ଯାଜପୁର: ଯାଜପୁର ସହର ନିକଟସ୍ଥ ଅଠରନଳା କେନାଲ ବନ୍ଧ ନିକଟରେ କେନାଲର ସୁରକ୍ଷା କଂକି୍ରଟ୍ ପାଚେରୀରୁ କେନାଲ ଭିତରକୁ ଗଳିପଡ଼ି ଗୁରୁବାର ଅପରାହ୍ନରେ ସ୍ଥାନୀୟ ଯୁବକଙ୍କ ମୃତ୍ୟୁ ଘଟିଛିି । ଘଟଣା ଅନୁଯାୟୀ ଯାଜପୁର ସହରସ୍ଥ ଶିରିଆପୁର ଗ୍ରାମର ସଂଜୟ ସାମନ୍ତ (୪୮) ନିଜ ଗ୍ରାମ ନିକଟ ଦେଇ ବହିଯାଇଥିବା ଯାଜପୁର -ସୁନ୍ଦରେଇମୁହଁ ମୁଖ୍ୟ କେନାଲର ଅଠରନଳା ନିକଟରେ କେନାଲର ସୁରକ୍ଷା ପାଚେରୀରେ ଗୁରୁବାର ଅପରାହ୍ନରେ ବସିଥିବା ବେଳେ ଅସାବଧାନତା ବସତଃ କେନାଲ ଭିତରକୁ ଗଳି ପଡ଼ି ମୁତ୍ୟୁ ବରଣ କରିଥିବାର ଜାଣିବାକୁ ମିଳିଛି । ସେ ବସିଥିବା ସ୍ଥାନରେ କାହାରି ନଜର ନଥିବା ସ୍ଥଳେ କେନାଲର ଭିତର କଂକି୍ରଟ ଢ଼ଳେଇ ଥିବାରୁ ସଂଜୟ ଗଳି ପଡି ମୁଣ୍ଡରେ ଗଭୀର ଆଘାତ ପାଇ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ବରଣ ହୋଇଛି । ଘଟଣା ଘଟିବାର ବହୁ ସମୟରେ ପରେ ସ୍ଥାନୀୟ ଲୋକଙ୍କଠାରୁ ଖବର ପାଇ ଯାଜପୁର ପୁଲିସ ଘଟଣା ସ୍ଥଳରେ ପହଂଚି ସଂଜୟର ମୃତ ଶରୀରକୁ ବ୍ୟବଛେଦ ନିମନ୍ତେ ଯାଜପୁର ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ । ମୃତ ସଂଜୟର ପରିବାର ବର୍ଗ ସ୍ଥାନୀୟ ଲୋକଙ୍କଠାରୁ ଖବର ପାଇ ତତ୍କ୍ଷଣାତ୍ ଘଟଣା ସ୍ଥଳରେ ପହଂଚିଥିଲେ । ମୃତକ ନିକଟସ୍ଥ କାଳୀ ମନ୍ଦିର ଓ ଶନି ମନ୍ଦିରରେ ପୂଜକ ଭାବେ ପୂଜାକାର୍ଯ୍ୟ କରିବା ସହ ସହରରେ ଥିବା ଅନ୍ୟାନ୍ୟ ମନ୍ଦିର ଗୁଡିକରେ ପୂଜା କାର୍ଯ୍ୟ କରି ପରିବାର ପ୍ରତିପୋଷଣ କରୁଥିଲେ । ସଂଜୟଙ୍କ ଏପରି ଅକାଳ ମୃତ୍ୟୁରେ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳି ଯାଇଛି ।