ଏସସିବିରେ ପରୀକ୍ଷା ପାଇଁ ରୋଗୀଙ୍କ ମାସମାସ ଧରି ଅପେକ୍ଷା !

କଟକ: କଟକ ବଡ ମେଡିକାଲରେ ଛୋଟ ଛୋଟ ପରୀକ୍ଷା ଲାଗି ରୋଗୀଙ୍କୁ ମାସ ମାସ ଧରି ଅପେକ୍ଷା କରିବାକୁ ପଡୁଥିବା ଅଭିଯୋଗ ହୋଇଛି । ଫଳରେ ଜଣେ ରୋଗୀକୁ ପରୋକ୍ଷ ଭାବେ ଘରୋଇ ନିଦାନ କେନ୍ଦ୍ରକୁ ଯିବା ପାଇଁ ବାଧ୍ୟ କରାଯାଉଛି । ପରୀକ୍ଷାରୁ ବଞ୍ଚିତ ହେଉଥିବା ରୋଗୀଙ୍କର ରୋଗ ଦ୍ୱିଗୁଣ ହୋଇଯାଉଛି । ସରକାର ନିଦାନ ଯୋଜନାରେ ବିଭିନ୍ନ ପରୀକ୍ଷା ମାଗଣାହରେ ଯୋଗାଇ ଦେବାକୁ ଘୋଷଣା କରିଥିଲେ ବି ତାହା କେତେ ଦୂର କାର୍ଯ୍ୟ କରୁଛି ତାହାକୁ କେହି ତଦାରଖ କରୁ ନାହାନ୍ତି । ଫଳରେ ଛୋଟରୁ ଛୋଟ ପରୀକ୍ଷାଗୁଡିକ କରିବା ଲାଗି କର୍ମଚାରୀ ମାନେ ୩ରୁ ୬ ମାସ ପର୍ଯ୍ୟନ୍ତ ସମୟ ଦେଉଛନ୍ତି ।
ଅଭିଯୋଗ ଅନୁଯାୟୀ, ଏସସିବିରେ ଇଇଜି ପରୀକ୍ଷା ଲାଗି ଜଣେ ରୋଗୀଙ୍କୁ ୩ ମାସ ସମୟ ଦିଆଯାଉଛି । ଏହି ପରୀକ୍ଷା କେନ୍ଦ୍ର ଜଣେ ଟେକନିସିଆନଙ୍କ ଭରସାରେ ଚାଲିଛି । ଫଳରେ ବହୁତ କମ୍ ରୋଗୀଙ୍କୁ ପରୀକ୍ଷା କରାଯାଉଥିବା ବେଳେ ଅନ୍ୟମାନଙ୍କୁ ତାରିଖ ଦିଆଯାଉଛି । ସେହିପରି ଏନସିଏସ( ନର୍ଭ କନଷ୍ଟ୍ରକସନ୍ ଷ୍ଟଡି) ପରୀକ୍ଷା ଲାଗି ୬ ମାସ ଲାଗି ପରୀକ୍ଷା କରିବାକୁ ପଡୁଛି ।
ଏଠାରେ ମଧ୍ୟ ଜଣେ ଟେକନିସିଆନଙ୍କ ଭରସାରେ ପରୀକ୍ଷା କରାଯାଉଛି । ଡପ୍ଲର ପରୀକ୍ଷା ଲାଗି ରୋଗୀଙ୍କୁ ୪ମାସ, ଥୋରାକ୍ସ ପରୀକ୍ଷା ପାଇଁ ୨ ମାସ, ଏଣ୍ଡୋସ୍କୋପି ପାଇଁ ୧ ମାସ, ଇସିଜି ପାଇଁ ବିଭିନ୍ନ ୱାର୍ଡରୁ ଗୁରୁତର ରୋଗୀଙ୍କୁ ହୃଦରୋଗ ବିଭାଗକୁ ଯିବାକୁ ପଡୁଥିବାବେଳେ ବର୍ହି ବିଭାଗରେ ଇସିଜି ଲାଗି ରୋଗୀଙ୍କୁ ୪ରୁ ୫ ଘଂଟା ଅପେକ୍ଷା କରିବାକୁ ପଡୁଛି । ସାଧାରଣ ଅଲଟ୍ରାସାଉଣ୍ଡ ଲାଗି ୧ ମାସ ଅପେକ୍ଷା କରିବାକୁ ପଡୁଥିବାବେଳେ ହେପାଟଇଟିସ୍ ବି ପଜିଟିଭ୍ ରୋଗୀଙ୍କ ଏଲିସା ପରୀକ୍ଷା ଏପର୍ଯ୍ୟନ୍ତ ଏସ୍ସିବିରେ ଆରମ୍ଭ ହୋଇ ପାରିନାହିଁ । ପିଟିଏ ପରୀକ୍ଷା ପାଇଁ ୧ମାସ, ଇକୋ ପାଇଁ ୨ ମାସ ପର୍ଯ୍ୟନ୍ତ ରୋଗୀଙ୍କୁ ଅପେକ୍ଷା କରିବାକୁ ପଡୁଛି ।
ଅନ୍ୟପକ୍ଷରେ ବିଭିନ୍ନ ବିଭାଗରେ ଶର୍ଯ୍ୟା ନିକଟରେ ଇସିଜି ବ୍ୟବସ୍ଥା ଆଜି ପର୍ଯ୍ୟନ୍ତ କରାଯାଇ ନାହିଁ । ଅନେକ ବିଭାଗରେ ରୋଗୀକୁ ନିବୁଲାଇଜ ଆବଶ୍ୟକ ପଡିଲେ ବାହାରୁ ଭଡାର ଆଣି ରୋଗୀଙ୍କୁ ସେମାନଙ୍କ ସମ୍ପର୍କୀୟ ଦେଉଛନ୍ତି ।
୨୦୧୭ ମସିହାରୁ ନୂତନ ମାନସିକ ସ୍ୱାସ୍ଥ୍ୟ ଆଇନ ଆସିବା ଦିନଠାରୁ ମାନସିକ ରୋଗ ବିଭାଗରେ ରୋଗୀକୁ ୪ ବର୍ଷ ହେବ ଇସିଟି ଦିଆଯାଉ ନାହିଁ । ଯେଉର୍ ମେସିନଗୁଡିକ ଚାଲୁଛି ବିଭିନ୍ନ ସମୟରେ ସେଗୁଡିକ ଅଚଳ ହୋଇ ପଡି ରହୁଛି । ସେଗୁଡିକ ଠିକ୍ ସମୟରେ ମରାମତି କରାଯାଉ ନାହିଁ । ଫଳରେ ରୋଗୀମାନେ ବାହାର କେନ୍ଦ୍ରକୁ ଯାଇ ପରୀକ୍ଷା କରିବାକୁ ବାଧ୍ୟ ହେଉଛନ୍ତି । ତେବେ ବାରମ୍ବାର ଏଭଳି ହେଉଥିବା ଦେଖି ସାମାଜିକ ସଂଗଠନ ସେବାଘର ସମ୍ପାଦକ ଅତୁ୍ୟତ କୁମାର ସାହୁ ଓ ଦୀପକ କୁମାର ଆଚାର୍ଯ୍ୟ ଉଚ୍ଚପଦସ୍ଥ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଛନ୍ତି ।
ସ୍ୱାସ୍ଥ୍ୟ ସଚିବ, ୫-ଟି ସଚିବ, କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ, ଜିଲ୍ଲାପାଳ, ଏସସିବି ଅଧୀକ୍ଷକ, ଆରକ୍ଷୀ ଉପାୟୁକ୍ତ, ମଙ୍ଗଳବାଗ ଆଇଆଇସିଙ୍କୁ ନିକଟରେ ଉକ୍ତ ଦୁଇ ସାମାଜିକ କର୍ମୀ ଦାବି ଜଣାଇଛନ୍ତି ।
ଅଭିଯୋଗକାରୀଙ୍କ କହିବାନୁସାରେ, ରୋଗୀଟିଏ ଆସିଲେ ଡାକ୍ତରଙ୍କ ପରାମର୍ଶ କ୍ରମେ ପରୀକ୍ଷା କରିବାକୁ ଯାଉଛନ୍ତି । ପରୀକ୍ଷା କେନ୍ଦ୍ରକୁ ଯିବା ମାତ୍ରେ ମାସ ମାସ ଧରି ସମୟ ଦେବା ସହିତ ମେସିନ ଖରାପ କହି ସେଠାରୁ ଫେରାଇ ଦେଉଛନ୍ତି । ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ, ଯଦି ସଠିକ୍ ସମୟରେ ଜଣେ ରୋଗୀଟିର ପରୀକ୍ଷା କରାଯାଏ ତାହେଲେ ରୋଗ ବିଷୟରେ ସହଜରେ ଜଣାପଡିଯାଏ । ହେଲେ ମାସମାସ ଧରି ଅପେକ୍ଷା କରାଯିବା ସମସ୍ୟାକୁ ଶୀଘ୍ର ସମାଧାନ କରାଯିବା ଆବଶ୍ୟକ ରହିଛି ।

Comments (0)
Add Comment