ଚିତ୍ରକୋଣ୍ଡାରେ ଶେଷ ହେଲା ବ୍ଲକ ସ୍ତରୀୟ ମାଲ୍ୟବନ୍ତ ମହୋତ୍ସବ-୨୦୨୩

ଚିତ୍ରକୋଣ୍ଡା : ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡାଠାରେ ବ୍ଲକସ୍ତରୀୟ ମାଲ୍ୟବନ୍ତ ମହୋତ୍ସବ ଅତି ଆଡ଼ମ୍ବର ସହକାରେ ପାଳନ ହୋଇଯାଇଛି l ବିଶାଳ କଳସ ଯାତ୍ରାରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସମାରି ତାଙ୍ଗୁଲ ,ଚିତ୍ରକୋଣ୍ଡା ବ୍ଲକ ଅଧ୍ୟକ୍ଷା ରାଜେଶ୍ୱରୀ ଖିଲ ସହିତ ସମସ୍ତ ବ୍ଲକ୍ ପ୍ରଶାସନ ଅଧିକାରୀ ଏବଂ ପଞ୍ଚାୟତ ସ୍ତରର ସମସ୍ତ କର୍ମକର୍ତ୍ତାଙ୍କ ଉପସ୍ଥିତିରେ ଆଦିବାସୀଙ୍କ ପାରମ୍ପରିକ ଢେମସା ନୃତ୍ୟର ତାଳେ ତାଳେ ଚିତ୍ରକୋଣ୍ଡା ଦୁର୍ଗା ମନ୍ଦିର ପିଠ ସିଲେରୁ ନଦୀ କୂଳରୁ ପାରମ୍ପରିକ ପୂଜାବିଧି କରି କଳସ ଉଠାଇଥିଲେ। ମୁଖ୍ୟ ଅତିଥି ଭାବରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସମାରି ତାଙ୍ଗୁଲ, ସମ୍ମାନିତ ଅତିଥି ଭାବେ ଚିତ୍ରକୋଣ୍ଡା ତହସିଲଦାର ନଟବର ଗରଡ଼ା, ସିଡିପିଓ ସ୍ବର୍ଣ୍ଣପ୍ରଭା ଦାସଙ୍କ ସମେତ ୨ ହଜାରରୁ ଉର୍ଦ୍ଧ ସ୍ୱୟଂ ସହାୟକ ଗୋଷ୍ଠିର ମହିଳା, ସମସ୍ତ ବିଦ୍ୟାଳୟ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଏବଂ ସ୍ଥାନୀୟ ଲୋକେ ବିଶାଳ କଳସ ଶୋଭା ଯାତ୍ରାରେ ବାହାରିଥିଲେ l ତତ୍ ସହିତ ଗତକାଲି ସନ୍ଧ୍ୟାରେ ଚିତ୍ରକୋଣ୍ଡା ମିନି ଷ୍ଟାଡିଅମ ପଡ଼ିଆରେ ଆଡ଼ମ୍ବର ସହିତ ସାଂସ୍କୃତିକ କାର୍ଯ୍ୟକ୍ରମ ମାଲ୍ୟବନ୍ତ ମହୋତ୍ସବ ୨୦୨୩ ବ୍ଲକସ୍ତରୀୟ ଅନୁଷ୍ଠିତ ହୋଇଯାଇଛି। ଯେଉଁଥିରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ନାଚ ଗୀତ ସହିତ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଭୁବନେଶ୍ୱର, ବ୍ରହ୍ମପୁରରୁ ମଧ୍ୟ ବହୁ କଳାକାର ଆସି ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ମାଲକାନଗିରି ଜିଲ୍ଲା ବିଜୁଜନତା ଦଳର ସଭାପତି ମାନସ ମାଡ଼କାମି, ବାଲିମେଳା ଏନଏସି ଅଧ୍ୟକ୍ଷ ପ୍ରଦୀପ ନାୟକ ପ୍ରମୁଖ ଉପସ୍ଥିତ ରହିଥିଲେ ଏବଂ ସ୍ଥାନୀୟ ବିଦ୍ୟାଳୟ ମାନଙ୍କରେ ଥିବା ଛାତ୍ରଛାତ୍ରୀ ମାନେ ନାଚ ଗୀତରେ ଭାଗନେଇଥିଲେ। କୃତି ଛାତ୍ରଛାତ୍ରୀ ମାନଙ୍କୁ ଅତିଥିମାନଙ୍କ କର କମଳରେ ପୁରସ୍କୃତ କରାଯାଇଥିଲା।

Comments (0)
Add Comment