କୋଭିଡ ପାଇଁ ଘରୋଇ ହସ୍ପିଟାଲରେ ସଂରକ୍ଷିତ ରହିବ ୫୦% ଶଯ୍ୟା

ଭୁବନେଶ୍ୱର: ଏଣିକି କୋଭିଡ ପାଇଁ ଘରୋଇ ହସ୍ପିଟାଲରେ ୫୦ପ୍ରତିଶତ ବେଡ୍ ସଂରକ୍ଷିତ ରହିବ । ତେବେ ୩୦ରୁ ଅଧିକ ବେଡ ଥିବା ହସ୍ପିଟାଲରେ ଏହି ନିୟମ ଲାଗୁ କରାଯିବ । ଓଡ଼ିଶାରେ କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ସମସ୍ତ ଜିଲ୍ଲାପାଳ ଓ ମ୍ୟୁନିସପାଲ କମିଶନର ମାନଙ୍କୁ ଚିଠି ଲେଖି ଏହା ଜଣାଇଛନ୍ତି । ସେହିପରି ଘରୋଇ ହସ୍ପିଟାଲଗୁଡ଼ିକରେ କୋଭିଡ୍ ଆକ୍ରାନ୍ତଙ୍କ ଚିକିତ୍ସା ଲାଗି ୫୦ପ୍ରତିଶତ ଆଇସିୟୁ/ ଏଚଡିୟୁ ସଂରକ୍ଷିତ ରହିବ । ଯଦି ଆବଶ୍ୟକ ପଡେ଼ ତେବେ ହସ୍ପିଟାଲରେ ୧୦୦ ପ୍ରତିଶତ ବେଡକୁ ମଧ୍ୟ ସଂରକ୍ଷିତ ରଖାଯିବାର ବ୍ୟବସ୍ଥା କରାଯାଇଛି । ଏଥିସହିତ କୋଭିଡ ଚିକିତ୍ସା ପାଇଁ ବି ସରକାର ଫି’ ନିର୍ଦ୍ଧାରଣ କରିଛନ୍ତି । ଘରୋଇ ହସ୍ପିଟାଲରେ କୋଭିଡ ରୋଗୀଙ୍କ ପାଇଁ ଦେୟ ଜେନେରାଲ ବେଡ ପାଇଁ ଦୈନିକ ୧୨ଶହ ଟଙ୍କା, ଖାଦ୍ୟ ଓ ଔଷଧ ପାଇଁ ୧୭୫୦ ଟଙ୍କା ରହିଛି । ସେହିପରି ଆଇସିୟୁରେ ରହିଲେ ଦୈନିକ ୨୦୦୦ରୁ ୫୦୦୦ ଟଙ୍କା ମଧ୍ୟରେ ଦେୟ ଦେବାକୁ ପଡ଼ିବ । ଆଇସିୟୁରେ ଦୈନିକ ଔଷଧ ଓ ଆନୁଷଙ୍ଗିକ ଖର୍ଚ୍ଚ ସର୍ବମୋଟ ୮ ହଜାର ଓ ୧୨ ହଜାର ରହିଥିବା ବେଳେ ଭେଂଟିଲେଟର ସହ ଆଇସିୟୁରେ ରହିଲେ ଦିନକୁ ୨ ହଜାର ଟଙ୍କାରୁ ୫ ହଜାର ଟଙ୍କା ମଧ୍ୟରେ ଦେୟ ଦେବାକୁ ପଡ଼ିବ ଓ ଅନ୍ୟ ଆନୁଷଙ୍ଗିକ ଖର୍ଚ୍ଚ ୧୦,୦୦ରୁ ୧୫,୦୦୦ ହେବ ।

Comments (0)
Add Comment