ଯାଜପୁର: କେନାଲରେ ମାଟି ପକାଇ ଜୋର ଜବରଦସ୍ତଭାବେ କେନାଲକୁ ଅବରୋଧ କରିବା ସହ କେନାଲର ପାଣିକୁ ଚାଷ ଜମିକୁ ଛାଡ଼ୁ ନଥିବାରୁ ଘଟଣା ସ୍ଥଳ ଗ୍ରାମରେ ଶନିବାର ଦିନ ଉତେଜନା ଦେଖିବାକୁ ମିଳିଛି । ଘଟଣା ଅନୁଯାୟୀ ଯାଜପୁର ଜଳସଂପଦ ବିଭାଗ ଅଧିନରେ ଥିବା ତଥା ଦଶରଥପୁର ବ୍ଲକ୍ ତଥା ଯାଜପୁର ଥାନା ଅନ୍ତର୍ଗତ ସୁଧଗୋବିନ୍ଦା ମାଇନର କେନାଲ ଅନ୍ତର୍ଗତ ପାନସାଗର ହୁଡ଼ା ନିକଟ ଦେଇ ଯାଇଥିବା କେନାଲକୁ ସୁଧଗୋବିନ୍ଦା ଗ୍ରାମର ବିଷ୍ଣୁ ଚରଣସେଠୀ ଓ ନାରାୟଣ ଦାସ ୨ ବର୍ଷ ହେବ କେନାଲରେ ମାଟି ପକାଇ ଅବରୋଧ କରିବା ସହ କେନାଲର ପାଣି ଛାଡ଼ୁ ନଥିଲେ । ଯଦ୍ୱାରା ୨ ବର୍ଷ ହେବ ସୁଧଗୋବି୍ନ୍ଦା ଗ୍ରାମର ପ୍ରାୟ ୫୦ ଏକରରୁ ଉର୍ଦ୍ଧ ଚାଷ ଜମିରେ ଚାଷ କାର୍ଯ୍ୟ ବାଧା ପ୍ରାପ୍ତ ହେଉଥିଲା । ଫଳରେ ଗ୍ରାମର ଚାଷୀମାନେ ଖରିଫ ଧାନ ଚାଷରେ ଅହେତୁକ କ୍ଷତି ସହିଥିଲେ । ଏ ନେଇ ଚାଷୀମାନଙ୍କ ପକ୍ଷରୁ ଯାଜପୁର ଜଳସେଚନ କନିଷ୍ଠ ଯନ୍ତ୍ରୀ ଓ ନିର୍ବାହୀ ଯନ୍ତ୍ରୀଙ୍କଠାରୁ ଆରମ୍ଭ କରି ଜିଲ୍ଳାପାଳଙ୍କ ନିକଟରେ ଲିଖିତ ଅଭିଯୋଗ କରାଯାଇଥିଲେ ହେଁ ଅବରୋଧ ହଟାଇବାକୁ ନେଇ କୈାଣସି ପଦକ୍ଷେପ ନିଆଯାଇ ନଥିଲା ।
ଚଳିତ ବର୍ଷ ଖରିଫ୍ ଧାନ ଚାଷ ପାଇଁ ପୂର୍ବରୁ ସମାନ ସମସ୍ୟାକୁ ନେଇ ଗ୍ରାମରେ ଘୋର ଉତେଜନା ପ୍ରକାଶ ପାଇଥିଲା । ସ୍ଥାନୀୟ ଚାଷୀ ସୁରେନ୍ଦ୍ର ପାଣିଗ୍ରାହୀ, ନିଳମଣୀ ପାଣିଗ୍ରାହୀ, ଯଦୁମଣୀ ଦାସ, ଶଚିକାନ୍ତ ପାଣିଗ୍ରାହୀ, ଭାଗିରଥୀ ଦାସ, ମନୋଜ ଦାସ, କରୁଣାକର ଦାସ ଙ୍କ ନେତୃତ୍ୱରେ ବହୁ ସଂଖ୍ୟାରେ ଚାଷୀଙ୍କ ସମେତ ମା ରଂଜେଇ ପାଣି ପଂଚାୟତ କମିଟିର ସଭାପତି କୁଞ୍ଜ ବିହାରୀ ଦାସ ଓ ସଂପାଦକ ଅରବିନ୍ଦ ସାହୁ ଅବରୋଧ ସ୍ଥଳୀରେ ପହଂଚି ଅବରୋଧକାରୀଙ୍କୁ ଅବରୋଧ ହଟାଇବାକୁ ଅନୁରୋଧ କରିଥିଲେ ମଧ୍ୟ ଅବରୋଧକାରୀ ବିଷ୍ଣୁ ସେଠୀ ଓ ନାରଣ ଦାସ ଏହି କେନାଲ ସେମାନଙ୍କ ନିଜସ୍ୱ ଜମିରେ ଯାଇଥିବାରୁ ଅବରୋଧ ହଟାଇବେ ନାହିଁ ବୋଲି ଅଡ଼ି ବସିଥିଲେ । ଫଳରେ ଘଟଣା ସ୍ଥଳରେ ପ୍ରବଳ ଉତେଜନା ପ୍ରକାଶ ପାଇଥିଲା ।
ପରେ ସ୍ଥାନୀୟ ମୁରବୀଙ୍କ ହସ୍ତକ୍ଷେପ ଯୋଗୁ ଉତେଜନା ଥମି ଥିଲେ ହେଁ ଆଗାମୀ ଦିନରେ କେନାଲ ଅବରୋଧକୁ ନେଇ ଚାଷୀମାନେ ଆନେ୍ଦାଳନାତ୍ମକ ପନ୍ଥା ଅବଲମ୍ବନ କରିବେ ବୋଲି ଚେତାବନୀ ଦେବା ସହ ପୁଣି ଥରେ ସ୍ଥାନୀୟ ସରପଂଚ ଓ ଜଳସଂପଦ ବିଭାଗ ନିର୍ବାହୀ ଯନ୍ତ୍ରୀଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି ।