ଗାନ୍ଧୀ ଜୟନ୍ତୀରେ ଖୋଲିବ ଚନ୍ଦକା ହସ୍ତୀ ଅଭୟାରଣ୍ୟ

ଭୁବନେଶ୍ୱର: ମହାମାରୀ କଟକଣା ପାଇଁ ମାର୍ଚ୍ଚ ୨୭ ତାରିଖରୁ ଦର୍ଶକଙ୍କ ପାଇଁ ବନ୍ଦ ରହିଥିବା ଚନ୍ଦକା-ଡମପଡ଼ା ହସ୍ତୀ ଅଭୟାରଣ୍ୟ ଆସନ୍ତା ଅକ୍ଟୋବର ୨ ତାରିଖରେ ପୁଣି ଖୋଲିବ । ଗାନ୍ଧୀ ଜୟନ୍ତୀ ଅବସରରେ କରୋନା କଟକଣା ନିୟମାନୁସାରେ ଏହି ଅଭୟାରଣ୍ୟ ଦର୍ଶକମାନଙ୍କ ପାଇଁ ଖୋଲା ରହିବ । ତେଣୁ ଚନ୍ଦକା ଗୋଡିବାରୀ ମୁଖ୍ୟ ଫାଟକ ଦେଇ ଦର୍ଶକମାନେ ଅଭୟାରଣ୍ୟ ଭିତରକୁ ଯାଇ ପୁଣି ପ୍ରାକୃତିକ ଜଙ୍ଗଲ ମନୋରମ ଦୃଶ୍ୟ ଦେଖିବାର ସୁଯୋଗ ଲାଭ କରିବେ । ଚନ୍ଦକା ଡିଏଫ୍ଓ କେଦାରନାଥ ସ୍ୱାଇଁଙ୍କ ସୂଚନାନୁସାରେ ଦର୍ଶକମାନେ କୋଭିଡ କଟକଣାରେ ଅଭୟାରଣ୍ୟ ଭିତରକୁ ଯିବେ । ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ବଜାୟ ରଖିବା ବାଧ୍ୟତାମୂଳ । ଏଥିପାଇଁ ସୁରକ୍ଷାକର୍ମୀମାନେ ଜଗି ରହିବେ ବୋଲି ସେ ସୂଚନା ଦେଇଛନ୍ତି । ଦର୍ଶକମାନଙ୍କ ପାଇଁ ରହଣିଠାରୁ ଆରମ୍ଭ କରି ଖାଦ୍ୟା ପାନୀୟ ଯୋଗାଇବାର ବ୍ୟବସ୍ଥା ରହିଛି ବୋଲି ଡିଏଫ୍ଓ କହିଛନ୍ତି । ସୂଚନାଯୋଗ୍ୟ, ଏହି ଅଭୟାରଣ୍ୟରେ ବନ୍ୟପ୍ରାଣୀଙ୍କୁ ଦେଖିବା ପାଇଁ ୱାଚ୍ ଟାୱାର ରହିଛି । ଭରତପୁର, ଅମ୍ବିଲ, କୁମାରଖୁଂଟି ଓ ମାଂଟୁ ଭଳି ସ୍ଥାନରେ ନିର୍ମାଣ ହୋଇଥିବା ୱାଚ୍ ଟାୱାର, ବାଉଁଶବେରଣାର ଜଳଭଣ୍ଡାର , ଐତିହାସିକ ଚୂଡ଼ଙ୍ଗଗଡ଼ ଦୁର୍ଗ ଓ ବୁଆଳିଗଡ଼ର ଭଗ୍ନ ଅର୍ଗ, ଆମ୍ବଖଳି ଠାକୁରାଣୀ ଡେରାସରେ ବାଉଁଶ ଘର ଆଦି ଦେଖିବାକୁ ମିଳିବା ସେହିପରି ପିତାଗାଡିଆ ନଥରଥଳି, କୁମାରଖଂଟି, ଚୂଡ଼ଙ୍ଗଗଡ, ଶାଳବାରି, ପିଠାଖିଆ, ମାଂଟୁ, ଡାହାଣୀଗାଡିଆ, ବେହେଂଟାସାହି, ନୂଆକୂଅ, ଢେ଼ାଲକାଠ, ସୁଳାଖଣି, ଝୁମୁକା, ଡେରାସ, ଝଲରା, ଅମ୍ବିଲୋ ଓ ମାଡୁଆ ଭଳି ପର୍ଯ୍ୟଟନସ୍ଥଳୀ ରହିଛି ।

Comments (0)
Add Comment