ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲାରୁ ବାହାର ରାଜ୍ୟକୁ ଦୁଇଟି ବସରେ ବେଆଇନ ଭାବେ ଶ୍ରମିକ ଚାଲାଣ ବେଳେ ୪୧ଜଣଙ୍କୁ ଉଦ୍ଧାର କରିଛି ନବରଙ୍ଗପୁର ପୋଲିସ ।ଏମାନଙ୍କ ମଧ୍ୟରେ କେରଳକୁ ୧୮ଜଣ ଓ ହାଇଦ୍ରାବାଦକୁ ୨୩ଜଣ ଚାଲାଣ ହେଉଥିବା ଜଣାପଡିଛି । ତେବେ ଦଲାଲମାନେ ଘଟନାସ୍ଥଳରୁ ଫେରାର ହୋଇଯାଇଥିବା ଜଣାପଡିଛି ।ପୋଲିସ ଠାରୁ ଖବର ପାଇ ଜିଲ୍ଲା ଶ୍ରମ ଅଧିକାରୀ ନରେନ୍ଦ୍ର ଗୋଇପଇ ଥାନାରେ ପହଞ୍ଝି ତଦନ୍ତ ଆରମ୍ଭ କରିଥିଲେ । ତଦନ୍ତ ବେଳେ ଜଣାପଡିଥିଲା ଯେ ହାଇଦ୍ରାବାଦ ଯାଉଥିବା ୨୩ଜଣ ଶ୍ରମିକଙ୍କ ମଧ୍ୟରେ ୩ଜଣ ନାବାଳକ ରହିଛନ୍ତି । ଶ୍ରମିକ ମାନଙ୍କୁ ପଚରାଉଚରା ବେଳେ ଶ୍ରମିକ ମାନେ କହିଥିଲେ ଯେ ସେମାନେ ତେନ୍ତୁଳିଖୁଣ୍ଟି ବ୍ଲକ ଝରିଗୁମ୍ମା ଗ୍ରାମର । ସେମାନଙ୍କ ନିକଟରେ ଜବ କାର୍ଡ ଥାଇ ମଧ୍ୟ କାମ ମିଳୁନାହିଁ । ତେଣୁ ସେହି ଗ୍ରାମର ଜଣେ ବ୍ୟକ୍ତି ହାଇଦ୍ରାବାଦ ନିକଟରେ କେନାଲ କାମ କରିବା ପାଇଁ କହି ତାଙ୍କୁ ନେଉଥିଲା । ସେମାନେ କେଉଁ ସ୍ଥାନକୁ ଯାଉଥିଲେ ସେମାନଙ୍କୁ ଜଣାନାହିଁ । ସେମାନଙ୍କୁ ଦିନକୁ ୩ଶହରୁ୪ଶହ ଟଙ୍କା ପର୍ଯ୍ୟନ୍ତ ମଜୁରୀ ମିଳିବ ବୋଲି କୁହାଯାଇଥିଲା । ଆଜି ହାଇଦ୍ରାବାଦ ଯାଉଥିବା ଏକ ବସରେ ଏହି ଶ୍ରମିକମାନେ ହାଇଦ୍ରାବାଦ ଯାଉଥିବା ଖବର ପାଇ ପୋଲିସ ଥାନା ନିକଟରେ ବସକୁ ଅଟକାଇ ଏମାନଙ୍କୁ ଉଦ୍ଧାର କରିଥିଲେ । ତେବେ ୩ଜଣ ନାବାଳକଙ୍କୁ ଶ୍ରମ ବିଭାଗ ପକ୍ଷରୁ ଶିଶୁ ମଙ୍ଗଳ କମିଟି ନିକଟରେ ହାଜର କରାଯାଇଥିଲା । ଉଦ୍ଧାର ଶ୍ରମିକ ପିତାମ୍ବର ମାଝୀ,ପ୍ରସାଦ ଦଳେଇ,ରାମ ମାଝୀ,ଖଗେଶ୍ୱର ପ୍ରଧାନ,ନୀଳାମ୍ବର ମାଝୀ ନିଜ ପ୍ରତିକ୍ରିୟାରେ କହିଛନ୍ତି ଗାଁରେ ମନରେଗା କାମ ମିଳୁନି । କୈାଣସି ସରକାରୀ କାମ କଲେ ମଜୁରି ମିଳିବା ପାଇଁ ୫ମାସ ଲାଗୁଛି । ତେଣୁ ବାଧ୍ୟ ହୋଇ ଭିଟାମାଟି ଛାଡୁଛି ବୋଲି କହିଥିଲେ । ସେହିପରି ତେନ୍ତୁଳିଖୁଣ୍ଟି,ପାପଡାହାଣ୍ଡି,ଡାବୁଗାଁ ଓ ଉମରକୋଟ ଅଞ୍ଝଳର ୧୮ଜଣ ଶ୍ରମିକ କେରଳରୁ ଆସିଥିବା ଏକ ସ୍ୱତନ୍ତ୍ର ଗାଡିରେ କେରଳ ଯାଉଥିଲେ । ସେମାନଙ୍କୁ ବି ପୋଲିସ ଅଟକ ରଖି ପଚରାଉଚରା କରିଥିଲେ । ସେମାନେ କେରଳର ମାଲାପୁରମ ଜିଲ୍ଲା ତାଲପାରା,ବାଲାମୁଖୀ,ଚେମଣ୍ଡ ଓ ସେଲାରୀ ଗ୍ରାମରେ ଥିବା ନଡିଆ,କଦଳୀ ଆଦି ଫାର୍ମରେ ମାଟି କାମ କରିବା ପାଇଁ ଯାଉଥିଲେ । ସେମାନଙ୍କୁ ସେଠାରେ ଖାଇବା ପିଇବା ଦେବା ସହ ଦୈନିକ ୭ଶହ ଟଙ୍କା ମିଳୁଛି ବୋଲି କହିଥିଲେ । ସେମାନେ ପୂର୍ବରୁ ଯାଇଥିଲେ ଏବଂ ଏବେ ପୁଣି ଥରେ ଯାଉଥିବାର କହିଥିଲେ । ପୋଲିସ ଓ ଶ୍ରମ ବିଭାଗ ସମସ୍ତ ଶ୍ରମିକଙ୍କ କାଗଜ ପତ୍ର ଯାଞ୍ଝ ପରେ ଶ୍ରମ ବିଭାଗ ନିକଟରେ ପଞ୍ଜୀକରଣ କରିଯିବା ପାଇଁ କହି ଛାଡିଦେଇଥିଲେ । ତିନିଜଣ ନାବାଳକ ଥିବା ଜଣାପଡିବା ପରେ ସେହି ମାନଙ୍କୁ ଜିଲ୍ଲା ଶିଶୁ ମଙ୍ଗଳ ଅଧିକାରୀଙ୍କୁ ହସ୍ତାନ୍ତର କରିଥିଲେ ।