ଛତିଶଗଡରୁ ଭାସି ଆସିଲା ଏକ ଗାଁ

ହୀରାକୁଦ : ମହାନଦୀରେ ପ୍ରବଳ ବନ୍ୟା ଯୋଗୁଁ ହୀରାକୁଦ ଜଳ ଭଣ୍ଡାରରକୁ ମହାନଦୀ ଛତିଶଗଡରୁ ଏକ ସମ୍ପୂର୍ଣ୍ଣ ଗାଁ ଭାସି ଆସିଥିବା ଦେଖିବାକୁ ମିଳିଛି । ଆଜି ସକାଳେ ଜଳ ଭଣ୍ଡାରେ ଗ୍ୟାସ ସିଲିଣ୍ଡରଠୁ ଆରମ୍ଭ କରି ବିଭିନ୍ନ ବାସନ ଏବଂ ଘରର ଚାଳ ଛପର ଭାସି ଆସି ଲାଗିଥିବା ଦେଖିବାକୁ ମିଳିଥିଲା । କେବଳ ଏତିକି ନୁହେଁ ଭାସି ଆସିଥିବା ଗାଁର ପ୍ରାୟ ୭୦ରୁ ଉର୍ଦ୍ଧ ଗୃହପାଳିତ ପଶୁଙ୍କ ମୃତ ଦେହ ମଧ୍ୟ ହୀରାକୁଦ ଜଳଭଣ୍ଡାରରେ ଲାଗିଛି । ମୃତ ଗୃହପାଳିତ ପଶୁଙ୍କ ମଧ୍ୟରେ ଗାଈ, ଛେଳି ରହିଥିବା ଦେଖାଯାଇଛି । ସ୍ୱାଭାଗ୍ୟବସତଃ ଭାସିଆସିଥିବା ଗୃହପାଳିତ ପଶୁଙ୍କ ମଧ୍ୟରେ ଦୁଇଟି ଗାଈ ଜୀବନ୍ତ ଥିବା ସ୍ଥାନୀୟ ଲୋକ ଦେଖିବାପରେ ଅଗ୍ନିଶମ ବାହିନୀଙ୍କୁ ଖବର ଦେଇଥିଲେ । ଅଗ୍ନିଶମ ବାହିନୀ ଜଳଭଣ୍ଡାରରୁ ୨ଜୀବନ୍ତ ଗାଈଙ୍କୁ ଉଦ୍ଧାର କରିଥିବା ଜଣାପଡିଛି । ରାଜ୍ୟରେ ଲଘୁଚାପ ଜନିତ ବର୍ଷା ଏବଂ ମହାନଦୀର ଉପରମୁଣ୍ଡ ଛତିଶଗଡରେ ପ୍ରବଳ ବର୍ଷା କାରଣରୁ ହୀରାକୁଦ ଜଳ ଭଣ୍ଡାରରେ ଜଳସ୍ତର ବୃଦ୍ଧି ପାଇଥିଲା । ଯାହା ଫଳରେ ହୀରାକୁଦ ଜଳ ଭଣ୍ଡାରର ୪୬ଟି ଗେଟ୍ ଖୋଲା ଯାଇଥିଲା । କିନ୍ତୁ ବର୍ତମାନ ଉପରମୁଣ୍ଡରେ ବର୍ଷାର ପରିମାଣ କମିବା ସହ ହୀରାକୁଦ ଜଳ ଭଣ୍ଡାରର ଜଳସ୍ତର ମଧ୍ୟ ହ୍ରାସ ପାଇଛି । ଯାହା ଫଳରେ ଜଳ ଭଣ୍ଡାରର ୧୨ଟି ଗେଟ୍ ବନ୍ଦ କରାଯାଇଥିବା ବେଳେ ମୋଟ୍ ୩୪ଟି ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସନ କରାଯାଉଛି ।

Comments (0)
Add Comment