ଚରାମୂଳା ସୋଲାର ପ୍ଲାଣ୍ଟରେ ଭାଲୁ ଆତଙ୍କ

ଭାଲୁ ଜୀବନ ପ୍ରତି ବିପଦ ଆଶଙ୍କା ଓ ଭୟଭୀତ ଗ୍ରାମବାସୀ

ନବରଙ୍ଗପୁର  : ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଅନ୍ତର୍ଗତ ଦିଗି ଗ୍ରାମ ପଞ୍ଚାୟତର ଚରାମୂଳା ଗ୍ରାମରେ ଭାଲୁ ଆତଙ୍କ ଦେଖିବାକୁ ମିଳିଛି l ସୂଚନା ଅନୁଯାୟୀ ଗତ କିଛି ଦିନ ହେବ ଚରାମୂଳା ଗ୍ରାମରେ ଥିବା ୩୦୦ଏକର ବିଶିଷ୍ଟ ସୋଲାର ପ୍ଲାଣ୍ଟରେ ତିନି ଚାରୋଟି ଭାଲୁ ଉପଦ୍ରବ କରୁଥିବା ଦେଖିବାକୁ ମିଳୁଛି । ସୋଲାର ପ୍ଲାଣ୍ଟର ପାଚେରୀ ଭାଙ୍ଗି ପ୍ଲାଣ୍ଟ ଭିତରେ ପସିବା ସହ ପ୍ଲାଣ୍ଟର ପ୍ଲେଟ ଭିତରେ ବସା ବାନ୍ଧି ଥିବା ଜଣାପଡିଛି । ଯାହା ଫଳରେ ଭାଲୁ ମାନଙ୍କ ଜୀବନ ପ୍ରତି ବିପଦ ରହିଛି କାରଣ ସୋଲାର ପ୍ଲାଣ୍ଟରେ ସୌର ବିଦ୍ୟୁତ୍ ଉତ୍ପାଦନ ହୋଇଥିବାରୁ ସେଠାରେ ଦିନରାତି ବିଦ୍ୟୁତ୍ ସଞ୍ଚାରିତ ହେଉଛି। ତେଣୁ ଭାଲୁ ପ୍ରତି ବିପଦ ରହିଛି ବୋଲି ଗ୍ରାମବାସୀ ଆଶଙ୍କା କରୁଛନ୍ତି । ଏ ନେଇ ସୋଲାର ପ୍ଲାଣ୍ଟ କର୍ତୃପକ୍ଷଙ୍କୁ ବନବିଭାଗକୁ ଲିଖିତ ଆକାରରେ ଜଣାଇବାକୁ ଗ୍ରାମବାସୀ ନିବେଦନ କରିଛନ୍ତି। ଚରାମୂଳା ଗ୍ରାମରୁ ସୋଲାର ପ୍ଲାଣ୍ଟ  ମାତ୍ର ଶହେ ମିଟର ଦୂର ରହିଥିବାରୁ ଗ୍ରାମବାସୀ ମଧ୍ୟ ଆତଙ୍କିତ ହୋଇପଡ଼ିଛନ୍ତି। ଏ ନେଇ ବନବିଭାଗ ଦୃଷ୍ଟି ଦେଲେ ଗ୍ରାମବାସୀ ଓ ଭାଲୁ ମାନଙ୍କ ଜୀବନ ରକ୍ଷା ହୋଇ ପାରିବ ବୋଲି ଗ୍ରାମବାସୀ କହିଛନ୍ତି।

Comments (0)
Add Comment