ଗୋଳାମୁଣ୍ଡା ବ୍ଲକରୁ ଯାଉଛନ୍ତି ଶହ ଶହ ଦାଦନ ଶ୍ରମିକ

ଗୋଳାମୁଣ୍ଡା : କଳାହାଣ୍ଡି ଜିଲ୍ଲା ଗୋଳାମୁଣ୍ଡା ବ୍ଲକରୁ ଶହ ଶହ ଦାଦନ ଶ୍ରମିକ ବାହାର ରାଜ୍ୟକୁ କାମ କରିବାକୁ ଯାଉଥିବା ଏକ ଦୃଶ୍ୟ ଦେଖିବାକୁ ମିଳୁଛୁ । ସିନାପାଲି ବ୍ଲକରୁ ହାଇଦ୍ରାବାଦ ଅଭିମୁଖେ ଦୈନିକ ସଂଗୀତା ବସ ଯିବାଆସିବା କରୁଛି । ଏହି ବସରେ ଗତକାଲି ଖାଲିଆକାନି ମେହେର ଢ଼ାବା ନିକଟରେ ୪୦ ଜଣ ଶ୍ରମିକ ବସରେ ଯାଉଥିବା ବେଳେ ସ୍ଥାନୀୟ ଲୋକେ ଗୋଳାମୁଣ୍ଡା ପୋଲିସକୁ ଖବର ଦେଇଥିଲେ । ଗୋଳାମୁଣ୍ଡା ପୋଲିସ ଖବର ପାଇ ବସଟିକୁ ଅଟକ ରଖି ଥାନାକୁ ନେଇଥିଲେ । ହେଲେ ଶ୍ରମିକ ମାନେ ନିଜ ଇଚ୍ଛାରେ ଯାଉଥିଲେ ନା ଦଲାଲଙ୍କ ପ୍ରଲୋଭନରେ ପଡି ଯାଉଥିଲେ ସେ ବିଷୟରେ କୌଣସି ତଦନ୍ତ ନ କରି ବସଟିକୁ ଛାଡ଼ିଦେବା ପୋଲିସ ଉପରେ ଏକ ସନ୍ଦେହ ପ୍ରକାଶ ପାଇଛି । ଏନେଇ ସ୍ଥାନୀୟ ଅଞ୍ଚଳରେ ପୋଲିସ ପ୍ରତି ଏକ ଅସନ୍ତୋଷ ପ୍ରକାଶ ପାଇଛି । ଏ ସମ୍ପର୍କରେ ଗୋଳାମୁଣ୍ଡା ପୋଲିସ ଆଇ ଆଇ ସି ଶ୍ୱେତପଦ୍ମା ସେଠଙ୍କୁ ପଚାରିଲେ ଆମର କାମ ନୁହେଁ ଏହା ଶ୍ରମ ବିଭାଗର କାମ ବୋଲି କହିଥିଲେ । ଏହି ବସରେ ଦୈନିକ ଭିଡ଼ ଦେଖିବାକୁ ମିଳିଥାଏ । ବସରେ ଯେତିକି ସିଟ ରହୁଛି ତାଠୁ ତିନିଗୁଣା ଲୋକ ବସରେ ଯାଆନ୍ତି । ଜଣେ ବାଇକରେ ତିନିଜଣ ବସିଲେ ପରିବହନ ବିଭାଗ ଓ ପୋଲିସ ସଙ୍ଗେ ସଙ୍ଗେ ଫାଇନ ଆଦାୟ କରନ୍ତି ହେଲେ ଏହି ବସକୁ ଯାଞ୍ଚ ନ କରିବା ପଛରେ କାରଣ କଣ ବୋଲି ଏକ ପ୍ରଶ୍ନବାଚୀ ସୃଷ୍ଟି ହେଉଛି । ଏହି ବ୍ଲକରୁ ଦାଦନ ଶ୍ରମିକ ଦୈନିକ ଯାଉଛନ୍ତି ଜିଲ୍ଲା ଶ୍ରମବିଭାଗଙ୍କ ଜ୍ଞାତରେ ଯାଉଛନ୍ତି ନା ଅଜ୍ଞାତରେ ଯାଉଛନ୍ତି ଏ ନେଇ ଏକ ସନ୍ଦେହ ଉପୁଜିଛି । ବୋଧେ ଶ୍ରମିକ ଦଲାଲମାନଙ୍କ ସହ ଶ୍ରମବିଭାଗର ମଧୁଚନ୍ଦ୍ରିକା ଥାଇପାରେ କି ବୋଲି ଲୋକଲୋଚନରେ ଚର୍ଚ୍ଚା ହେଉଛି । ଜିଲ୍ଲା ଶ୍ରମ ବିଭାଗ ତୁରନ୍ତ ପଦକ୍ଷେପ ନେବାକୁ ସାଧାରଣରେ ଦାବିହେଉଛି ।

Comments (0)
Add Comment