ଚିକିତ୍ସା ଅବହେଳାରୁ ବୃଦ୍ଧଙ୍କ ମୃତ୍ୟୁ


ଧର୍ମଶାଳା: ଧର୍ମଶାଳା ଡାକ୍ତରଖାନାରେ ରୋଗୀ ମୃତ୍ୟୁକୁ ନେଇ ଆଜି ଉତେଜନା ପ୍ରକାଶ ପାଇଥିଲା । ଚିକିତ୍ସା ଅବହେଳାରୁ ମୃତ୍ୟୁ ଘଟିଥିବା ପରିବାର ଲୋକେ ଅଭିଯୋଗ କରିଥିବା ବେଳେ କୋଭିଡରେ ସଂପୃକ୍ତ ରୋଗୀଙ୍କର ମୃତ୍ୟୁ ହୋଇଥିବା ଡାକ୍ତରଖାନା ପକ୍ଷରୁ କୁହାଯାଇଛି । ମୃତକ ହେଲେ ଜେନାପୁର ଅଂଚଳର ଶିକ୍ଷକ ଗଣେଶ୍ୱର ବେହେରା । କିଛି ଦିନ ତଳେ ଗଣେଶ୍ୱରଙ୍କୁ ଜ୍ୱର ହୋଇଥିବା ବେଳେ ସେ ଧର୍ମଶାଳା ଡାକ୍ତରଖାନାକୁ ଆସି କୋଭିଡ ଟେଷ୍ଟ କରାଇଥିଲେ । ଏପରିକି ପରିବାର ଲୋକଙ୍କର ମଧ୍ୟ ଟେଷ୍ଟ ହୋଇଥିଲା । ଆଂଟିଜେନ ଟେଷ୍ଟରୁ ତାଙ୍କର ଏବଂ ପରିବାର ଲୋକଙ୍କର ରିପୋର୍ଟ ନେଗେଟିଭ ଆସିଥିଲା । ତେବେ ଆଜି ହଠାତ ଛାତିରେ ଯନ୍ତ୍ରଣା ହେବା ସହ ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ହେବାରୁ ପରିବାର ଲୋକେ ତାଙ୍କୁ ଧର୍ମଶାଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ଆଂଟିଜେନ ଟେଷ୍ଟରେ ରିପୋର୍ଟ ନେଗେଟିଭ ଆସିଥିବା ବେଳେ ଆରଟିପିସିଆର ଟେଷ୍ଟରେ ପଜିଟିଭ ଆସିଛି । କିନ୍ତୁ ପରିବାର ଲୋକେ ଏହାକୁ ମାନିବାକୁ ପ୍ରସ୍ତୁତ ନୁହନ୍ତି ବୋଲି ଡାକ୍ତରଖାନା କର୍ତୃପକ୍ଷ ସୂଚନା ଦେଇଥିଲେ । ଯାହା ଫଳରେ ଡାକ୍ତରଖାନା ପରିସରରେ କିଛି ସମୟ ଧରି ଉତେଜନା ପ୍ରକାଶ ପାଇଥିଲା । ଖବର ପାଇ ଧର୍ମଶାଳା ପୁଲିସ ଡାକ୍ତରଖାନାରେ ପହଂଚି ଉତ୍ୟକ୍ତ ପରିବାରଲୋକଙ୍କୁ ବୁଝାସୁଝା କରିଥିଲା । କୋଭିଡ ଗାଇଡଲାଇନ ଅନୁସାରେ ମୃତଦେହକୁ ଯାଜପୁର ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଥିବା ସୂଚନା ମିଳିଛି ।

Comments (0)
Add Comment