ଭୁବନେଶ୍ୱର: ରାଜ୍ୟରେ ଦୀର୍ଘବର୍ଷ ଧରି ସୂଚନା କମିଶନ ପଦବୀ ଖାଲି ପଡ଼ିଥିବା ଯୋଗୁ ହଜାର ହଜାର କେସ୍ ଶୁଣାଣୀ ନ ହୋଇ ପଡ଼ିରହିବା, ଓଡ଼ିଶା ଲୋକାୟୁକ୍ତ ନିୟମାବଳୀ ପ୍ରଣୟନ ନହେବା ଯୋଗୁ ଲୋକାୟୁକ୍ତରେ ଦୁର୍ନୀତି ସମ୍ପର୍କିତ ଅଭିଯୋଗର ତଦନ୍ତ ଠିକ୍ ଭାବେ ନହେବା, ସଚିବାଳୟ ଅଭ୍ୟର୍ଥନା କକ୍ଷରେ ଥିବା ଆରଟିଆଇ ସେଲ୍କୁ ସରକାର ବନ୍ଦ କରିଦେଇଥିବା ହେତୁ ବିଭିନ୍ନ ବିଭାଗକୁ ସୂଚନା ପାଇଁ ଆବେଦନ କରିବାରେ ବିଭ୍ରାଟ ହେବା ଇତ୍ୟାଦି ଅଭିଯୋଗ କରି ଓଡ଼ିଶା ସୂଚନା ଅଧିକାର ଅଭିଯାନ ତରଫରୁ ମାଷ୍ଟର କ୍ୟାଣ୍ଟିନ ଛକଠାରେ ସୂଚନାଧିକାର କର୍ମୀମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଦୀର୍ଘଦିନ ଧରି ସୂଚନା କମିଶନ ପଦବୀ ଖାଲି ପଡ଼ିଥିବାରୁ କେସ୍ ଶୁଣାଣୀର ଅଚଳାବସ୍ଥା ସୃଷ୍ଟି ହୋଇଛି । ୨୦୧୬ ମସିହାରେ ଦାଖଲ ହୋଇଥିବା ଅଭିଯୋଗ ବା ଦ୍ୱିତୀୟ ଅପିଲ୍ ୪ ବର୍ଷ ପରେ ଅର୍ଥାତ୍ ୨୦୨୦ ମସିହାରେ ଶୁଣାଣୀ ହେଉଛି । ବର୍ତ୍ତମାନ ମୁଖ୍ୟ ସୂଚନା କମିଶନରଙ୍କୁ ମିଶାଇ ୨ଜଣ ସୂଚନା କମିଶନର କାମ କରୁଛନ୍ତି । ସୂଚନା କମିଶନରେ ୧୨ ହଜାର ମାମଲା ଶୁଣାଣୀ ପାଇଁ ପଡ଼ିରହିଛି । ଫଳରେ ଅଭିଯୋଗକାରୀ ନାଗରିକମାନେ ନ୍ୟାୟ ପାଇପାରୁ ନାହାଁନ୍ତି ।