ଜରୁରୀ ପଡ଼ିଲେ କୋଭିଡ କେଂଟ୍ରାଲ ରୁମ ନଂ ୭୦୭୭୭୭୫୫୫୫୫ ସହ ଯୋଗାଯୋଗ କରନ୍ତୁ । ଟୋଲ ଫ୍ରି ନମ୍ବର ୧୮୦୦୩୪୫୮୨୮୯କୁ ଜଣାନ୍ତୁ । ଲକ୍ଷଣ ଥାଇ ଆଂଟିଜେନ ଟେଷ୍ଟ ରିପୋର୍ଟ ନେଗେଟିଭ ଆସିଲେ ସୂଚନା ଦିଅନ୍ତୁ । କୋଭିଡ ହସ୍‌ପିଟାଲରେ ସସପେକ୍ସ ହିସାବରେ ଭର୍ତି କରାଯିବ । କମ ଲକ୍ଷଣ ଥିବା ବ୍ୟକ୍ତି ଗୃହ ସଂଗରୋଧରେ ଭଲ ହେଉଛନ୍ତି । ରାପିଡ ରେସପନ୍ସ ଟିମ ସେମାନଙ୍କର ସ୍ୱାସ୍ଥ୍ୟବସ୍ଥା ଉପରେ ନଜର ରଖୁଛି । ହୋମ ଆଇସୋଲେସନର ସୁବିଧା ନଥିଲେ କୋଭିଡ କେୟାରକୁ ଅଣାଯାଉଛି । କୋଭିଡ କେୟାର ସେଂଟରରେ ପର୍ଯ୍ୟାପ୍ତ ପରିମାଣରେ ବେଡ ଉପଲବ୍ଧ ଅଛି । ବର୍ତମାନ କୋଭିଡ କେୟାର ସେଂଟରରେ ବେଡ ଆକ୍ୟୁପେନ୍ସି ୪୦ରୁ ୫୦ ପ୍ରତିଶତ । କୋଭିଡ କେୟାର ସେଂଟରରେ ଅକ୍ସିଜେନ ଉପଲବ୍ଧ ଅଛି । ଦରକାର ପଡ଼ିଲେ ଆକ୍ରାନ୍ତଙ୍କୁ କୋଭିଡ ହସ୍‌ପିଟାଲକୁ ପଠାଯାଉଛି । ଆଇସିୟୁ ବେଡ ଉପରେ ଚାପ ରହୁଛି । ଏହାକୁ ଦୂର କରିବା ପାଇଁ ଏସ୍‌ସିବିର କ୍ଷମତାକୁ ବଢ଼ାଇବାକୁ ପ୍ରୟାସ କରାଯାଉଛି । କୋଭିଡ କଣ୍ଟ୍ରୋଲ ରୁମରେ ଉତ୍ସର୍ଗୀକୃତ ଡାକ୍ତର, ନର୍ସ ଓ ଅନ୍ୟ ମେଡିକାଲ କର୍ମଚାରୀ ଅଛନ୍ତି ବୋଲି ଶ୍ରୀମତୀ ଦାସ କହିଛନ୍ତି । କଟକ ସହରରେ ୩୬୮୫ ଜଣ ସକ୍ରିୟ କରୋନା ଆକ୍ରାନ୍ତଙ୍କ ଚିକିତ୍ସା ଜାରି ରହିଛି । ୮୮ ପ୍ରତିଶତ ଆକ୍ରାନ୍ତ ଗୃହ ସଂଗରୋଧରେ ଅଛନ୍ତି । କୋଭିଡ କେୟାର ସେଂଟରରେ ୪୦ରୁ ୫୦ ପ୍ରତିଶତ ଶଯ୍ୟା ପୂର୍ଣ୍ଣ ଅଛି । ସେଥିରୁ ୧୦ ପ୍ରତିଶତ ଆକ୍ରାନ୍ତଙ୍କୁ କୋଭିଡ ହସ୍‌ପିଟାଲକୁ ସ୍ଥାନାନ୍ତରଣ କରିବାକୁ ପଡ଼ିଛି ବୋଲି ସେ ସୂଚନା ଦେବା ସହ ଲୋକମାନେ ଲକଡାଉନ୍ ଓ କୋଭିଡ୍ ନିୟମ ପାଳନ କରନ୍ତୁ ଏବଂ ମାର୍କେଟରୁ ପରିବା କିଣିବାକୁ ହେଲେ ପାଖ ଦୋକାନକୁ ଯାଇ ପରିବା ଆଣନ୍ତୁ ବୋଲି ସେ ପରାମର୍ଶ ଦେଇଛନ୍ତି ।

Comments (0)
Add Comment