ଚିଟ୍‌ଫଣ୍ଡ ଠକ ଏମ୍‌ଡି, ମ୍ୟାନେଜରଙ୍କୁ ୭ବର୍ଷ ୬ ମାସ ଜେଲ୍ ଦଣ୍ଡାଦେଶ

ବ୍ରହ୍ମପୁର : ସ୍ୱତନ୍ତ୍ର ଓପିଆଇଡି କୋର୍ଟ ଏକ ଚିଟ୍‌ଫଣ୍ଡ ଠକେଇ ମାମଲାରେ ରାମକ୍ରିଷ୍ଣା ଇଲେକ୍‌ଟ୍ରୋ କଣ୍ଟ୍ରୋଲ୍ ପ୍ରାଇଭେଟ୍ ଲିମିଟେଡ୍‌ର ଏମ୍‌ଡି ଚନ୍ଦ୍ରକାନ୍ତ ଭାରଗବ ଗୋଲେ ଏବଂ ମ୍ୟାନେଜର ସୁରେଶ ଚନ୍ଦ୍ର ପାଢ଼ୀ । ଆବଶ୍ୟକ ସାକ୍ଷ୍ୟ ପ୍ରମାଣ ଥିବା ଯୋଗୁଁ କୋର୍ଟ ଉଭୟଙ୍କୁ ୭ବର୍ଷ ୬ମାସ ଜେଲ୍‌ଦଣ୍ଡରେ ଦଣ୍ଡିତ କରିଛନ୍ତି । ଏହା ସହିତ ୫୦ହଜାର ଟଙ୍କା ଜରିମାନା ଦେବାକୁ ନିର୍ଦ୍ଦେଶ ହୋଇଛି । ଜରିମାନା ଟଙ୍କା ନଦେଲେ ଆହୁରି ୬ମାସ ଜେଲ୍‌ଦଣ୍ଡରେ ଦଣ୍ଡିତ କରିବାକୁ ଚୂଡ଼ାନ୍ତ ରାୟ ପ୍ରକାଶ ପାଇଛି । ବ୍ରହ୍ମପୁର ଜନାନା ହସ୍ପିଟାଲ୍ ରୋଡ଼ରେ କୋଲକାତାର ଚନ୍ଦ୍ରକାନ୍ତ ନାମକ ଜଣେ ବ୍ୟକ୍ତି ଏକ ଅର୍ଥଲଗାଣକାରୀ ସଂସ୍ଥା ଖୋଲିଥିଲେ । ସଂସ୍ଥାରେ ଟଙ୍କା ଜମା କଲେ ଅଧିକ ହାରରେ ସୁଧ ମିଳିବ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲା । ଚନ୍ଦ୍ରକାନ୍ତ ସଂସ୍ଥାର ଏମ୍‌ଡି ଓ ସୁରେଶ ଶାଖା ପରିଚାଳକ ଭାବେ କାର୍ଯ୍ୟ କରୁଥିଲେ । ଅଧିକ ସୁଧ ପାଇବା ଆଶାରେ ବହୁ ଲୋକ ଏହି ସଂସ୍ଥାରେ ଟଙ୍କା ଜମା କରିଥିଲେ । କିନ୍ତୁ ପରବର୍ତ୍ତୀ ପର୍ଯ୍ୟାୟରେ ଅଧିକାଂଶ ଲୋକଙ୍କ ତାଙ୍କର ଟଙ୍କା ଫେରି ପାରି ନଥିଲେ । ଗତ ୨୦୧୩ ଅଗଷ୍ଟ ୨୭ତାରିଖରେ ପୁଲିସ ଏକ ଅଭିଯୋଗ ଆଧାରରେ ମାମଲା ରୁଜୁ କରିଥିଲା । ମାମଲାର ତଦନ୍ତ କରି ପୁଲିସ କୋର୍ଟରେ ଚାର୍ଜସିଟ୍ ଦାଖଲ କରିବା ପରେ ବିଚାରଣା ଆରମ୍ଭ ହୋଇଥିଲା । ସ୍ୱତନ୍ତ୍ର ଓପିଆଇଡି କୋର୍ଟ ଜଜ୍ ଦେବାଶିଷ ପଣ୍ଡା ମାମଲାର ବିଚାରଣା କରି ଆବଶ୍ୟକ ସାକ୍ଷ୍ୟ ପ୍ରମାଣ ଥିବା ଯୋଗୁଁ ସଂସ୍ଥାର ଏମ୍‌ଡି ଏବଂ ମ୍ୟାନେର୍ଜଙ୍କୁ ଜେଲଦଣ୍ଡରେ ଦଣ୍ଡିତ କରିଛନ୍ତି । ସରକାରଙ୍କ ତରଫରୁ ସ୍ୱତନ୍ତ୍ର ପିପି ବିଜୟ ପ୍ରଧାନ ମକଦ୍ଦମା ପରିଚାଳନା କରିଥିଲେ ।

Comments (0)
Add Comment