କରୋନା କଟକଣା: ହାତୀ ଟାଣିବେ ରଥ!

ପୁରୀ, ୮.୬ (ନି.ପ୍ର.): ମହାପ୍ରଭୁ ଜଗନ୍ନାଥଙ୍କ ମାନବୀୟ ଲୀଳା ବିଚିତ୍ର । ଭାବ ଦଉଡିରେ ବନ୍ଧା ଭାବଗ୍ରାହୀଙ୍କ ରଥଯାତ୍ରା ନେଇ ଅଗଣିତ ଭକ୍ତ ଚିନ୍ତିତ । ରଥଯାତ୍ରା ସମୟରେ ଲକ୍ଷାଧିକ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଜନ ଗହଳିକୁ କିଭଳି ରୋକଯାଇପାରିବ ତାହା ପ୍ରମୁଖ ଆହ୍ୱାନ ପାଲଟିଛି । ବିନା ଭକ୍ତରେ ସ୍ନାନ ଯାତ୍ରା ସମ୍ପାନ୍ନ ହୋଇଥିବା ବେଳେ ଏବେ ରଥଯାତ୍ରା ନେଇ ସରକାର ଦ୍ୱନ୍ଦ୍ୱରେ ଅଚନ୍ତି । ଏହି ପରିପ୍ରେକ୍ଷେୀରେ ହାତୀ ଦ୍ୱାରା ରଥ ଟଣାଯାଇ ପାରିଲେ ସାମାଜିକ ଦୂରତ୍ୱ ସହ ପୂର୍ବ ପରମ୍ପରା ରକ୍ଷା ହୋଇ ପାରିବ ବୋଲି କେତେକ ମହଲ ମତ ରଖୁଛନ୍ତି । ଅନ୍ୟପକ୍ଷରେ ଶ୍ରୀମନ୍ଦିର ପରିଚାଳନା କମିଟି ରଥଯାତ୍ରା ନେଇ ବାରମ୍ବାର ବୈଠକ ହେଉଛି । ଦ୍ୱାଦଶ ଶତାବ୍ଦୀରେ ରଥାଯାତ୍ରାା ବେଳେ ଶ୍ରୀମନ୍ଦିରରେ ହାତୀସେବା ଅନ୍ତର୍ଭୁକ୍ତ ଥିଲା ବୋଲି ଜଗନ୍ନାଥ ସଂସ୍କୃତି ଗବେଷକ ରବୀନ୍ଦ୍ର ମିଶ୍ର ମତ ପୋଷଣ କରିଛନ୍ତି । ପୂର୍ବରୁ ରଥଯାତ୍ରାରେ ହାତୀଙ୍କୁ ସାମିଲ କରାଯାଇଥିବାରୁ ଶ୍ରୀମନ୍ଦିରରେ ହାତୀସେବା ବିଧି ରହିଛି । ସେଥିପାଇଁ ବୋଧେ ଶ୍ରୀମନ୍ଦିରର ୪ଟି ଦ୍ୱାରା ମଧ୍ୟରୁ ଗୋଟିଏ ହାତୀଦ୍ୱାରା ନାମରେ ନାମିତ ହୋଇଛି ।
ଅନ୍ୟ ପକ୍ଷରେ ଚଳିତବର୍ଷ ରଥଯାତ୍ରା ନହେଲେ ମହାପ୍ରଭୁ ବର୍ଷେ ପର୍ଯ୍ୟନ୍ତ ଅନବସର ଘରେ ରହିବେ । ରାଜ୍ୟ ପାଇଁ ଅନେକ ସମସ୍ୟା ସୃଷ୍ଟି ସମ୍ଭାବନା ରହିଛି । ଶ୍ରୀଗୁଣ୍ଡିଚା ମନ୍ଦିରସ୍ଥିତ ଆଡ଼ପମଣ୍ଡପରୁ ନଫେରିବା ପର୍ଯ୍ୟନ୍ତ ମହାପ୍ରଭୁ ରତ୍ନସିଂହାସନକୁ ବିଜେ କରିପାରିବେ ନାହିଁ । ରବିବାର ଗଣମାଧ୍ୟମକୁ ଏଭଳି ବିବୃତି ଦେଇଛନ୍ତି ଶ୍ରୀବଳଭଦ୍ରଙ୍କ ତାଳଧ୍ୱଜରଥ ବାଡଗ୍ରାହୀ ହଳଧର ଦାସମହାପାତ୍ର । ରଥଯାତ୍ରା କରାଯିବା ସପକ୍ଷରେ ସେ ଯୁକ୍ତି ବାଢିଛନ୍ତି । ତେବେ ତାଙ୍କର ଏଭଳି ଯୁକ୍ତିକୁ ଗ୍ରହଣ କରିନାହାନ୍ତି ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ଡଃ ସୁରେନନ୍ଦ୍ର କୁମାର ମିଶ୍ର । ଶ୍ରୀମନ୍ଦିର ମାଦଳାପାଞ୍ଜିରେ ରହିଥିବା ତଥ୍ୟ ଅନୁଯାୟୀ ପୂର୍ବରୁ ଶ୍ରୀମନ୍ଦିର ଭିତରେ ଦାରୁବ୍ରହ୍ମଙ୍କ ରଥଯାତ୍ରା ନୀତି ପାଳନ କରାଯାଇଥିବା ସେ ମତ ଦେଇଛନ୍ତି । ଶ୍ରମନ୍ଦିର ଉପରେ ଆକ୍ରମଣ ଏବଂ ପୁରୀ ବାହାରେ ପ୍ରଭୁ ପାତାଳି ହେବା ସମୟରେ ରଥଯାତ୍ରା ହୋଇପାରି ନଥିବା ସେ କହିଛନ୍ତି । ତାଙ୍କ ମତ ଅନୁଯାୟୀ ପୂର୍ବରୁ ୧୫୬ ବର୍ଷ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ରଥଯାତ୍ରା ବନ୍ଦ ରହିଥିଲା । ଏହାଛଡା ପୁରୀ ଜିଲ୍ଲା ବାହାରେ ୮ ବର୍ଷ ରଥାଯାତ୍ରା ହୋଇଛି । ୧୬୯୨ ମସିହାରେ ଶ୍ରୀଗୁଣ୍ଡିଚଚା ଯାତ୍ରାଦିନ ଠାକୁରଙ୍କୁ ଅଣସର ପିଣ୍ଡିରୁ ନିଆଯାଇ ଭୋଗମଣ୍ଡପ ଘରେ ବିଜେ କରାଯାଇଥିଲା । ନବେଦିନ ଧରି ମହାପ୍ରଭୁ ସେଠାରେ ଅବସ୍ଥାନ କରିଥିଲେ । ବହୁଡା ଯାତ୍ରାରେ ପ୍ରଭୁଙ୍କୁ ସେଠାରୁ ରତ୍ନସିଂହାସନକୁ ବିଜେ କରାଯାଇଥିଲା । ଏକରାମ ଖାଁଙ୍କ ଆକ୍ରାମଣ ସମୟରେ ସେବକମାନେ ପ୍ରଭୁଙ୍କୁ ବିମଳାଙ୍କ ମନ୍ଦିର ପଛପଟେ ଲୁଚାଇ ରଖିଥିଲେ । ଶ୍ରୀମନ୍ଦିର ଚାରିଦ୍ୱାରା ବନ୍ଦ କରାଯାଇ ଠାକୁରଙ୍କ ରଥଯାତ୍ରା ମନ୍ଦିର ଭିତରେ ପାଳନ କରାଯାଇଥିବା ଗବେଷକ ଶ୍ରୀ ମିଶ୍ର ମତ ଦେଇଛନ୍ତି ।

Comments (0)
Add Comment