କିଡିନି ରୋଗ ଚିକିତ୍ସାରେ ଅର୍ଥ ସାଜିଛି ବାଧକ

ଯାଜପୁର ତା ୧୭/୦୬ (ନି.ପ୍ର) : ଗରିବ ଅସହାୟକଙ୍କ ପାଇଁ ସରକାର ବିଭିନ୍ନ ଯୋଜନା କରୁଛନ୍ତି । ଯୋଜନାର ସଫଳ ରୂପାୟନ ପାଇଁ କୋଟି କୋଟି ଅର୍ଥ ବୟ ବରାଦ ହେଉଛି । ହେଲେ ଉପଯୁକ୍ତ ହିତାଧିକାରୀଙ୍କୁ ମିଳୁନି ସହାୟତା । ଏପରି ଦେଖିବାକୁ ମିଳିଛି ଯାଜପୁର ଜିଲ୍ଳା ଦଶରଥପୁର ବ୍ଲକ ଚିତାଳୋ ପଂଚାୟତ ବରପଦା ଗ୍ରାମର ପ୍ରକାଶ ପାଢୀଙ୍କ କ୍ଷେତ୍ରରେ । ମାତ୍ର ୩୧ ବର୍ଷ ବୟସରେ କିଡିନି ରୋଗରେ ଆକ୍ରାନ୍ତ ହୋଇ ଜୀବନ ସହ ସଂଗ୍ରାମ କରୁଛନ୍ତି ପ୍ରକାଶ । ଭୁବନେଶ୍ୱରସ୍ଥିତ ଏକ ବେସରକାରୀ ସଂସ୍ଥାରେ ନିୟୋଜିତ ଥିବା ପ୍ରକାଶ ଏକ ବର୍ଷ ହେବ ଅସହ୍ୟ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି । ରୋଜଗାରିଆ ପୁଅର ଏଭଳି ଦୁର୍ଦ୍ଧଶାରେ ଭାଙ୍ଗି ପଡିଛନ୍ତି ବାପା ଉମାକାନ୍ତ ଓ ମାଆ ରେଣୁକା । ଏଣେ ପ୍ରକାଶଙ୍କ ରୋଜଗାର ନଥିବା ବେଳେ ଚିକିତ୍ସାପାଇଁ ଅର୍ଥ ବାଧକ ସାଜିଛି । ଡାକ୍ତରଙ୍କ ପରାମର୍ଶ ମୁତାବକ କିଡିନି ପ୍ରତିରୋପଣର ପୂର୍ବ ଓ ପରବର୍ତୀ ସମୟରେ ଆବଶ୍ୟକ ଥିବା ପାଖାପାଖି ପାଂଚ ଲକ୍ଷରୁ ଉର୍ଧ୍ଵ ଟଙ୍କା ଯୋଗାଡ କରିବା ଚିନ୍ତାରେ ଏହି ପରିବାର ଏବେ କୁଳକିନାରା ପାଉନାହାଁନ୍ତି । କିଡିନି ପ୍ରତିରୋପଣ ନହେଲେ ଶତୃଘନଙ୍କୁ ବଂଚାଇବା ଅସମ୍ଭବ ବୋଲି ଡାକ୍ତରଙ୍କ ଠାରୁ ଶୁଣିବା ପରେ ଚିନ୍ତାରେ ଘାରି ହେଉଛନ୍ତି ବାପା ଉମାକାନ୍ତ ଓ ମାଆ ରେଣୁକା । ମୁଣ୍ଡ ଗୁଂଜିବାକୁ ଦୁଇ ବଖରା ଘରକୁ ବାଦଦେଲେ ଜମି ବୋଲି ଗୁଣ୍ଠେ ନାହିଁ । ଦିନ ମଜୁରିଆ ଭାବେ କାମ କରି ଗୁଜୁରାଣ ମେଂଟାଉଥିବା ବାପା ଉମାକାନ୍ତ ପୁଅର ଚିକିତ୍ସାରେ ଘର ବାଡିରୁ ଅଧେ ସଂପତି ହରାଇ ସାରିଲେଣି । ଅଧିକ ଚିକିତ୍ସା ପାଇଁ ଅକ୍ଷମ ହୋଇପଡିଥିବା ବେଳେ ପୁଅର କଷ୍ଟକୁ ଦେଖି ବାପା ମାଆ ଆଖିରୁ ଲୁହ ଗଡାଇବା ବ୍ୟତୀତ ଅନ୍ୟ କୌଣସି ଉପାୟ ପାଉନାହାଁନ୍ତି । ବର୍ଷେ ତଳେ ସୁସ୍ଥ ସବଳ ପୁଅର ରୋଜଗାରକୁ ଦେଖି ବାପା ମାଆଙ୍କ ମନଭିତରେ ଅନେକ ସ୍ୱପ୍ନ ଉଙ୍କି ମାରିଥିଲା । ହେଲେ ହଠାତ୍ ଦେହ ଅସୁସ୍ଥ ହୋଇପଡିବାରୁ ବାପା ମାଆ ଚିକିତ୍ସା ନିମନ୍ତେ କିଛି ଟଙ୍କା ଯୋଗାଡ କରି ପ୍ରଥମେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟଠାରୁ ଆରମ୍ଭ କରି କଟକ ବଡମେଡିକାଲ ପର୍ଯ୍ୟନ୍ତ ନେଇଥିଲେ । ପରେ ଭୁବନେଶ୍ୱରସ୍ଥିତ ଏକ ଘରୋଇ ଚିକିତ୍ସାଳୟକୁ ନେବାରେ ତାଙ୍କର ଦୁଇଟିଯାକ କିଡିନି ସଂପୂର୍ଣ୍ଣ ଭାବେ ନଷ୍ଟ ହୋଇଥିବା ଜଣାଯାଇଥିଲା । ଫଳରେ କାମ କରୁଥିବା ବେସରକାରୀ ସଂସ୍ଥା ପ୍ରକାଶଙ୍କୁ ବିଦା କରିଦେଇଥିଲା । ବହୁ କଷ୍ଟରେ ସପ୍ତାହକୁ ତିିନି ଥର ପ୍ରକାଶଙ୍କ ଡାଏଲିସିସ୍ ପାଇଁ ଅର୍ଥ ଯୋଗାଡ କରିବା କଷ୍ଟ ହେଉଥିବା ବେଳେ ଏବେ ପରିବାରର ଖାଦ୍ୟ ଚିନ୍ତା ଉକ୍ରଟ ହୋଇପଡିଛି । ଚିକିତ୍ସା ପାଇଁ ଆବଶ୍ୟକ ଅର୍ଥ ଯୋଗାଡ ହୋଇପାରୁନଥିବାରୁ ଦିନକୁ ଦିନ ପ୍ରକାଶଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଅଧିକରୁ ଅଧିକ ବିଗିଡିବାରେ ଲାଗିଛି । ପରିବାର ଲୋକେ ସରକାରୀ ଓ ବେସରକାରୀ ସହାୟତାକୁ ଚାହିଁ ବସିଥିବାବେଳେ ଯେଉଁ ପୁଅ ଭରସାରେ ଜୀବନର ଅବଶିଷ୍ଟ ସମୟ କାଟିଦେବେ ବୋଲି ଭାବୁଥିଲେ ସେ ଆଜି ଜୀବନ ସଂଗ୍ରାମରେ ଲଢୁଥିବା ଦେଖି କୋହ ସମ୍ଭାଳି ପାରୁନାହାଁନ୍ତି ମାଆ ରେଣୁକା । ଏପରି ସ୍ଥିତିରେ ଉଭୟ ବାପା ଓ ମାଆ ପୁଅର ପ୍ରକାଶର ଚିକିତ୍ସା ପାଇଁ ଯଥାଶୀଘ୍ର ଆର୍ଥିକ ସହାୟତା ପାଇଁ ଆକୁଳ ନିବେଦନ କରିଛନ୍ତି ।

Comments (0)
Add Comment