କମ୍ ବର୍ଷା ଯୋଗୁଁ ବଢିଛି ଚାଷୀର ମୁଣ୍ଡବ୍ୟଥା

ଭୁବନେଶ୍ୱର : ଉପକୂଳ ଜିଲ୍ଲାମାନଙ୍କରେ ନିଅଂଟିଆ ବର୍ଷା ଏବେ ଚାଷୀଙ୍କ ମୁଣ୍ଡବ୍ୟଥାର କାରଣ ପାଲଟିଛି । ଗତ ଜୁନ୍ ମାସରେ କମ୍ ବର୍ଷା ରେକର୍ଡ କରାଯାଇଥିଲା । ଏବେ ଜୁଲାଇର ୯ତାରିଖ ପର୍ଯ୍ୟନ୍ତ ମଧ୍ୟ ଉପକୂଳରେ ଅଭାବୀ ବର୍ଷା ଦେଖାଦେଇଛି । ଆସନ୍ତା ୨ସପ୍ତାହ ମଧ୍ୟ ଉପକୂଳରେ ବିଶେଷ ବର୍ଷା ସମ୍ଭାବନା ନାହିଁ ବୋଲି ପାଣିପାଗ ବିଶେଷଜ୍ଞମାନେ ମତ ଦେଲେଣି ।
ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦେଶକ ଏଚ୍ଆର୍ ବିଶ୍ୱାସ କହିଛନ୍ତି, ୧ଜୁନ୍ରୁ ୯ଜୁଲାଇ ପର୍ଯ୍ୟନ୍ତ ରାଜ୍ୟରେ ୩୩୧.୬ ମିମି ବର୍ଷା ହେଉଛି । ଏହି ସମୟ ମଧ୍ୟରେ ସ୍ୱାଭାବିକ ଭାବେ ୩୦୬.୯ ମିମି ହେବା କଥା । ହେଲେ ଏ ପର୍ଯ୍ୟନ୍ତ ରାଜ୍ୟରେ ୮% ଅଧିକ ବର୍ଷା ରେକର୍ଡ କରାଯାଇଛି । ଝାରସୁଗୁଡା, ମାଲକାନଗିରି, କୋରାପୁଟ, ସୁନ୍ଦରଗଡ, ଦେବଗଡ, ନୂଆପଡା ଓ ଗଜପତିରେ ୨୦% ଅତିରିକ୍ତ ବର୍ଷା ରେକର୍ଡ କରାଯାଇଛି । ୧୭ଟି ଜିଲ୍ଲାରେ ସ୍ୱାଭାବିକ ବର୍ଷା ହେଉଥିବା ବେଳେ ଉପକୂଳର ନିଅଂଟିଆ ବର୍ଷା ଚିନ୍ତାର କାରଣ ହୋଇଛି । ଉପକୂଳ ଜିଲ୍ଲା ଯଥା ଖୋଦ୍ଧା, ଯାଜପୁର, କେନ୍ଦ୍ରାପଡା, ପୁରୀ, କଟକ ଓ ବାଲେଶ୍ୱରରେ ୨୦% ନିଅଂଟିଆ ବର୍ଷା ରେକର୍ଡ ହୋଇଛି । ପୁରୀ ଓ ଖୋର୍ଦ୍ଧାରେ ଅତ୍ୟଧିକ ନିଅଂଟିଆ ବର୍ଷା ହୋଇଛି । ପୁରୀରେ ଆଜି ପର୍ଯ୍ୟନ୍ତ ୧୪୭.୪ମିମି ବର୍ଷା ହୋଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରେ ୧୯୫.୧ ମି.ମି ବର୍ଷା ହୋଇଛି । ଏହା ସ୍ୱାଭାବିକଠାରୁ ବହୁତ କମ । ପୁରୀରେ ଏପର୍ଯ୍ୟନ୍ତ ୪୦% ନିଅଂଟିଆ ବର୍ଷା ହୋଇଥିବା ବେଳେ ଖୋର୍ଦ୍ଧାରେ ୨୯% କମ୍ ବର୍ଷା ହୋଇଛି । ଆଗକୁ ମଧ୍ୟ ଉପକୂଳରେ
ନିଅଂଟିଆ ବର୍ଷାର ପରିସ୍ଥିତି ଲାଗି ରହିବାର ଆଶଙ୍କା ରହିଥିବା ସୂଚନା ମିଳିଛି । ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ର ନାଥ ପଶୁପାଳକ କହିଛନ୍ତି, ପୂର୍ବ ଆକଳନ ଅନୁଯାୟୀ ଉପକୂଳ ଜିଲ୍ଲାମାନଙ୍କରେ ନିଅଂଟିଆ ବର୍ଷା ହୋଇଛି । ଆସନ୍ତା ସପ୍ତାହେ ପର୍ଯ୍ୟନ୍ତ ଏହି ଅବସ୍ଥା ଲାଗି ରହିବ । ଫଳରେ ଚାଷ କାମ ବାଧାପ୍ରାପ୍ତ ହେବ । ସେହିପରି ତା’ପର ସପ୍ତାହେ ପର୍ଯ୍ୟନ୍ତ ଏହି ଅବସ୍ଥା ଲାଗି ରହିବ । ଫଳରେ ଚାଷ କାମ ବାଧାପ୍ରାପ୍ତ ହେବ । ସେହିପରି ତା’ପର ସପ୍ତାହରେ ୧୭ରୁ ୨୩ତାରିଖ ପର୍ଯ୍ୟନ୍ତ ସମସ୍ତ ୧୦ଟି ଉପକୂଳ ଜିଲ୍ଲା ଯଥା. ଗଞ୍ଜାମ, ନୟାଗଡ, ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡା, ଯାଜପୁର, ଭଦ୍ରକ ଓ ବାଲେଶ୍ୱରରେ ସମୁଦାୟ ବର୍ଷା ପ୍ରାୟ ୪୦ ମିମି ହୋଇପାରେ, ଯାହାକି ସ୍ୱାଭାବିକଠାରୁ ୫୦ ପ୍ରତିଶତ କମ୍ । ପୁରୀ, ଖୋର୍ଦ୍ଧା କଟକ ଓ ଜଗତସିଂହପୁରରେ ସବୁଠାରୁ ଅଧିକ ନିଅଂଟିଆ ବର୍ଷା ହେବ ।

Comments (0)
Add Comment