ଭୁବନେଶ୍ୱର : ଭାରତବର୍ଷରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୫ ଲକ୍ଷରେ ପହଂଚିଥିବା ବେଳେ ବିଶ୍ୱରେ କୋଟିଏରୁ ଊର୍ଦ୍ଧ୍ୱ ଲୋକଙ୍କୁ ସଂକ୍ରମଣ ହୋଇଛି । ଓଡ଼ିଶାରେ ପ୍ରାୟ ୭ ହଜାର ବ୍ୟକ୍ତି ଏହି ମହାମାରୀ ଦ୍ୱାରା ଆକ୍ରାନ୍ତ ହୋଇଥିବା ବେଳେ ରାଜ୍ୟରେ କରୋନା ଯୋଗୁଁ ସମୁଦାୟ ମୃତ୍ୟୁ ସଂଖ୍ୟା ୨୫ ଛୁଇଁଲା । ଯଦିଓ କରୋନା ଚିକିତ୍ସା ପାଇଁ ଚିକିତ୍ସା ଜଗତରେ ଅଗ୍ରଗତି ଘଟିଛି କିନ୍ତୁ ଏହାକୁ ରୋକିବା ନିମନ୍ତେ ଚିକିତ୍ସା ବିଜ୍ଞାନ ସହିତ ଆଧ୍ୟାତ୍ମିକତାର ମଧ୍ୟ ଆବଶ୍ୟକତା ରହିଛି । ଚଳିତବର୍ଷ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ହୋଇଥିବାରୁ କରୋନା ମହାମାରୀ ଦୂରେଇ ଯିବ । ଏହି ବିଶ୍ୱାସରେ ଭାରତୀୟ ମାନବ ଅଧିକାର ସୁରକ୍ଷା ସଂଗଠନ ତରଫରୁ ଜଗତ କଲ୍ୟାଣ ନିମନ୍ତେ ମହାପ୍ରଭୁ ଜଗତର ନାଥ ଜଗନ୍ନାଥଙ୍କ ଉଦେ୍ଧଶ୍ୟରେ ଏକାମ୍ର କ୍ଷେତ୍ର ରାମେଶ୍ୱର ମନ୍ଦିରରେ ସାମୂହିକ ପ୍ରଦୀପ ପ୍ରଜ୍ଜ୍ୱଳନ କରାଯାଇଥିଲା । ମହାପ୍ରଭୁଙ୍କୁ ସମଗ୍ର ବିଶ୍ୱ ଜଗତକୁ ଏ ମହାମାରୀରୁ ରକ୍ଷା କରି ସୁସ୍ଥ, ନିରାପଦ, ନିରାମୟ, ଜୀବନ ଯାପନ ପ୍ରଦାନ କରିବା ନିମନ୍ତେ ପ୍ରାର୍ଥନା କରାଯାଇଥିଲା । ସଂଗଠନର ରାଜ୍ୟ ସଭାପତି ଗଦାଧର ଦାସଙ୍କ ଅଧ୍ୟକ୍ଷତାରେ କେନ୍ଦ୍ରୀୟ ସଚିବ ଲିଙ୍ଗରାଜ ସାହୁ, ପୂର୍ବାଂଚଳ ସମ୍ପାଦକ ପ୍ରସନ୍ନ କୁମାର ଚୌଧୁରୀ, ବିଷ୍ଣୁ ପ୍ରସାଦ ମୁଦୁଲି, ଦୁର୍ଗା ପ୍ରସାଦ ସାହୁ, ଶଶୀଭୂଷଣ ଦାସ ଓ ବହୁ ସଭ୍ୟ ଉପସ୍ଥିତ ଥିଲେ ।