କୋଭିଡ୍ ପାଇଁ କ୍ରିକେଟ୍ ଟୁର୍ଣ୍ଣାମେଂଟ ବନ୍ଦ କଲା ପ୍ରଶାସନ

ଚମ୍ପୁଆ: କୋଭିଡ୍-୧୯ ନିୟମକୁ ଖୋଲାଖୋଲି ଉଲଂଘନ କରି ଶତାଧିକ ଲୋକଙ୍କ ଉପସ୍ଥିତିରେ କ୍ରିକେଟ୍ ଟୁର୍ଣ୍ଣାମେଂଟ ଆୟୋଜନ କରିବା ମହଙ୍ଗା ପଡ଼ିଛି ଆୟୋଜକଙ୍କୁ । ପ୍ରଶାସନ ପକ୍ଷରୁ କ୍ରିକେଟ୍ ଟୁର୍ଣ୍ଣାମେଂଟ ବନ୍ଦ କରାଯିବା ସହ ଆୟୋଜକଙ୍କଠାରୁ ୫ହଜାର ଟଙ୍କା ଜୋରିମାନା ମଧ୍ୟ ଆଦାୟ କରାଯାଇଛି । ଏହାସହ କୋଭିଡ୍ ଶେଷ ହେବା ପର୍ଯ୍ୟନ୍ତ ସେଠାରେ କିମ୍ବା ଅନ୍ୟ କୌଣସି ସ୍ଥାନରେ ଟୁର୍ଣ୍ଣାମେଂଟର ଆୟୋଜନ ବନ୍ଦ କରିବାକୁ ପ୍ରଶାସନ ନିର୍ଦେଶ ଦେଇଛି । ଏଭଳି ଏକ ଘଟଣା ଘଟିଛି ବାରିଆ ଥାନା ଅଧିନ ପଡ଼ୁଆ ଗ୍ରାମରେ । ମିଳିଥିବା ସୂଚନା ଅନୁଯାୟୀ, ୩ ଦିନ ତଳେ ଚମ୍ପୁଆ ତହସିଲଦାର ଆଲୋକ କୁମାର ପଟେଲ ପଡ଼ୁଆ ଅଂଚଳ ଗସ୍ତରେ ଯାଇଥିଲେ । ସେହି ସମୟରେ ଉକ୍ତ ଗାଁ ମୁଣ୍ଡ ପଡ଼ିଆରେ ଶହ ଶହ ଲୋକଙ୍କ ଉପସ୍ଥିତିରେ କ୍ରିକେଟ୍ ଟୁର୍ଣ୍ଣାମେଂଟ ଆୟୋଜନ ହେଉଥିବାର ଦେଖିବାକୁ ପାଇଥିଲେ । ଫଳରେ ତହସିଲଦାର ଶ୍ରୀ ପଟେଲ କୋଭିଡ୍-୧୯ ନିୟମ ଉଲଂଘନ ହେଉଥିବା ଦର୍ଶାଇବା ସହ ଲୋକଙ୍କୁ ଖେଳ ଆୟୋଜନ ନ କରିବାକୁ ଆୟୋଜକଙ୍କୁ ନିର୍ଦେଶ ଦେଇଥିଲେ । କିନ୍ତୁ ଆଜି ମଧ୍ୟ ସେଠାରେ ଖେଳ ଚାଲୁଥିବା ଖବର ପାଇଥିଲେ ତହସିଲଦାର ଶ୍ରୀ ପଟେଲ । ସେ ସଙ୍ଗେସଙ୍ଗେ ବାରିଆ ଥାନା ଅଧିକାରୀଙ୍କୁ ଘଟଣା ସଂକ୍ରାନ୍ତରେ ଅବଗତ କରିଥିଲେ । ଆଜି ପୂର୍ବାହ୍ନରେ ମଧ୍ୟ ଶତାଧିକ ଲୋକଙ୍କ ଉପସ୍ଥିତିରେ ସେଠାରେ ଖେଳ ଚାଲୁଥିବା ବେଳେ ପୋଲିସ୍ ଘଟଣାସ୍ଥଳରେ ପହଁଚି ଖେଳ ବନ୍ଦ କରିବାକୁ ନିର୍ଦେଶ ଦେଇଥିଲା । ଏହାସହ ଆୟୋଜକ କମିଟିର କର୍ମକର୍ତାଙ୍କୁ ଥାନାକୁ ଆଣିଥିଲା ଏବଂ ତାଙ୍କ ନିକଟରୁ ୫ହଜାର ଟଙ୍କାର ଜୋରିମାନା ଆଦାୟ କରାଯାଇଥିବା ସହ ଅଣ୍ଡର୍ଟେକିଂ ଲେଖାଯାଇ ସେମାନଙ୍କୁ ଛଡାଯାଇଥିବା ସୂଚନା ମିଳିଛି । ମହାମାରୀ କରୋନା ଦିନକୁ ଦିନ କାୟା ବିସ୍ତାର କରୁଥିବାବେଳେ ଏଭଳି କ୍ରିକେଟ୍ ଟୁର୍ଣ୍ଣାମେଂଟ କିମ୍ବା ଅନ୍ୟ କୌଣସି ପ୍ରକାର ଖେଳ ଆୟୋଜନ କରାନଯିବାକୁ ତହସିଲଦାର ଶ୍ରୀ ପଟେଲ ସମସ୍ତଙ୍କୁ ଅନୁରୋଧ କରିଛନ୍ତି ।

Comments (0)
Add Comment