କଟକ ଏସ୍‌ସିବିରୁ କିପରି ଫେରାର ହେଲା ହାଇଦର୍‌; ପଢ଼ନ୍ତୁ ପୁରା ଖବର

କଟକ: ଦୁର୍ଦ୍ଦାନ୍ତ ଗ୍ୟାଙ୍ଗଷ୍ଟାର ହାଇଦର ଫେରାର ହେବା ଘଟଣା ଏବେ ବହୁ ଚର୍ଚ୍ଚାର ବିଷୟ ପଲଟିଛି । ଜଣେ ରିକ୍ସା ଚାଳକରୁ ନିଜର ପରିଚୟ ସୃଷ୍ଟିକରି ଅପରାଧ ଦୁନିଆକୁ ଆସିଥିବା ହାଇଦର ଧିରେ ଧିରେ ଗ୍ୟାଙ୍ଗଷ୍ଟାର ପାଲଟି ଯାଇଥିଲା । ଗିରଫ୍ ହେଲାପରେ ସମ୍ବଲପୁର ଜେଲ୍‌ରେ ସଜ୍ଜା କାଟୁଥିବା ବେଳେ ଅସୁସ୍ଥ ହୋଇ ପଡ଼ିବାରୁ ପ୍ରଥମେ ସମ୍ବଲପୁରର ବୁର୍ଲାର ଓ ପରେ କଟକ ଏସିବିକୁ ଚିକିତ୍ସା ପାଇଁ ଅଣାଯାଇଥିଲା । କଟକ ପୋଲିସ୍ ସୂତ୍ରରୁ ମିଳିଥିବା ସୂଚନାନୁଯାୟୀ, ଗ୍ୟାଙ୍ଗଷ୍ଟାର ହାଇଦର ବାଇକ୍ ଯୋଗେ ମେଡିକାଲ୍‌ରୁ ଚମ୍ପଟ ମାରିଥିଲା । ଏଥିପାଇଁ ପୂର୍ବରୁ ସେ ସମସ୍ତ ଯୋଜନା ପ୍ରସ୍ତୁତ କରିଥିଲା । ତା’ର ଦୁଇପୁଅ ଆଝାରୁଦ୍ଦିନ୍ ଓ ଚୁନ୍ନି ମିଶି ବ୍ଲୁ ପ୍ରିଣ୍ଟ୍ ପ୍ରସ୍ତୁତ କରିଥିଲେ । ଯୋଜନା ମୁତାବକ ବାପାଙ୍କୁ ଫେରାର୍ ହେବା ପାଇଁ ୨ଟି ପଲ୍‌ସର୍ ବାଇକ୍ କିଣାଯାଇଥିଲା । ଧରାପଧଡ଼ିଥିବା ୟାକୁବ୍ ଓରଫ୍ ସଲ୍ଲୁ ଜରିଆରେ ଏହି ବାଇକ୍ କିଣାଯାଇଥିଲା । ମେଡିକାଲ୍‌ରୁ ପୁଲିସ୍‌କୁ ଚକ୍‌ମା ଦେଇ ଫେରାର ହେବା ପାଇଁ ସମୟ ନିର୍ଦ୍ଦାରଣ କରାଯାଇଥିଲା । ଯେଉଁ ସମୟରେ କମ୍ ଚେକିଂ ହୋଇଥାଏ ସେହି ସମୟକୁ ବାଛିଥିଲା ହାଇଦର ଓ ତା’ର ଦୁଇ ପୁଅ । ହାଇଦର ଫେରାର୍ ହେବା ପୂର୍ବରୁ ରେକି ମଧ୍ୟ କରିଥିଲା । ସମ୍ବଲପୁରରୁ ଏସ୍‌ସିବି ତାକୁ କିପରି ଅଣାଯାଉଛି, ତାହା ସେ ଭଲଭାବେ ପରଖି ଥିଲା । ସେ ଆସିବା ନେଇ ମେଡିକାଲ୍ ଫାଣ୍ଡିକୁ କିଛି କୁହାଯାଉଛି କି ନାହିଁ, ସେଥିପ୍ରତି ମଧ୍ୟ ଟିକ୍‌ପିକ୍ ନଜର ରଖାଯାଉଥିଲା । ଶେଷରେ ପୂର୍ବ ଯୋଜନା ମୁତାବକ ଶନିବାର ତାକୁ ଜଗିବା ପାଇଁ ନିୟୋଜିତ ପୋଲିସ୍ କର୍ମଚାରୀଙ୍କୁ ନିଶାଦେଇ ଅଚେତ୍ କରାଯାଇଥିଲା । ପରେ ବାଇକ୍ ପଛରେ ବସି ହାଇଦର ଫେରାର୍ ହୋଇଯାଇଥିଲା । ଏହି ଫେରାର୍ ପଛରେ ହାଇଦର୍‌ର ମଝିଆଁ ଓ ସାନ ପୁଅ ହିଁ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ । ଏଥିରେ ହାଇଦର୍‌ର ଦୁଇ ପୁଅଙ୍କୁ ମିସାଇ ମୋଟ୍ ୧୦ ଜଣ ସାମିଲ୍ ଥିଲେ । ମେଡିକାଲ୍‌ରୁ ବାହାରିବା ପରେ ସମସ୍ତେ ଭିନ୍ନ ଭିନ୍ନ ଦିଗକୁ ଚାଲିଯାଇଥିଲେ । ବାଇକରେ ଯାଇ କଟକ ସୀମା ପାର୍ ହେବା ପରେ ହାଇଦର୍ କାର୍‌ରେ ଚମ୍ପଟମାରିଥିଲା ବୋଲି ଏକ ବିଶେଷ ସୂତ୍ରରୁ ସୂଚନା ମିଳିଛି । ଫେରାର୍ ହେଲା ପରେ ହାଇଦରକୁ ଗିରଫ୍ କରିବାକୁ କମିଶନରେଟ୍ ପୋଲିସ୍ କଟକ ଜିଲ୍ଲାର ସବୁ ସୀମାକୁୂ ସିଲ୍ କରି ରାତି ତମାମ ଖାନ୍‌ତଲାସି କରିଥିଲେ ହେଁ ତାକୁ ଧରିବାରେ ଅକ୍ଷମ ହୋଇଥିଲା ।

Comments (0)
Add Comment